ଚାଷୀ ଆନ୍ଦୋଳନର କୌଣସି ଆଧାର ନାହିଁ, ଏହା ପଛରେ ରହିଛି ଦେଶ ବିରୋଧୀ ଲୋକଙ୍କ ହାତ: ସୁରେଶ ପୁଜାରୀ

Published By : Prameya-News7 Bureau | December 14, 2020 IST

ଝାରସୁଗୁଡା ୧୪।୧୨: ଚାଷୀ ଆନ୍ଦୋଳନ ସମାଧାନର ବାଟ କାଢିବାରେ ଫେଲ୍ ହେଲେ ସରକାର | ଚାଷୀ ସଂଗଠନ ସହ ବାରମ୍ବାର ଆଲୋଚନା ବିଫଳ ହେଲା | କୃଷି ଆଇନରେ ସଂଶୋଧନ କରିବା ପାଇଁ ସରକାର ପ୍ରସ୍ତୁତ କରିଥିବା ଚିଠା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଲେ ଚାଷୀ | ଏଭଳି ସ୍ଥିତିରେ ଚାଷୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଚାଷୀ ଆନ୍ଦୋଳନକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛି ବିଜେପି |

କୃଷି ଆଇନ ଚାଷୀଙ୍କ ହିତ ପାଇଁ କରାଯାଇଛି ଏବଂ ଏହି ଆଇନ ସଂପର୍କରେ ଚାଷୀଙ୍କୁ ବୁଝାଇବା ପାଇଁ ଦଳ ୭୦୦ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଘୋଷଣା କରିବା ପରେ ଆଜି ଝାରସୁଗୁଡାରେ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଚାଷୀ ଆନ୍ଦୋଳନର କୌଣସି ଆଧାର ନାହିଁ ଏବଂ ଏହି ଆନ୍ଦୋଳନ ପଛରେ ଦେଶବିରୋଧୀ ଲୋକଙ୍କ ହାତ ରହିଛି | ଆନ୍ଦୋଳନ କରୁଥିବା ଚାଷୀ ପ୍ରକୃତ ଚାଷୀ ନୁହଁନ୍ତି ବୋଲି କହିଛନ୍ତି |ଏଥିସହ ଚାଷୀଙ୍କ ମଙ୍ଗଳ ପାଇଁ ମୋଦୀ ସରକାର ତତ୍ପରତା ପ୍ରକାଶ କରୁଥିବା ବେଳେ ଚାଷୀଙ୍କ ମନରେ ଭ୍ରମ ସୃଷ୍ଟି ପାଇଁ ବିରୋଧୀ ଦଳ ପକ୍ଷରୁ ଉଦ୍ୟମ ହେଉଥିବା କହିଛନ୍ତି |

ଏଥିସହ ରାଜ୍ୟରେ ପ୍ରତିଦିନ ଶିଶୁକନ୍ୟାଙ୍କ ନିଖୋଜ ଘଟଣା ସାମାନାକୁ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ବିଫଳତାକୁ ଦାୟୀ କରି ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ରାଜ୍ୟ ସରକାର ସିବିଆଇ ତଦନ୍ତ ଦାବୀକୁ କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ |ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ,ବରିଷ୍ଠ ନେତା ଫିଣେଶ ଜୈନ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.