‘ସମସ୍ୟା ସମାଧାନ ପାଇଁ ଧୋନୀ-ଶାସ୍ତ୍ରୀ-ବିରାଟ ଏକାଠି ବସିବା ଦରକାର, ସେମାନଙ୍କ ମଧ୍ୟରେ ଏକତା ନାହିଁ’

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩/୧୧: ଟି-୨୦ ବିଶ୍ବକପ୍‌ ୨୦୨୧ରେ ଭାରତୀୟ କ୍ରିକେଟ ଟିମ୍‌ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏପରିକି ଏବେ ଟିମ୍‌କୁ ସେମିଫାଇନାଲ୍‌ ଯିବାକୁ ହେଲେ ଗାଣିତିକ ଫର୍ମୂଲା ଉପରେ ନିର୍ଭର କରିବାକୁ ପଡ଼ିଛି । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ପାଖରୁ ହାରିବା ପରେ ଟିମ୍‌ ଇଣ୍ଡିଆ ପାଇଁ ସବୁ ରାସ୍ତା ବନ୍ଦ ହୋଇସାରିଛି କହିଲେ କିଛି ଭୁଲ ହେବ ନାହିଁ । ଭାରତ ବାକି ୩ଟି ମ୍ୟାଚ୍‌ରେ ଆଫଗାନିସ୍ତାନ, ନାମ୍ବିଆ ଏବଂ ସ୍କଟଲାଣ୍ଡକୁ ଭେଟିବ। ଏବେ ଭାରତୀୟ କ୍ରିକେଟ ଟିମ୍‌ କେବଳ ୩ଟି ମ୍ୟାଚ୍‌ ଜିତିଗଲେ କାମ ଚଳିବ ନାହିଁ ବରଂ ବଡ଼ ମାର୍ଜିନରେ ବିଜୟୀ ହେବାକୁ ହେବ।

ଏହାରି ମଧ୍ୟରେ ପୂର୍ବତନ କ୍ରିକେଟରଙ୍କ ମତରେ ଟିମ୍‌ ଇଣ୍ଡିଆ ଭାଗ ଭାଗ ହୋଇଛି। ଏକାଠି ହେବା ସମୟରେ ଟିମ୍‌ ଦୁଇ ଫାଳ ହୋଇଛି। ଇଂଲଣ୍ଡର ପୂର୍ବତନ ସ୍ପିନର ମୋଣ୍ଟି ପାନେସରଙ୍କ କହିବା କଥା ହେଉଛି, ବିରାଟ କୋହଲି ବାକି ମ୍ୟାଚ୍‌ ପାଇଁ ରବି ଶାସ୍ତ୍ରୀ, ଧୋନୀଙ୍କ ସହ ବସି ଯୋଜନା କରିବା ଦରକାର। ଖୁବଶୀଘ୍ର ସେ ସମସ୍ୟାର ସମାଧାନ କରିନେବା ଆବଶ୍ୟକ। ସେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ କହିଛନ୍ତି, ‘ବିରାଟ ପାଖରେ ବର୍ତ୍ତମାନ ବେଷ୍ଟ ପ୍ଲେଇଂ ଇଲେଭେନ୍‌ ନାହିଁ । ତାଙ୍କ ଆତ୍ମବିଶ୍ବାସ କମିଯାଇଛି। ବିରାଟ, ରବି ଏବଂ ଧୋନୀଙ୍କୁ ଏକାଠି ବସିବାକୁ ପଡ଼ିବ। ଏହା ସହ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ ହେବ। ଖେଳିବା ପ୍ରଣାଳୀ ଏବଂ ରଣନୀତି ଉପରେ ସେମାନଙ୍କୁ କାମ କରିବା ପଡ଼ିବ । ଭାରତ ଏବେ ବି କ୍ବାଲିଫାଏ କରିପାରିବ। ଏବେ ବି ସ୍ଥିତି ବଦଳି ପାରିବ। ସବୁ କିଛି ଏବେ ବିରାଟ, ରବି ଏବଂ ଧୋନୀଙ୍କ ଉପରେ ନିର୍ଭର କରୁଛି। ମୋତେ ଲାଗୁଛି ସେମାନଙ୍କ ମଧ୍ୟରେ ଏକତା ନାହିଁ।’

{"id":537965,"width":704,"height":395,"sizeSlug":"full","linkDestination":"none"}

ଅନ୍ୟପଟେ ଭାରତର ପୂର୍ବତନ କ୍ରିକେଟର ମନିନ୍ଦର ସିଂହ  କହିଛନ୍ତି ଯେ ଭାରତୀୟ ଟିମ୍‌ର ପ୍ଲାନିଂ ଧ୍ବସ୍ତ ହୋଇପଡ଼ିଛି । ସେମାନେ ଭୟ ପାଇଯାଇଥିବା ମନେ ହେଉଛି। ରୋହିତ ଶର୍ମା ଟପ୍‌ ଅର୍ଡରରେ ଭଲ ରନ୍‌ କରୁଛନ୍ତି। ତାଙ୍କୁ ୩ ନମ୍ବରରେ ବ୍ୟାଟିଂ ପାଇଁ ଛଡ଼ାଗଲା। ବୋଧହୁଏ ତାଙ୍କୁ ଟ୍ରେଣ୍ଟ ବୋଲ୍ଟଙ୍କ ପାଖରୁ ସୁରକ୍ଷିତ ରଖାଯାଇଥିଲା। ଏହା ଠିକ୍‌ କଥା ନୁହେଁ ବୋଲି ମନିନ୍ଦର ସିଂହ କହିଛନ୍ତି।

ଏହା ସହ କୋହଲି ୩ ନମ୍ବର ଅର୍ଡରରେ ବହୁତ ରନ୍‌ କରିଛନ୍ତି ସେ ୪ ନମ୍ବର ସ୍ଥାନରେ ଆସିଲେ। ଟିମ୍‌ରେ ବହୁତ ଦ୍ବନ୍ଦ୍ବ ଥିବା ଲାଗୁଛି ବୋଲି ସେ କହିଛନ୍ତି। ଧୋନୀଙ୍କୁ ମେଣ୍ଟର ଏବଂ ଶାସ୍ତ୍ରୀଙ୍କ କୋଚ୍‌ ହେବାକୁ ନେଇ ଡ୍ରେସିଂ ରୁମ୍‌ରେ କିଛି ଗଡ଼ବଡ଼ ହୋଇଛି ବୋଲି ମନିନ୍ଦର ସିଂହ ଅଭିଯୋଗ ମଧ୍ୟ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.