ରାଜସ୍ୱ ବିଭାଗ ଓ ପୋଲିସ ବିଭାଗ ମଧ୍ୟରେ ରହୁନି ତାଳମେଳ, ବଢି ଚାଲିଛି ଚୋରି ଓ ଲୁଟ୍, ପ୍ରଶାସନ ହରାଉଛି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ

Published By : Prameya-News7 Bureau | November 09, 2020 IST

ନୀଳଗିରି,୯/୧୧: ନୀଳଗିରି ତହସିଲ ଅଧିନ ବହୁ ସ୍ଥାନରେ ଏବେ ପଥର, ମୋରମ,ବାଲି ଓ ମାଟି ଚୋରି ବୃଦ୍ଧି ହୋଇଛି। ରାଜସ୍ୱ ବିଭାଗ ଓ ପୋଲିସ ମଧ୍ୟରେ ସମନ୍ୱୟ ଅଭାବ ପାଇଁ ଦିନକୁ ଦିନ ଚୋରି ବୃଦ୍ଧିର କାରଣ ବୋଲି ଅଭିଯୋଗ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଥିବା ବେଳେ ଆଜି ପୋଲିସ ୩ ଟି ବେଆଇନ ପଥର ଗାଡି ଅଟକ ରଖିବା ସହ ତହସିଲଦାର ମଧ୍ୟ ଦୁଇଟି ଗାଡି ଜବତ କରିଥିବା ଜଣା ପଡ଼ିଛି।

ସୂଚନାରୁ ପ୍ରକାଶ ନୀଳଗିରି ତହସିଲ ଅଧିନ ସୋନ ନଦୀରେ ଦିନରାତି ବାଲି ଚୋରି ବୃଦ୍ଧି ହୋଇଛି। ସେହିପରି ପୋଡ଼ାଶୂଳ, ଜଡ଼ିବାଲି, ଅଯୋଧ୍ୟା, ବରମପୁର, ଗୋହିରା, ମାଟିଆଳି, ନରଣପୁର, ମିତ୍ରପୁର, ବେଗୁନିଆ ଅଂଚଳରୁ ଦୈନନ୍ଦିନ ଲକ୍ଷାଧିକ ଟଙ୍କାର ମୋରମ ଚୋରିହେଉଥିବା ଜଣାପଡିଛି। ସେହିପରି ପଥର ମଧ୍ୟ ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ନିକଟ ରେ ଚୋରି ହେଉଥିବା ଜଣାପଡିଛି। ମିତ୍ରପୁର, କେପିମାହାଲ ଅଞ୍ଚଳରୁ ବିପୁଳ ସଂଖ୍ୟାରେ ମାଟି ବାହାରକୁ ଚାଲାଣ ହେଉଛି।

ସେହିପରି ବାଗୁଡି ଅଂଚଳରୁ ବିନା ପରମିଟରେ ପଥର ଆଣି ବିଭିନ୍ନ ଅଞ୍ଚଳରେ ଗଚ୍ଛିତ କରି ମେଟାଲ ପିଟାଯାଇ ଏହାକୁ ମଧ୍ୟ ବାହାରକୁ ଚାଲାଣ ହେଉଛି। ରାଜସ୍ୱ ବିଭାଗ ପୋଲିସ ସହଯୋଗ କରୁନଥିବାରୁ ଚଢ଼ାଉ କରାଯାଇପାରୁନଥିବା କହିଆସୁଛି। ସେହିପରି ପୋଲିସ ମଧ୍ୟ ଆବଶ୍ୟକ କର୍ମଚାରୀ ନଥିବା କହି ଆସୁଛି।ଏହାର ଭରପୁର ଫାଇଦା ନେବାରେ ବ୍ୟସ୍ତ ଅଛନ୍ତି ମାଫିଆ ମାନେ। ଦିନରାତ୍ରୀ ଏକ କରି ରାଜସ୍ୱ ଲୁଟପାଇଁ ସମସ୍ତ ଶକ୍ତି ଲଗାଇଦେଇଛନ୍ତି।

ଦିନକ ତଳେ ବେଆଇନ ବାଲି ବୋଝେଇ କରିବା ଅଭିଯୋଗରେ ଖସାପଡ଼ିଆ ଅଂଚଳର ଏକ ଟ୍ରାକ୍ଟର କୁ ୧୫ ହଜାର ୨୦୦ ଟଙ୍କା ଜୋରିମାନା କରିଛି ରାଜସ୍ୱ ବିଭାଗ। ସେହିପରି ଗତକାଲି ରାତ୍ରରେ ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ରାତ୍ରି ପେଟ୍ରୋଲିଂ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନୋଟି ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ କରି ଥାନାରେ ରଖାଯାଇଛି।

ଆଜି ତହସିଲଦାର ଅଶେଷ କୁମାର ନାୟକ ମିତ୍ରପୁର ଅଂଚଳରୁ ଗୋଟିଏ ବେଆଇନ ମାଟି ବୋଝେଇ ଡ଼ମ୍ଫର ଜବତ କରିବା ସହ ଧୋବଶିଳା ଅଂଚଳରୁ ଗୋଟିଏ ଚିଫସ ଗାଡି ଜବତ କରିଛନ୍ତି।ପୋଲିସ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଯୋଜନା କରି  ସ୍କ୍ୱାଡ ଗଠନ କରି ଚଢ଼ାଉ ଜାରି ରଖିଲେ ଅଂଚଳରୁ ଚୋରି ରୋକିହେବା ସହ ରାଜସ୍ୱ ବଞ୍ଚାଇବାରେ ସମର୍ଥ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.