ବିଜୟ ମାଲ୍ୟାଙ୍କ ଲାଗି ଆର୍ଥର ରୋଡ ଜେଲ ପ୍ରସ୍ତୁତ, ବ୍ରିଟେନ ସରକାର କହିଲେ ଶେଷ ହୋଇନି ଆଇନଗତ ପ୍ରକ୍ରିୟା

Published By : Prameya-News7 Bureau | June 04, 2020 IST

ମୁମ୍ବାଇ ୪।୬: ବ୍ୟାଙ୍କ ଋଣ ଠକେଇ ମାମଲାରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଲାଗି ମୁମ୍ବାଇ ଆର୍ଥର ରୋଡ ଜେଲର ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ। ବ୍ରିଟେନ ସରକାର ପ୍ରତ୍ୟାର୍ପଣ କଲେ ତାଙ୍କୁ ଭାରତ ଅଣାଯିବ। ଏଥିଲାଗି ୟୁକେ ସୁପ୍ରିମକୋର୍ଟଙ୍କ ଅନୁମତି ମଧ୍ୟ ମିଳିଯାଇଛି। ତେବେ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ  ହୋଇପାରିନଥିବାରୁ ମାଲ୍ୟାଙ୍କ ଭାରତ ଆସିବାରେ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।

{"id":281281,"sizeSlug":"large"}

ମାଲ୍ୟାଙ୍କୁ ଭାରତ ପ୍ରତ୍ୟାର୍ପଣ ଆବେଦନ ଉପରେ ଗତମାସ ମଝି ସପ୍ତାହରେ ସୁପ୍ରିମକୋର୍ଟଙ୍କ ମୋହର ବାଜିଥିଲା। ଏହାର ୨୮ ଦିନ ମଧ୍ୟରେ ଆଇନଗତ ପ୍ରକ୍ରିୟା ପୂରଣ କରି ତାଙ୍କୁ ଭାରତ ଆଣାଯିବା କଥା।  ଗତ ମେ ୧୪ ତାରିଖରେ ଏଥିଲାଗି ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଥିଲା। ସେହି ଦିନଠାରୁ ହିସାବ କଲେ ମାଲ୍ୟାଙ୍କୁ ଆଣିବା ଲାଗି ଭାରତ ସରକାରଙ୍କ ହାତରେ ଆଉ ମାତ୍ର ସପ୍ତାହଟିଏ ଅଛି।

{"id":281282,"sizeSlug":"large"}

ତେବେ ଭାରତ ମାଲ୍ୟାଙ୍କୁ ଆଣିବା ଲାଗି ଏପର୍ଯ୍ୟନ୍ତ ଆଇନଗତ ପ୍ରକ୍ରିୟା ଶେଷ କରିପାରିନି। ତେବେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ହୋଇଥିବାରୁ କଣ ସବୁ ପ୍ରକ୍ରିୟା ବାକି ଅଛି ତାହା ଗୋପନୀୟ ରହିଛି। ଏଥିପାଇଁ ଆଉ କେତେଦିନ ଲାଗିବ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ଗତମାସରେ ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟାଙ୍କ ଅପିଲ କୋର୍ଟରେ ଅଗ୍ରାହ୍ୟ ହୋଇଯାଇଥିଲା। ସେହିପରି ପରବର୍ତ୍ତି ଆବେଦନ ଲାଗି ମଧ୍ୟ କୋର୍ଟ ଅନୁମତି ଦେଇନଥିଲେ। ସେହି ଅନୁସାରେ ଭାରତ ଆଇଗତ ପ୍ରକ୍ରିୟା ପୂରଣ କରି ମାଲ୍ୟାଙ୍କୁ ନେଇ ଆସିବା କଥା। ତେବେ ମାଲ୍ୟାଙ୍କୁ ଭାରତ ଆଣିବା ଲାଗି ବିଦେଶ ମନ୍ତ୍ରାଳୟ ବ୍ରିଟେନ ସରକାରଙ୍କ ସହ ଯୋଗାଯୋଗରେ ଥିବା କୁହାଯାଇଛି।

{"id":281284,"sizeSlug":"large"}

ମାଲ୍ୟାଙ୍କ ଉପରେ ଭାରତର ୧୭ଟି ବ୍ୟାଙ୍କ ୯ ହଜାର କୋଟି ଟଙ୍କା ଋଣ ସୁଝି ନଥିବାର ଅଭିଯୋଗ ଆଣିଥିଲେ। ଖାସ ଏହି ବ୍ୟାଙ୍କ ଋଣ ଲାଗି ମାଲ୍ୟା ୨ ମାର୍ଚ୍ଚ ୨୦୧୬ରେ ଭାରତରୁ ଚୁପଚାପ୍ ଚାଲିଯାଇ ଆତ୍ମଗୋପନ କରିଥିଲେ। ପ୍ରାୟ ବର୍ଷକ ପରେ ସ୍କଟଲ୍ୟାଣ୍ଡ ୟାର୍ଡ ପୋଲିସ୍ ମାଲ୍ୟାଙ୍କୁ ଗିରଫ କରିଥିବା ବେଳେ କୋର୍ଟ ତାଙ୍କୁ ଜାମିନରେ ଛାଡିଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.