Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସ୍ଥଳଭାଗ ମୁହାଁ ‘ୟାସ୍’: ବାତ୍ୟା ସମୟରେ ସୁରକ୍ଷିତ ରହିବା ପାଇଁ ବ୍ୟକ୍ତିଗତ ସ୍ତରରେ ଏହିସବୁ ସତର୍କତା ଅବଲମ୍ବନ କରନ୍ତୁ

25/05/2021 at 7:17 PM

ଭୁବନେଶ୍ବର ୨୫।୫: ସ୍ଥଳଭାଗ ମୁହାଁ ବାତ୍ୟା ‘ୟାସ୍’ । ପାରାଦୀପଠାରୁ ୨୦୦ କି.ମି. ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ‘ୟାସ୍’ । ଏବେ ଘଣ୍ଟାପ୍ରତି ୧୫ କି.ମି. ବେଗରେ ସ୍ଥଳଭାଗ ଆଡକୁ ଆଗଉଛି ସାମୁଦ୍ରିକ ଝଡ ‘ୟାସ୍’ । ବାଲେଶ୍ବରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୨୯୦ କି.ମି. ଦୂରରେ ରହିଛି । ସାଗର ଦ୍ବୀପର ଦକ୍ଷିଣ ଦିଗରେ ୨୮୦ କି.ମି. ଦୂରରେ ରହିଛି ବାତ୍ୟା ‘ୟାସ୍’ ।

ଉପକୂଳ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୨୦ କି.ମି. ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେବାର ଆକଳନ କରାଯାଇଛି । ଏହି ସମୟରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଘଟିବାର ସମ୍ଭାବନା ରହିଛି । ବିଶେଷ କରି ବଡ ବଡ ଗଛ, ବିଜୁଳି ଖୁଣ୍ଟ ଉପୁଡିଯାଇପାରେ । ଦୁର୍ବଳ, କଚ୍ଚାଘର ଭାଙ୍ଗିଯାଇପାରେ । ଗଛ ପଡିବା ଏବଂ ବଜୁଳି ଖୁଣ୍ଟ ଉପୁଡିଯିବା ଯୋଗୁଁ ପାଓ୍ବାର କଟ୍ ମଧ୍ୟ ହୋଇପାରେ । ଜଳ ଯୋଗାଣ ବନ୍ଦ ରହିପାରେ । ଭୀଷଣ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିପାରେ । ବାତ୍ୟା ଭୟରେ ଦୋକାନ ବଜାର ବନ୍ଦ ରହିପାରେ ।  

ଓଡିଶା ପାଇଁ ବନ୍ୟା, ବାତ୍ୟା ଭଳି ପରିସ୍ଥିତି କିଛି ନୂଆକଥା ନୁହେଁ । ମହାବାତ୍ୟା, ଫାଇଲିନ, ହୁଡୁହୁଡୁ, ତିତଲି, ଫନି, ଅମ୍ଫାନ୍ ଆଦି ନିକଟ ଅତୀତରେ ହୋଇଥିବା ବାତ୍ୟାର ଅନୁଭୂତି ସମସ୍ତଙ୍କର ମନେ ରହିଛି । ତେଣୁ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବ୍ୟକ୍ତିଗତସ୍ତରରେ ଆମକୁ କେତୋଟି ବିଷୟରେ ସଜାଗ ରହିବାକୁ ପଡିବ । ସେଗୁଡିକ ହେଲା-

୧. ଗତ ବାତ୍ୟାର ଅନୁଭୂତିକୁ ମନେପକାନ୍ତୁ । କ’ଣ କ’ଣ ଆଗୁଆ ପଦକ୍ଷେପ ନେଇଥିଲେ କେତେକ ଅସୁବିଧାକୁ ଟାଳି ହୋଇଥାନ୍ତା ବୋଲି ସେତେବେଳେ ଆପଣଙ୍କ ମନକୁ ଆସିଥିଲା ତାକୁ ମନେପକାନ୍ତୁ ଏବଂ ଏବେ ତାହା ଆଗୁଆ କରିବା ପାଇଁ ଚେଷ୍ଟା କରନ୍ତୁ ।

୨. ଦୁର୍ବଳ, କଚ୍ଚା ଘରେ ରହୁଥିଲେ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ ।

୩. ପରିବାରର ସମସ୍ତେ ଏକାଠି ରହିବା ପାଇଁ ଚେଷ୍ଟା କରନ୍ତୁ ।

୪. ଅତି ଜରୁରୀ କାମ ନଥିଲେ ଏହି ସମୟରେ ଦୂରସ୍ଥାନକୁ ଯାତ୍ରା କରନ୍ତୁନାହିଁ ।

୫. ଜରୁରୀ ଔଷଧ, ଶୁଖିଲା ଖାଦ୍ୟ ଏବଂ ଦିନେ ଦୁଇ ଦିନ ପାଇଁ ରାସନ କିଣି ପାଖରେ ମହଜୁଦ ରଖନ୍ତୁ ।

୬. ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟଜଳ ମଧ୍ୟ ଘରେ ମହଜୁଦ ରଖନ୍ତୁ ।

୭. ଘରର ମେନ୍ ସ୍ବିଚ୍ ଅଫ୍ କରନ୍ତୁ । ସମସ୍ତ ବୈଦ୍ୟୁତିକ ଉପକରଣର ସ୍ବିଚ୍ ମଧ୍ୟ ବନ୍ଦ କରି ରଖନ୍ତୁ । ଘରେ ଥିବା ଗ୍ୟାସ୍‌ର କନେକସନ୍ ବନ୍ଦ କରନ୍ତୁ ।

୮. ପାଓ୍ବାର କଟ୍ ହେବାର ସମ୍ଭାବନା ଥିବାରୁ ଘରେ ମହମବତୀ, କିରୋସିନି, ଦିଆସିଲ ଆଦି ମହଜୁଦ ରଖନ୍ତୁ ।

୯. ଘରେ ଚାର୍ଜର ଲାଇଟ୍ ଥିଲେ ଫୁଲ୍ ଚାର୍ଜ କରି ରଖନ୍ତୁ । ମୋବାଇଲକୁ ମଧ୍ୟ ଫୁଲ୍ ଚାର୍ଜ କରି ରଖନ୍ତୁ । ପାଓ୍ବାର ବ୍ୟାଙ୍କ୍ ଥିଲେ ଚାର୍ଜ କରିଦିଅନ୍ତୁ ।

୧୦. ବନ୍ୟା ଓ ବାତ୍ୟା ସମୟରେ ବିଷଧର ସରୀସୃପ ବାହାରକୁ ବାହାରିଥାନ୍ତି ଓ ଘର ଭିତରକୁ ମଧ୍ୟ ପଶି ଯାଇପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ ।

୧୧. ଗୃହପାଳିତ ପଶୁମାନଙ୍କୁ ଗୁହାଳରେ ନବାନ୍ଧି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ ଓ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ଲାଗି ଖାଦ୍ୟ ମହଜୁଦ ରଖନ୍ତୁ ।

୧୨. ଘରେ ପାଣି ପଶିବାର ସମ୍ଭାବନା ଥିଲେ ଜରୁରୀ କାଗଜପତ୍ର ଏବଂ ଟଙ୍କାପଇସା ଜରିରେ ଭର୍ତ୍ତି କରି ଉଚ୍ଚ ସ୍ଥାନରେ ରଖନ୍ତୁ । ଏଟିଏମରୁ କିଛି ନଗଦ ଟଙ୍କା ବାହାର କରି ନିଜ ପାଖରେ ରଖନ୍ତୁ ।

୧୩. ଗାଡି ମଟର ଥିଲେ ସେଥିରେ ପେଟ୍ରୋଲ, ଡିଜେଲ ଭର୍ତ୍ତି କରି ରଖନ୍ତୁ । ଆବଶ୍ୟକତା ଦୃଷ୍ଟିରୁ ଯାତାୟତ କରୁଥିବା ବେଳେ ଜୋରରେ ପବନ ବହିଲେ ଗଛ ବା ଖୁଣ୍ଟଠାରୁ ଦୂରକୁ ପଳାନ୍ତୁ ।

୧୪. ସାହିପଡିଶାଙ୍କ ସହ ଯୋଗାଯୋଗରେ ରୁହନ୍ତୁ । ଏହି ସମୟରେ ଗୁଜବ ଉଠିବାର ଆଶଙ୍କା ରହିଥାଏ ତେଣୁ ଗୁଜବକୁ ବିଶ୍ବାସ କରନ୍ତୁନାହିଁ ।

୧୫. କୌଣସି କଥାରେ ବିଶେଷ ଭୟଭୀତ ନହୋଇ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରନ୍ତୁ ।

୧୬. ବାତ୍ୟା ଦେଖିବା ପାଇଁ ଉତ୍ସୁକ ହୋଇ ସମୁଦ୍ରକୂଳକୁ ଯାଆନ୍ତୁନାହିଁ ।

୧୭. ପବନର ବେଗ ବଢିଲେ ଘରର ଝରକା, କବାଟ ଭଲଭାବେ ବନ୍ଦ କରି ରଖନ୍ତୁ ।

୧୮. ଘରକୁ ଲାଗି ଦୁର୍ବଳ ଗଛ ଥିଲେ ତାହା ଯେମିତି ଭାଙ୍ଗି ନଯାଏ ସେଥିପ୍ରତି ସଜାଗ ରୁହନ୍ତୁ । ଗଛକୁ ଶକ୍ତ ଦଉଡିରେ ଚାରିପଟୁ ବାନ୍ଧି ରଖନ୍ତୁ ।

୧୯. ବାତ୍ୟା ଯୋଗୁଁ ତଳକୁ ଝୁଲିପଡିଥିବା ତଥା ବିପଦଜନକ ଅବସ୍ଥାରେ ଥିବା ବିଦ୍ୟୁତ ତାରକୁ ଛୁଅନ୍ତୁ ନାହିଁ ।

୨୦. ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଉପଦେଶକୁ ମାନନ୍ତୁ । ଜରୁରୀକାଳୀନ ଟେଲିଫୋନ ନମ୍ବର ପାଖରେ ରଖନ୍ତୁ । ନିୟମିତ ବାତ୍ୟା ସଂପର୍କିତ ଅପଡେଟ୍ ଖବର ରଖିବାକୁ ଚେଷ୍ଟା କରନ୍ତୁ ।

   Related Posts