ସମୟ ଥିଲା ରବି କିଶନ ଗଞ୍ଜେଇ ପିଉଥିଲେ, ସାରା ଦୁନିଆ ଜାଣିଛି: ଅନୁରାଗ କଶ୍ୟପ

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯।୦୯: ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଖୋଲାଖୋଲି କହିବା ପାଇଁ ପରିଚିତ। ନିଜର ସଦ୍ୟତମ ସାକ୍ଷାତକାରରେ ସେ ବଲିଉଡରେ ଡ୍ରଗ୍ସର ବ୍ୟବହାର ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ସାଂସଦ ରବି କିଶନଙ୍କ ଡ୍ରଗ୍ସ ଉପରେ ବୟାନକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏମିତି ସମୟ ଥିଲା ଯେବେ ରବି କିଶନ ନିଜେ ଗଞ୍ଜେଇ ପିଉଥିଲେ।

ୟୁଟ୍ୟୁବ୍‌ରେ ନିଜର ସାକ୍ଷାତକାରରେ ଅନୁରାଗ କଶ୍ୟପ ଏହି କଥା କହିଛନ୍ତି। ଚଳିତ ସପ୍ତାହରେ ରବି କିଶନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଥାତ ଏନସିବିକୁ ସୁଶାନ୍ତଙ୍କ ଡ୍ରଗ୍ସ ମାମଲାରେ କରିଥିବା ତଦନ୍ତ ନେଇ ପ୍ରଶଂସା କରିଥିଲେ। ଏନସିବି ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସମେତ ଅନେକ ଲୋକଙ୍କୁ ଗିରଫ କରିଛି। ରବି କିଶନ ନିଜର ବୟାନରେ କହିଥିଲେ ଯେ, ଡ୍ରଗ୍ସ ସେବନ ମାମଲା ବଢିବାରେ ଲାଗିଛି। ଏଥିରେ ପଡୋଶୀ ଦେଶ ମଧ୍ୟ ସାମିଲ। ଏହି ଦେଶକୁ ପାକିସ୍ତାନ ଓ ଚୀନଠୁ ଡ୍ରଗ୍ସ ଆସିଥାଏ। ସରକାରଙ୍କୁ ଏହି ସବୁ ରୋକିବା ଉଚିତ୍ ଯେଉଁଥିରେ ଆମ ଯୁବକଙ୍କ ଜୀବନ ନଷ୍ଟ ହେଉଛି।

ସାମ୍ବାଦିକ ଫେ ଡିସୁଜାଙ୍କ ସହିତ ସାକ୍ଷାତକାର ବେଳେ ଅନୁରାଗ କଶ୍ୟପ କହିଛନ୍ତି, ରବି କିଶନଙ୍କୁ ମୁଁ ବହୁ ଦିନରୁ ଜାଣିଛି। ସେ ମୋର ସାଙ୍ଗ। ମୋ ଫିଲ୍ମ ମୁକ୍କାବାଜରେ ମଧ୍ୟ ସେ କାମ କରିଛନ୍ତି। ରବି ନିଜ ଦିନର ଆରମ୍ଭ ଜୟ ଶିବ ଶଙ୍କର, ଜୟ ବମ ଭୋଲେ, ଶିବ ଶିବ ଶମ୍ଭୁ କହି କରୁଥିଲେ। ସମୟ ଏମିତି ଥିଲା ଯେବେ ସେ ଗଞ୍ଜେଇ ପିଉଥିଲେ। ଏହି ବିଷୟରେ ସମସ୍ତେ ଜାଣନ୍ତି। ଦୁନିଆ ବି ଜାଣେ। ଦୁନିଆରେ ଏମିତି କୌଣସି ବି ଲୋକ ନାହାନ୍ତି ଯିଏ ରବି କିଶନ ଗଞ୍ଜେଇ ପିଉଥିଲେ ବୋଲି ଜାଣି ନାହାନ୍ତି। ବୋଧହୁଏ ସେ ଛାଡି ଦେଇଛନ୍ତି କାରଣ ଏବେ ସେ ଜଣେ ମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.