କ୍ୟାବିନେଟ୍‌ ଅଦଳବଦଳ ନେଇ ତୀବ୍ର ଅସନ୍ତୋଷ, ମନ୍ତ୍ରୀପଦରୁ ବିଦାହେବେ ବହୁ ହେଭିଓ୍ବେଟ ! ବିଜୟ ରୂପାଣୀଙ୍କ ଘରେ ଅସନ୍ତୁଷ୍ଟ ବିଧାୟକ

Published By : Prameya-News7 Bureau | September 15, 2021 IST

ଅହମଦାବାଦ ୧୫/୦୯ : ଗୁଜୁରାଟ ବିଜେପିରେ ବିବାଦ ଥମିବାର ନା ନେଉନାହିଁ । ଜଣେ ପରେ ଜଣେ ନେତା ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ହେଭିଓ୍ବେଟ୍‌ଙ୍କୁ ଭେଟିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀ ଇସ୍ତଫା ଦେବା ପରେ ଗୁଜୁରାଟ ରାଜନୀତିରେ ଭଟ୍ଟା ପଡିନଥିବା ଚର୍ଚ୍ଚା ହେଉଛି । ରୂପାଣୀଙ୍କ ଇସ୍ତଫା ପରେ ଦଳ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇଛନ୍ତି । ଏହା ସହିତ କ୍ୟାବିନେଟ୍‌ରେ ମଧ୍ୟ ବ୍ୟାପକ ଅଦଳବଦଳ ହୋଇଛି ।

ତେବେ କ୍ୟାବିନେଟ୍‌ ଅଦଳବଦଳକୁ ନେଇ ନେତାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବୁଧବାର ସନ୍ଧ୍ୟାରେ ତାଙ୍କର ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେଇପାରନ୍ତି । ଏହା ପୂର୍ବରୁ କିନ୍ତୁ କ୍ୟାବିନେଟ୍‌ରେ ନୂଆ ଚେହେରାଙ୍କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । କାରଣ ବର୍ତ୍ତମାନ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ପ୍ରାୟ ୯୦ ପ୍ରତିଶତଙ୍କୁ ହଟାଯାଇ ନୂଆ ମୁହଁଙ୍କୁ ମନ୍ତ୍ରୀପଦ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମାତ୍ର ଜଣେ କିମ୍ବା ୨ ଜଣଙ୍କୁ ଦ୍ବିତୀୟ ଥର ପାଇଁ ମନ୍ତ୍ରୀମଣ୍ଡଳ​‌ରେ ସାମିଲ କରାଯାଇପାରେ ।  

ଏହାରି ମଧ୍ୟରେ ସୂଚନା ମିଳିଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ବାସଭବନରେ ଅନେକ ବିଜେପି ନେତା ପହଞ୍ଚିଥିବା ଜଣାପଡିଛି । ଗୁଜୁରାଟ ବିଜେପି ହେଭିଓ୍ବେଟ୍‌ କୁହାଯାଉଥିବା ଇଶ୍ବର ପରମାର, ବଚ୍ଚୁ ଖାବଡ୍‌, ବାସଣ ଆହୀର, ଯୋଗେଶ ପଟେଲ ପ୍ରମୁଖ ବିଜୟ ରୁପାଣୀଙ୍କ ବାସଭବନରେ ପହଞ୍ଚିଥିବା ସୂଚନାର ମିଳିଛି । ସେଠାରେ ବୈଠକ ଜାରି ରହିଛି । ଶୁଣିବାକୁ ମିଳୁଛି ମନ୍ତ୍ରୀପଦ ନମିଳିବାକୁ ଥିବା ନେତାମାନେ ରୂପାଣୀଙ୍କୁ ଭେଟିଛନ୍ତି ।

ନୂଆ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ ନିଜ ମନ୍ତ୍ରୀମଣ୍ଡଳରେ ୨୧ ରୁ ୨୨ ଜଣ ମନ୍ତ୍ରୀଙ୍କୁ ସ୍ଥାନ ଦେବାକୁ ଚାହୁଁଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ଯେଉଁମାନଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଆଭାସ ମିଳୁନି ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ମନ୍ତ୍ରୀ ମଣ୍ଡଳରେ ନୂଆ ଚେହେରା ଏବଂ ବିଶେଷ କରି ମହିଳାଙ୍କୁ ଅଧିକ ସ୍ଥାନ ଦେବାକୁ ଯୋଜନା ଚାଲିଛି ।

ସବୁଠାରୁ ବଡ କଥା ହେଉଛି ରୂପାଣୀଙ୍କ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିବା ନେତାମାନଙ୍କ ପଦବୀ ଯାଇପାରେ । ବିଶେଷ କରି ଉପ ମୁଖ୍ୟମନ୍ତ୍ରୀ ନିତିନ୍‌ ପଟେଲ, ଭୂପେନ୍ଦ୍ର ସିଂହ ଚୁଡାସ୍ମା, ଆରସୀ ଫାଲଦୁ ଏବଂ କୌଶିକ ପଟେଲଙ୍କ ଭବିଷ୍ୟତକୁ ନେଇ ଏବେଠାରୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ରୂପାଣିଙ୍କ କ୍ୟାବିନେଟ୍‌ରେ ନିତିନ୍‌ ପଟେଲ ଉପମୁଖ୍ୟମନ୍ତ୍ରୀ ସହ ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗ ଦାୟିତ୍ବରେ ଥିଲେ । ସେହିଭଳି ଭୂପେନ୍ଦ୍ର ସିଂହ ଚୁଡାସ୍ମା ଶିକ୍ଷା ମନ୍ତ୍ରୀ, ଆର୍‌ସି ଫାଲଦୁ ଶିକ୍ଷା ମନ୍ତ୍ରୀ ଏବଂ କୌଶିକ ପଟେଲ ରାଜସ୍ବ ମନ୍ତ୍ରୀ ଥିଲେ । ତେବେ ଭୂପେଶ ପଟେଲଙ୍କ କ୍ୟାବିନେଟ୍‌ରେ ଏମାନଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା ହେଉଛି । ଏମାନେ ସମସ୍ତେ ଗୁଜୁରାଟ ବିଜେପିର ପୁରୁଣା ଚେହେରା । ତେଣୁ ଭୂପେଶ ପଟେଲଙ୍କ କ୍ୟାବିନେଟ୍‌ରେ କେଉଁମାନେ ସାମଇଳ ହେବାକୁ ଯାଉଛନ୍ତି ତାହା ଉପରେ ନଜର ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.