କରୋନା ଯୋଦ୍ଧା : କରୋନାକୁ ମାତ୍ ଦେଇଥିବା ଏହି ୫ ମହାବଳୀଙ୍କୁ ପ୍ରଶଂସା କରୁଛି ସାରା ବିଶ୍ବ
14/04/2020 at 1:19 PM

କରୋନା ମହାମାରୀ ସହ ଦେଶର ପ୍ରତ୍ୟେକ ଦେଶ ନିଜ ନିଜ ଉପାୟ ଅନୁସାରେ ଲଢ଼ୁଛି। ଏପରି ସଙ୍କଟ ସମୟରେ ମହିଳାମାନେ ମଧ୍ୟ ପଛରେ ନାହାନ୍ତି। କରୋନା ଯୁଦ୍ଧରେ ଏହି ମହିଳାମାନେ ଅସଲି ହୀରୋ ଭାବେ କାମ କରୁଛନ୍ତି,ଯେଉଁମାନଙ୍କର ଅନେକ ପ୍ରଶଂସା ହେଉଛି।

୧.ମେରିଲିନ୍ ଏଡୋ : କରୋନା ଭାଇରସ ଯୋଗୁଁ ବ୍ୟାପିଥିବା ମହାମାରୀର ଟୀକା ନ ବାହାରିବା ପର୍ଯ୍ୟନ୍ତ ଏହାଠାରୁ ମୁକ୍ତି ମିଳିବ ନାହିଁ। ଜର୍ମାନ ସେଣ୍ଟର ଫର୍ ଇନଫେକ୍ସନ୍ ରିସର୍ଚ୍ଚର ପ୍ରଫେସର ମେରିଲିନ୍ ଏଡୋ ଏହି କାମରେ ଲାଗିଛନ୍ତି। ସେ ନିଜ ଟିମ୍ ସହ ମିଶି କରୋନା ଭାଇରସଠୁ ବର୍ତ୍ତିବାର ଟୀକା ଆବିଷ୍କାର କରିବାରେ ଲାଗିଛନ୍ତି। ଏହା ପୂର୍ବରୁ ସେ ଇବୋଲା ଏବଂ ମର୍ସର ଟୀକା ମଧ୍ୟ ବାହାର କରି ସାରିଛନ୍ତି।

୨. ଏଞ୍ଜେଲା ମର୍କେଲ୍ : କରୋନାରେ ଜର୍ମାନୀର କମ୍ ମୃତ୍ୟୁହାର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିପାଇଁ ଚାନସେଲର ମର୍କେଲଙ୍କ ରଣନୀତିର ଚାରିଆଡ଼େ ପ୍ରଶଂସା ହେଉଛି। ମର୍କେଲ୍ ଆରମ୍ଭରୁ ଚେତାବନୀ ଦେଇଥିଲେ ଯେ ଦେଶର ୬୦% ଜନସଂଖ୍ୟା କରୋନାରେ ସଂକ୍ରମିତ ହୋଇପାରନ୍ତି।

୩. ସାଇ ଇଙ୍ଗ୍ ବେନ୍ : ଚୀନର ନିକଟତର ହେଲେ ମଧ୍ୟ ତାଇଓ୍ବାନ୍ ନିଜକୁ କରୋନାଠୁ ମୁକ୍ତ କରିଛି। ସେଠାରେ କରୋନା ସଂକ୍ରମଣର ୪୦୦ରୁ କମ୍ ମାମଲା ସାମନାକୁ ଆସିଛି। ବେନଙ୍କ ସରକାର ଠିକ୍ ସମୟରେ ଚୀନ,ହଂକଂ ଏବଂ ମକାଉରୁ ଟ୍ରାଭେଲ୍ ବ୍ୟାନ୍ କରିଥିଲେ।

୪. ଜେସିଣ୍ଡା ଆର୍ଡ଼ନ୍ : ମାର୍ଚ୍ଚ ୧୪ରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡ଼ନ୍ ଘୋଷଣା କରିଥିଲେ ଯେ ଦେଶରେ ପ୍ରବେଶ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଦୁଇ ସପ୍ତାହ ପାଇଁ ସେଲ୍ଫ ଆଇସୋଲେଟ୍ କରିବାକୁ ହେବ। ସେତେବେଳେ ନ୍ୟୁଜିଲାଣ୍ଡରେ କରୋନାରେ ସଂକ୍ରମିତ ୬ଟି ମାମଲା ସାମନାକୁ ଆସିଥିଲା। ୧୦୦ପାର କରିବା ମାତ୍ରେ ସେ ଦେଶରେ ଲକଡାଉନ୍ ଘୋଷଣା କରିଦେଇଥିଲେ।

୫. ମେଟ୍ ଫ୍ରେଡେରିକ୍ସନ୍ : ଡେନମାର୍କର ଏବେ ସୁଦ୍ଧାର ସବୁଠୁ କମ୍ ବୟସର ପ୍ରଧାନମନ୍ତ୍ରୀ ମାର୍ଚ୍ଚ ମାସର ଆରମ୍ଭରୁ ହିଁ କରୋନା ପ୍ରକୋପରୁ ବର୍ତ୍ତିବା ପାଇଁ କଡ଼ା ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୧୪ତାରିଖ ଯାଏଁ ଦେଶର ସୀମାକୁ ସିଲ୍ କରି ଦିଆଯାଇଥିଲା। ଡେନମାର୍କରେ ଏବେ ସୁଦ୍ଧା କରୋନା ସଂକ୍ରମଣର ୫,୮୦୦ମାମଲା ସାମନାକୁ ଆସିଛି।