ରାଜ୍ୟରେ ଲକ୍ଡାଉନ୍ ବେଳେ ଏସବୁ ରହିବ ଖୋଲା…
22/03/2020 at 8:47 AM

ଭୁବନେଶ୍ବର ୨୨।୩: ଆଜିଠାରୁ ରାଜ୍ୟର ୫ଜିଲ୍ଲା ଓ ୮ ସହର ସପ୍ତାହେ ପାଇଁ ସମ୍ପୂର୍ଣ୍ଣ ବନ୍ଦ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରପଡା ଓ ଅନୁଗୋଳ ଜିଲ୍ଲାର ସମସ୍ତ ଗାଁ ଓ ସହର ପୂରାପୁରି ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବର ସମେତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ ଯାଜପୁର ଟାଉନ୍ ଓ ଯାଜପୁର ରୋଡ୍ ଏସବୁ ସହରକୁ ମଧ୍ୟ ୭ ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏସବୁ ଜିଲ୍ଲା ଓ ସହର ବନ୍ଦ ରହିବ ।

ଏହି ଲକ୍ଡାଉନ୍ ସମୟରେ ଆତ୍ୟାବଶ୍ୟକୀୟ ସେବା ଯଥା ବସ୍ ଟ୍ରେନ୍, ବିମାନ ଚଳାଚଳ ଜାରି ରହିବ । ଏହା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ ଦୋକାନ, ପେଟ୍ରୋଲ ପମ୍ପ୍ ଓ ମେଡିସିନ ଦୋକାନ ଆଦି ଖୋଲା ରଖିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲକ୍ଡାଉନ୍ ଉପରେ ଜନ ସାଧାରଣଙ୍କ ସହଯୋଗ କାମନା କରିବା ସହ ସମସ୍ତେ ଘରେ ରହିବାକୁ ପରାର୍ମଶ ଦିଆଯାଇଛି ।

ଯେଉଁ ସବୁ ସହର ଓ ଜିଲ୍ଲାରେ ଲକ୍ଡାଉନ୍ ଘୋଷଣା କରାଯାଇଛି ସେଠାରେ ସମସ୍ତ ଡାକ୍ତରଖାନା, ବ୍ୟାଙ୍କ୍, ଏଟିଏମ୍, ମ୍ୟୁନିସିପାଲିଟି ସେବା, ଥାନା, ଅଗ୍ନିଶମ ସେବା, ଓଡ୍ରାଫ, ବିଦ୍ୟୁତ୍ ସେବା ଆଦି ଚାଲୁ ରହିବ।

ଯେହେତୁ କରୋନା ମହାମାରୀ ସାରା ବିଶ୍ବରେ ଏକ ଯୁଦ୍ଧ ଭଳି ଭୟାନକ ସ୍ଥିତି ଉପୁଜିଛି। ଏହାର ମୁକାବିଲା ପାଇଁ ସମସ୍ତେ ଏକ ହେବାକୁ ସରକାର ଆହ୍ବାନ ଦେଇଛନ୍ତି।