ଆପଣ ରାମାୟଣ ପଢ଼ିଥିବେ। ଲଙ୍କାରେ ଯୁଦ୍ଧ ସମୟରେ ରାବଣଙ୍କ ପୁତ୍ର ମେଘନାଦ ଲକ୍ଷ୍ମଣଙ୍କୁ ନିଜ ଶକ୍ତି ବାଣ ଦ୍ବାରା ପ୍ରହାର କରିବାରୁ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇଯାଇଥିଲେ। ତାଙ୍କ ଉପଚାର ପାଇଁ ସୁଷେନ ବୈଦ୍ୟଙ୍କୁ ଡକାଯାଇଥିଲା। ବୈଦ୍ୟ କହିଥିଲେ ଯେ ଲକ୍ଷ୍ମଣଙ୍କ ଉପଚାର କେବଳ ହିମାଳୟରେ ମିଳୁଥିବା ସଞ୍ଜୀବନୀ ଚେର ଦ୍ବାରା ସମ୍ଭବ ହେବ। ସେ ସଞ୍ଜୀବନୀ ଚେରର ଉପାଦେୟତା ବିଷୟରେ ହନୁମାନଙ୍କୁ କହିବା ସହ ହିମାଳୟରୁ ଶୀଘ୍ର ଆଣିବା ପାଇଁ କହିଥିଲେ।
ହନୁମାନ ତୁରନ୍ତ ହିମାଳୟ ଦିଗକୁ ଅଗ୍ରସର ହୋଇଥିଲେ କିନ୍ତୁ ହିମାଳୟ ଅତି ବିଶାଳକାୟ ହୋଇଥିବା ଯୋଗୁଁ ସେ ଜଣେ ବୃଦ୍ଧା ମହିଳାଙ୍କୁ ସାହାଯ୍ୟ ମାଗିଥିଲେ। ମହିଳା ଜଣକ ହନୁମାନଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କୁ ଦ୍ରୋଣାଗିରି ପର୍ବତ ଆଡ଼କୁ ଯିବାକୁ କହୁଥିଲେ। ହନୁମାନ ଦ୍ରୋଣାଗିରି ପର୍ବତରେ ପହଞ୍ଚି ଦ୍ବନ୍ଦରେ ପଡ଼ିଯାଇଥିଲେ। ସେ ସଞ୍ଜୀବନୀ ଚେରକୁ ଖୋଜି ପାରିନଥିବାରୁ ପୂରା ପର୍ବତକୁ ଟେକି ନେଇ ଯାଇଥିଲେ। ଦ୍ରୋଣାଗିରି ପର୍ବତ ପାଖରେ ରହୁଥିବା ଲୋକମାନେ ଏହି ପର୍ବତକୁ ପୂଜା କରୁଥିଲେ। ସେମାନଙ୍କ ବିଶ୍ବାସ ଥିଲା ଯେ ପର୍ବତଟି ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲା।
ପର୍ବତକୁ ଗାୟବ ହେବା ଦେଖି ସେଠାକାର ଲୋକମାନେ ହନୁମାନଙ୍କ ଉପରେ କ୍ଷୁବ୍ଧ ହୋଇଯାଇଥିଲେ ଏବଂ ହନୁମାନଙ୍କୁ ସେମାନେ ଆଜି ପର୍ଯ୍ୟନ୍ତ କ୍ଷମା କରିନାହାନ୍ତି। ଏହି ଗାଁରେ ହନୁମାନଙ୍କ ପୂଜାର୍ଚ୍ଚନା କରିବା ପାପ ସମାନ ହୋଇଥାଏ।
ଆପଣ ଏଠାରେ ହନୁମାନଙ୍କ ଚିତ୍ର ଏବଂ ମୂର୍ତ୍ତି ନେଇପାରିବେ ନାହିଁ । ତାଙ୍କ ନାଁ ଧରିବା ମଧ୍ୟ ଏଠାରେ ପାପ ବୋଲି ଗଣାଯାଇଥାଏ। ସେମାନେ ପ୍ରତି ବର୍ଷ ଏଥିପାଇଁ ଶୋକ ଦିବସ ପାଳନ କରିଥାନ୍ତି। ଏବଂ ଏହି ଦିନ ମହିଳାଙ୍କ ହାତରୁ ଖାଦ୍ୟ ଖାଇବା ନିଷିଦ୍ଧ ହୋଇଥାଏ କାରଣ ଜଣେ ବୃଦ୍ଧା ମହିଳାଙ୍କ ପାଇଁ ଏପରି ହୋଇଥିଲା।