ହଠାତ୍ ଘଟିଲା ବିସ୍ଫୋରଣ: ଆଖପାଖ ଅଟ୍ଟାଳିକ ଘର ସବୁକିଛି ହୋଇଗଲା ଧୂଳିସାତ

Published By : Prameya-News7 Bureau | August 05, 2020 IST

ଲେବାନନ୫/୮: ଲେବାନନ ରାଜଧାନୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଶହେ ଟପିଛି। ବିସ୍ଫୋରଣର ତୀବ୍ରତା ଯାହା ରହିଛି ମୃତ୍ୟୁ ସଂଖ୍ୟା ଆହୁରି ଯଥେଷ୍ଟ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂରା ବିଶ୍ବ ଏହି ଘଟଣାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଆଖପାଖ ଅଟ୍ଟାଳିକ ଘର ସବୁକିଛି ଧୂଳିସାତ ହୋଇଯାଇଛି। ହେଲିକପ୍ଟରରେ ନିଆଁ ଲିଭାଇବା ପାଇଁ ପାଣି ପକାଯାଉଛି। ଚାରିଆଡ଼େ ଧ୍ବଂସସ୍ତୁପ। ବ୍ୟତିବ୍ୟସ୍ତ ହୋଇ ଆଡେସାଡ଼େ ଧାଉଁଛନ୍ତି ଆହତ।

 ବିସ୍ଫୋରଣରେ ତିନିଟି ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ତେବେ ବାଣ ଭଳି କିଛି ସେଥିରେ ଫୁଟିଛି। ଆଉ ଏହାପରେ ହେଉଛି ବିଶାଳ ବିସ୍ଫୋରଣ। ତେବେ ଏଡ଼େ ବଡ଼ ବିସ୍ଫୋରଣ କେମିତି ହେଲା। ପ୍ରଥମେ କୁହାଯାଇଥିଲା ଏକ ବାଣ ଗୋଦାମ କିମ୍ବା ବାଣ ଭର୍ତ୍ତି ଜାହାଜରେ ନିଆଁ ଲାଗିଥିଲା। ମିଳିଥିବା ସୂଚନା ଅନୁସାରେ ମାରାତ୍ମକ ବିସ୍ଫୋରକ ଆମୋନିୟମ ନାଇଟ୍ରେଟ ଏହି ବିସ୍ଫୋରଣର କାରଣ। ଏକ ହ୍ୟାଙ୍ଗରରେ ୨୭୫୦ ଟନ ଆମୋନିୟମ ନାଇଟ୍ରେଟ ଷ୍ଟୋର କରାଯାଇଥିଲା। ସାର କିମ୍ବା ବୋମା ମାଧ୍ୟମରେ ପ୍ରଥମ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଏପରିକି ଲେବାନନ ୧୨ଟି ପୋର୍ଟ ହ୍ୟାଙ୍ଗରରେ ବିପୁଳ ଆମୋନିୟମ ନାଇଟ୍ରେଟ ରଖାଯାଇଥିବା ନେଇ ପୂର୍ବରୁ ମଧ୍ୟ ଅନେକ ଚିନ୍ତା ପ୍ରକଟ କରିଥିଲେ। ୬ ବର୍ଷ ଧରି ଲେବାନନ ସରକାର ଏନେଇ କୁଆଡ଼େ ଅବଗତ ଥିଲେ ।   ବର୍ତ୍ତମାନସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯେଉଁଠାରେ ବିସ୍ଫୋରଣ ଘଟିଛି ସେହି ଆମୋନିୟମ ନାଇଟ୍ରେଟ ସେପ୍ଟେମ୍ବର ୨୦୧୩ରେ ରୁଷ ଜାହାଜରେ ଆସିଥିଲା। ଯାହାକି ଜର୍ଜିଆରୁ ମୋଜାମ୍ବିକ ଯାଉଥିଲା। ଯାନ୍ତ୍ରିକ ତ୍ରୁଟି ପାଇଁ ଏହାକୁ ଲେବାନନରେ ଅଟକିବାକୁ ପଡ଼ିଥିଲା।

ତେବେ ନ୍ୟାୟିକ ଝାମେଲା ପାଇଁ ଏହାକୁ ଜାହାଜ କର୍ମଚାରୀ ଛାଡ଼ି ଚାଲି ଯାଇଥିଲେ। ଏହାକୁ ଖାଲି କରିବା ଲାଗି ଲେବାନନ କଷ୍ଟମସ ବାରମ୍ବାର ଚିଠି ଲେଖିଥିଲା। ଲେବାନନ ସେନାକୁ ଏହାକୁ ହସ୍ତାନ୍ତର କରିବାକୁ ଅନୁରୋଧ କରାଯାଇଥିଲା। ଏପରିକି ଏହାକୁ ଅନ୍ୟତ୍ର ପଠାଇ ଦେବାକୁ ମଧ୍ୟ କୁହାଯାଇଥିଲା।  କିନ୍ତୁ ଏହାକୁ କେହି ଧ୍ୟାନ ଦେଇନଥିଲେ।

ଏବେ ବିସ୍ଫୋରଣ ପରେ ତଦନ୍ତର ଆକ୍ସନର କଥା ଉଠୁଛି। ଆକ୍ସନର କଥା ଉଠୁଛି। କିନ୍ତୁ ଯେତିକି ଜୀବନ ଗଲା ସେଥିପାଇଁ କିଏ ଦାୟୀ ରହିବ। ଦେଶବ୍ୟାପୀ ଜରୁରୀ ସ୍ଥିତି ଘୋଷଣା କରାଯାଇଛି। ବିଭିନ୍ନ ଦେଶର ନାଗରିକ ଏଥିରେ ପ୍ରାଣ ହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଲେବାବନକୁ ସମସ୍ତ ସହଯୋଗ ଯୋଗାଇଦେବା ଲାଗି ବନ୍ଧୁ ଦେଶମାନେ ଆଗେଇ ଆସିଛନ୍ତି। ଯୁଦ୍ଧ ଏବଂ ଆତଙ୍କବାଦରେ ଜର୍ଜରିତ ଲେବାନନ ଏବେ ଏକ ଦୁଃଖଦ ସ୍ଥିତି ଦେଇ ଗତି କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.