ବିଶ୍ବବ୍ୟାପି ହେବ ଯୁଦ୍ଧ ବିରାମ : ପ୍ରସ୍ତାବ ଆଗତ କଲେ ମିଳିତ ଜାତିସଙ୍ଘ

Published By : Prameya-News7 Bureau | July 02, 2020 IST

ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦ ଏକ ପ୍ରସ୍ତାବ ଆଗତ କରି ସମସ୍ତ ଦେଶକୁ ବିଶ୍ବବ୍ୟାପି ଯୁଦ୍ଧ ବିରାମକୁ ଲାଗୁ କରିବାର ଆଗ୍ରହ କରିଛନ୍ତି। ଏପରି କରୋନା ଭାଇରସ୍ ମହାମାରୀ ବିରୁଦ୍ଧରେ ଜାରି ଲଢ଼େଇ ଉପରେ ଧ୍ୟାନ ଆକର୍ଷଣ କରିବା ଦୃଷ୍ଟିରେ କରାଯାଇଛି। ମିଳିତ ଜାତିସଙ୍ଘର ରାଜନାୟିକ ସୂତ୍ର ବୁଧବାର ଏହି ସୂଚନା ଦେଇଛନ୍ତି। ପ୍ରସ୍ତାବ ଅନୁସାରେ ସୁରକ୍ଷା ପରିଷଦ ଦେଶବ୍ୟାପି ସଶସ୍ତ୍ର ସଂଘର୍ଷ ସହ ଜଡ଼ିତ ସମସ୍ତ ପକ୍ଷକୁ ମାନବୀୟ ଆଧାରରେ ତତ୍କାଳ ପ୍ରଭାବରେ ଅତି କମରେ ୯୦ଦିନ ପାଇଁ ବିଶ୍ବ ଯୁଦ୍ଧ ବିରାମ ଲାଗୁ କରିବାକୁ ଅପିଲ କରିଛନ୍ତି।

ସୁରକ୍ଷା ପରିଷଦ କହିଛି ଯେ ଏହି ଚ୍ୟାଲେଞ୍ଜିଂ ସମୟରେ କୋଭିଡ-୧୯ ବିରୁଦ୍ଧରେ ଜାରି ଲଢ଼େଇରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ପ୍ରସ୍ତାବରେ ଏହି କଥା ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ଯେ ଅଲ-କାୟଦା ଏବଂ ଅଲ-ନୁସରା ଫ୍ରଣ୍ଟ ବ୍ୟତୀତ ସେହି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ସୈନ୍ୟ ଅଭିଯାନ ଜାରି ରହିଛି ଯାହା ସୁରକ୍ଷା ପରିଷଦ ସୂଚୀରେ ରହିଛି। ପ୍ରସ୍ତାବ ଅନୁସାରେ ମିଳିତ ଜାତିସଙ୍ଘ ମହାସଚିବ ଏଣ୍ଟୋନିଆ ଗୁଟେରେସ ଏହା ସୁନିଶ୍ଚିତ କରିବେ ଯେ କୋଭିଡ-୧୯ ବିରୁଦ୍ଧରେ ଲଢ଼େଇରେ ଗରିବ ଏବଂ ଯୁଦ୍ଧ ପ୍ରଭାବିତ ଦେଶକୁ ଅଧିକରୁ ଅଧିକ ସାହାଯ୍ୟ କରାଯିବ।

ଜୁଲାଇ ମାସ ପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ସଂଯୁକ୍ତ ରାଷ୍ଟ୍ରରେ ଜର୍ମାନୀର ରାଜଦୂତ କ୍ରିଷ୍ଟୋଫ ହ୍ୟୁଷ୍ଟଜେନ୍ କହିଛନ୍ତି ଯେ ପ୍ରସ୍ତାବ ସର୍ବସମ୍ମତି ଦ୍ବାରା ଆଗତ ହୋଇଯାଇଛି। ପ୍ରସ୍ତାବ ପକ୍ଷରେ ସମସ୍ତ ୧୫ ସଦସ୍ୟ ମତଦାନ କରିଛନ୍ତି। ସୁରକ୍ଷା ପରିଷଦର ଏକତା ଦୃଷ୍ଟିରୁ ଏହା ବହୁତ ଭଲ ସଙ୍କେତ। ଏହି ପ୍ରସ୍ତାବ ଫ୍ରାନ୍ସ ଏବଂ ଟ୍ୟୁନିସିଆ ତରଫରୁ ଆଗତ କରାଯାଇଛି। କୋଭିଡ-୧୯କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଭୂମିକାରେ ଆମେରିକା ଏବଂ ଚୀନ ମଧ୍ୟରେ ସହମତି ନ ହୋଇପାରିବା କାରଣରୁ ଏହି ପ୍ରସ୍ତାବ ଅପ୍ରେଲ୍ ମାସରୁ ଅମୀମାଂସିତ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.