ଏମାନେ ହେଉଛନ୍ତି ଦେଶର ଏନକାଉଣ୍ଟର ସ୍ପେଶାଲିଷ୍ଟ, ଜଣେ କରିଛନ୍ତି ୧୦୪ ଏନକାଉଣ୍ଟର
7/12/2019 at 5:53 PM

ନୂଆଦିଲ୍ଲୀ : ହାଇଦ୍ରାବାଦ ଘଟଣା ପରେ ପୁଣି ଦେଶରେ ଚର୍ଚ୍ଚାକୁ ଆସିଛି ପୋଲିସ ଏନକାଉଣ୍ଟର। ସୋସାଲ ମିଡିଆରେ ତେଲେଙ୍ଗାନା ପୋଲିସ ଖୁବ୍ ବାହବାହ ସାଉଣ୍ଟୁଛି। ଏଥିରେ ସବୁଠୁ ଅଧିକ ଚର୍ଚ୍ଚିତ ହେଉଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନର। ୧୯୯୬ ବ୍ୟାଚ୍ ର ଏହି ଆଇପିଏସ୍ ଅଫିସରଙ୍କୁ ତେଲେଙ୍ଗାନା ରାଜ୍ୟର ଏନକାଉଣ୍ଟର ସ୍ପେଶାଲିଷ୍ଟ ବୋଲି କୁହାଯାଉଛି। ସେ ୨୦୦୮ ମସିହାରେ ୱାରଙ୍ଗଲ ଏସପି ଥିବା ବେଳେ ଏସିଡ୍ ଆକ୍ରମଣ ଘଟଣାର ୩ ଅଭିଯୁକ୍ତଙ୍କ ଫୈସଲା ଅନ ଦି ସ୍ପଟ କରିଥିଲେ। ତେବେ କେବଳ ସଜ୍ଜନର ନୁହଁନ୍ତି ଆସନ୍ତୁ ଜାଣିବା ଦେଶର ଏହି ପୋଲିସ ଏନକାଉଣ୍ଟର ସ୍ପେଶାଲିଷ୍ଟମାନଙ୍କୁ।

ପ୍ରଦୀପ ଶର୍ମା
ମହାରାଷ୍ଟ୍ର ପୋଲିସର ପ୍ରଦୀପ ଶର୍ମାଙ୍କ ନାମ ହିଁ ଅପରାଧୀଙ୍କ ଲାଗି ବହୁତ। ଅପରାଧୀ ପ୍ରଦୀପଙ୍କୁ ମୃତ୍ୟୁର ଦ୍ୱିତୀୟ ରୂପ ଭାବେ ଦେଖିଥାନ୍ତି। ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ମୁମ୍ବାଇ ଗ୍ୟାଙ୍ଗୱାରକୁ ଆୟତ୍ତ କରିବାରେ ପ୍ରଦୀପଙ୍କ ମୁଖ୍ୟଭୂମିକା ରହିଛି। ସରକାରୀ ରେକର୍ଡ ଅନୁସାରେ ପ୍ରଦୀପ ୧୦୪ ଏନକାଉଣ୍ଟର କରିଛନ୍ତି। ଅପରାଧୀଙ୍କ ଏନକାଉଣ୍ଟକରିବାରେ ଓସ୍ତାଦ ପ୍ରଦୀପ ଏଥିଲାଗି ଚାକିରୀରୁ ନିଲମ୍ବିତ ବି ହୋଇଥିଲେ। ଏବେ ସେ ଅବସରପ୍ରାପ୍ତ କରିସାରିଥିବା ବେଳେ ରାଜନୀତିରେ ନିଜକୁ ସାମିଲ କରିଛନ୍ତି।

ଦୟା ନାୟକ
ପୋଲିସ ଏନକାଉଣ୍ଟର କଥା ଉଠିଲେ ହିଁ ଦୟାନକ ସ୍ୱତଃ ମନେପଡନ୍ତି। ମୁମ୍ବାଇ ପୋଲିସର ସବୁଠୁ ଜଣାଶୁଣା ଦୟାଙ୍କ ଜୀବନୀ ଉପରେ ବଲିଉଡ ଫିଲ୍ମ ବି ନିର୍ମିତ ହୋଇଛି। ଗତ ସେପ୍ଚେମ୍ବର ମାସରେ ତାଙ୍କୁ ମହାରାଷ୍ଟ୍ର ଏଟିଏସ୍ କୁ ବଦଳି କରାୟାଇଛି। ୧୯୯୫ରେ ମୁମ୍ବାଇ ପୋଲିସ ଜଏନ କରିଥିବା ଦୟା ଚାକିରୀର ମାତ୍ର ୪ ବର୍ଷ ମଧ୍ୟରେ ଏନକାଉଣ୍ଟର ଲାଗି ଖୁବ୍ ନାମ କମାଇଥିଲେ। ତାଙ୍କ ଚାକିରୀକାଳରେ ଏପର୍ଯ୍ୟନ୍ତ ସେ ୮୦ ଅପରାଧୀଙ୍କ ଏନକାଉଣ୍ଟର କରିଛନ୍ତି।

ପ୍ରଫୁଲ୍ଲ ଭୋସଲେ
ଛୋଟା ସକିଲ ସହ ଏନକାଉଣ୍ଟରକୁ ନେଇ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ ପ୍ରଫୁଲ୍ଲ ଭୋସଲେ। ମୁମ୍ବାଇର ଅପରାଧୀ ପ୍ରଫୁଲ୍ଲଙ୍କ ନାଁରେ ଛାନିଆ ହୋଇପଡନ୍ତି। ସେ ଚାକିରୀକାଳ ମଧ୍ୟରେ ଏପର୍ଯ୍ୟନ୍ତ ୮୪ ଏନକାଉଣ୍ଟର କରିଛନ୍ତି।

ବିଜୟ ସାଲସ୍କର
ନାଁଟା ନିଶ୍ଚିତ ଶୁଣାଶୁଣା ଲାଗୁଛି। ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସେ ଶହିଦ ହୋଇଯାଇଥିଲେ। ତେବେ ସେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇବା ପୂର୍ବରୁ ମୁମ୍ବାଇକୁ ଅପରାଧ ମୁକ୍ତ କରିସାରିଥିଲେ। ସେ ମୋଟ ୮୩ଟି ଏନକାଉଣ୍ଟର କରିଥିବାର ପୋଲିସ ରେକର୍ଡରୁ ଜଣାପଡେ।

ସଚ୍ଚିନ ହିନ୍ଦୁରାଓ ବାଜେ
ମହାରାଷ୍ଟ୍ର ପୋଲିସର ଏହି ଅଫିସର ତାଙ୍କ ଦୁଃଶାହସ ଲାଗି ବେଶ ପରିଚିତ। ପ୍ରଦୀପ ଶର୍ମାଙ୍କ ପ୍ରଶିକ୍ଷଣ ପ୍ରାପ୍ତ ସଚ୍ଚିନଙ୍କ ରିଭଲଭର ନଳି ଆଗରୁ ଏପର୍ଯ୍ୟନ୍ତ ଜଣେ ବି ଅପରାଧୀ ଖସିପାରିନି। ସେ ୬୩ ଅପରାଧୀ ଓ ଗ୍ୟାଙ୍ଗଷ୍ଟରଙ୍କ ନିପାତ କରିଥିବା ପୋଲିସ ରେକର୍ଡ କହେ।

ଦୀପକ କୁମାର
ଭାରତୀୟ ପୋଲିସ ସେବା ଅଧିକାରୀ ଦୀପକ କୁମାର ଏବ େଚିତ୍ରକୁଟ ରେଞ୍ଜ ଡିଆଇଜି ଅବସ୍ଥାପିତ ଅଛନ୍ତି। ଏକଦା ବିଏଚୟୁର ଛାତ୍ର ଥିବା ଏହି ଯୁବ ଆଇପିଏସ୍ ଅଫିସର ଉତ୍ତରପ୍ରଦେଶରେ ୫୬ ଏନକାଉଣ୍ଟର କରିଛନ୍ତି। ତାଙ୍କ ନାଁରେ ଏବେବି ୟୁପିର ଅପରାଧୀ ଛାନିଆ ହେଉଥିବା ବେଳେ ସେ ଅବସ୍ଥାପିତ ଥିବା ଅଞ୍ଚଳରୁ ଅପରାଧୀ ନିଜକୁ ସୁରକ୍ଷିତ ଦୂରତାରେ ରଖୁଛନ୍ତି।

ଅନନ୍ତ ଦେବ
ୟୁପି ପୋଲିସ ସେବା ଅଧିକାରୀ ଅନନ୍ତ ଦେବ ୨୦୦୬ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିଲେ। ଫୈଜାବାଦ ଏସଏସପି ରହିସାରିଥିବା ଏହି ଅଧିକାରୀଙ୍କ ନାମରେ ଉତ୍ତରପ୍ରଦେଶ ପୋଲିସ ରେକର୍ଡରେ ୬୦ଟି ଏନକାଉଣ୍ଟର ରେକର୍ଡ ରହିଛି। ତେବେ ସେ ଅଧିକାଂଶ ଏନକାଉଣ୍ଟର ଚମ୍ବଲ ଅଞ୍ଚଳରେ କରିଥିବା ବେଳେ ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଦଦୁଆକୁ ବି ସେ ଏନକାଉଣ୍ଟର କରିଥିଲେ।

ରାଜେଶ କୁମାର ପାଣ୍ଡେୟ
ୟୁପି ବରେଲି ରେଞ୍ଜର ଆଇପିଏସ୍ ଅଫିସର ରାଜେଶ କୁମାର ପାଣ୍ଡେୟଙ୍କ ନାମରେ ରହିଛି ୫୦ ଏନକାଉଣ୍ଟରର ରେକର୍ଡ। ସେ ଗ୍ୟାଙ୍ଗଷ୍ଟର ଶ୍ରୀପ୍ରକାଶ ଶୁକ୍ଳ ଓ ତା ଗୋଷ୍ଠୀକୁ ନିପାତ କରିଥିବାର ପୋଲିସ ରେକର୍ଡ ରହିଛି। ୟୁପି ପ୍ରୟାଗରାଜର ଏହି ଅଧିକାରୀଙ୍କୁ ୪ ଥର ବୀରତା ପୁରସ୍କାର ମିଳିସାରିଛି।

ରାଜବୀର ସିଂହ
ଦିଲ୍ଲୀ ପୋଲିସର ଆଇପିଏସ୍ ଅଫିସର ରାଜବୀର ସିଂହଙ୍କ ନାମରେ ରହିଛି ୫୦ ଏନକାଉଣ୍ଟରର ରେକର୍ଡ। ୨୦୦୮ ମସିହାରେ ଦିଲ୍ଲୀ ଗୁଡଗାଓଁଠାରେ ଜନୈକ ପ୍ରପର୍ଟି ଡିଲର ତାଙ୍କୁ ଗୁଳିକରି ହତ୍ୟା କରିଥିଲେ ।

ଅମିତାଭ ୟଶ
ୟୁପି ଏସଟିଏଫ ଆଇଜି ଅମିତାଭ ୟଶ ଏପର୍ଯ୍ୟନ୍ତ ୩୬ ଏନକାଉଣ୍ଟର କରିଛନ୍ତି। ଉତ୍ତରପ୍ରଦେଶର ଯେଉଁ ଜିଲ୍ଲାକୁ ତାଙ୍କର ବଦଳି ହୁଏ ସେଠାରୁ ଅପରାଧୀ ଡରି ପଳାଇଥାନ୍ତି। ହୁଏତ ସେମାନେ ପୁଣି ଜେଲକୁ ଫେରିଯାଇଥାନ୍ତି ନଚେତ ଜିଲ୍ଲା ହିଁ ଛାଡିଦେଇଥାନ୍ତି।