ଦେଶର ୧୦ଟି ନଦୀରେ ପ୍ରତିବର୍ଷ ଆସିଥାଏ ବନ୍ୟା, ବିତ୍ପାତରେ ଶହ ଶହ କୋଟି ଟଙ୍କା କ୍ଷତି ସହ ଅନେକ ଜୀବନହାନି
22/07/2020 at 3:01 PM

ନୂଆଦିଲ୍ଲୀ ୨୨/୭: ଦେଶରେ ଗୋଟିଏ ପଟେ କରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ ଅନ୍ୟ ପଟେ ବନ୍ୟା ବିଭୀଷିକା ସାଧାରଣ ଲୋକଙ୍କ ସମସ୍ୟା ବଢ଼ାଇଛି। ଆସାମ,ବିହାର ସମେତ ଦେଶର ଏକ ଡର୍ଜନରୁ ଅଧିକ ରାଜ୍ୟ ବନ୍ୟାଘେରରେ ରହିଛି। ଚୀନରୁ ଆସୁଥିବା ବ୍ରହ୍ମପୁତ୍ର ନଦୀ ଆସାମରେ,ନେପାଳରୁ ଆସୁଥିବା କୋସି-ଗଣ୍ଡକ ଭଳି ନଦୀ ବିହାରରେ ଭୀଷଣ ତାଣ୍ଡବ ସୃଷ୍ଟି କରିଛି। ଲକ୍ଷ ଲକ୍ଷ ଲୋକେ ବାସହରା ହୋଇଯାଇଛନ୍ତି। ହଜାର ହଜାର ଲୋକ ଜୀବନ ହାରିଛନ୍ତି ଏବଂ ଚାଷଜମି ମଧ୍ୟ ଉଜୁଡ଼ି ଯାଇଛି।
ଉତ୍ତରାଖଣ୍ଡ-ହିମାଚଳ ଏବଂ ପୂର୍ବୋତ୍ତରର କେତେକ ରାଜ୍ୟରେ ଭୂ-ସ୍ଖଳନ ଏବଂ ବାଦଲ ଫାଟିବା ଘଟଣାରେ ମଧ୍ୟ ଲୋକଙ୍କର ଅନେକ କ୍ଷତି ହୋଇଛି। ବନ୍ୟା ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍ ବିହାର,ଆସାମ ବ୍ୟତୀତ ଗୁଜୁରାଟ,ମହାରାଷ୍ଟ୍ର,ଉତ୍ତରପ୍ରଦେଶ,ପଶ୍ଚିମ ବଙ୍ଗ,କର୍ଣ୍ଣାଟକ,କେରଳ,ପଞ୍ଜାବ,ଉତ୍ତରାଖଣ୍ଡ,ଛତିଶଗଡ଼,ହିମାଚଳ,ଝାଡ଼ଖଣ୍ଡ,ମଣିପୁର,ରାଜସ୍ଥାନ,ସିକ୍କିମ୍,ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶରେ ନିଯୁକ୍ତ ହୋଇଛନ୍ତି।
ଯେଉଁ ନଦୀଗୁଡ଼ିକ ନିଜ ଆଖପାଖର ଅଞ୍ଚଳରେ ଖୁସିର କାରଣ ହୋଇଥାଏ ତାହା ହିଁ ନିଜ ଆଖପାଖର ଅଞ୍ଚଳରେ ବିପତ୍ତିର କାରଣ ହୋଇଥାଏ।
୧.ବ୍ରହ୍ମପୁତ୍ର ନଦୀ : ଚୀନରୁ ବାହାରିଥିବା ବ୍ରହ୍ମପୁତ୍ର ନଦୀ ବିଶ୍ବର ନବମ ସବୁଠୁ ଅଧିକ ଲମ୍ବା ନଦୀ। ଆସାମ ନୁହେଁ,ବ୍ରହ୍ମପୁତ୍ରର ତାଣ୍ଡବ ଅରୁଣାଚଳ ପ୍ରଦେଶ ଏବଂ ବାଙ୍ଗଲାଦେଶର କେତେକ ଅଞ୍ଚଳରେ ମଧ୍ୟ ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର ନଦୀ ପ୍ରତିବର୍ଷ ଆସାମରେ ବିପତ୍ତିର କାରଣ ହୋଇଥାଏ। ଏବର୍ଷ ମଧ୍ୟ ଆସାମରେ ବ୍ରହ୍ମପୁତ୍ରର ପାଣି ବନ୍ୟା ରଚିଛି। ଆସାମର ୩୩ରୁ ୨୬ଟି ଜିଲ୍ଲା ବନ୍ୟାଘେରରେ ରହିଛି। ୪୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ଲୋକ ୩୦୦ଟି ଆଶ୍ରୟକେନ୍ଦ୍ରରେ ଶରଣ ନେଇଛନ୍ତି। ରାସ୍ତ-ଘର ସବୁ ଧ୍ବଂସ ହୋଇଯାଇଛି। ଖାସ୍ କରି ଧେମୋଜୀ,ଜୋରହାଟ,ମଜୁଳୀ,ଶିବସାଗର ଏବଂ ଡିବ୍ରୃଗଡ଼ ଜିଲ୍ଲାରେ ବନ୍ୟା ଅବସ୍ଥା ଗୁରୁତର ରହିଛି।
୨.କୋସି ନଦୀ: କୋସି ନଦୀକୁ ବିହାରର ଅଭିଶାପ ଏପରି କୁହାଯାଇନଥାଏ। ପ୍ରତିବର୍ଷ କୋସି ନଦୀ ଲାଗିଥିବା ଯୋଗୁଁ ଅନେକ ଜିଲ୍ଲାରେ ଭୀଷଣ ବନ୍ୟା ଆସିଥାଏ ଏବଂ ସବୁ କିଛି ବୋହି ନେଇ ଯାଇଥାଏ। ଏଥର ମଧ୍ୟ କୋସି ନଦୀରେ ହୋଇଥିବା ମୁଖ୍ୟ ତଟବନ୍ଧ ସୁପୌଲର ଅନେକ ସ୍ଥାନରେ ଭାଙ୍ଗିଯାଇଛି।
୩.ଗଣ୍ଡକ ନଦୀ: ନେପାଳରୁ ଆସିଥିବା ଗଣ୍ଡକ ଏବଂ ବୁଢ଼ୀ ଗଣ୍ଡକ ଆଦି ପ୍ରମୁଖ ନଦୀ। ଏହି ନଦୀ ଯୋଗୁଁ ବିହାରର ୬ଟି ଜିଲ୍ଲାରେ ବନ୍ୟା ଅବସ୍ଥା ଦେଖା ଦେଇଛି। ପଶ୍ଚିମ ଚମ୍ପାରଣ,ପୂର୍ବ ଚମ୍ପାରଣ,ଗୋପାଳଗଞ୍ଜ,ମୁଜାଫରପୁର,ବୈଶାଳୀ ଏବଂ ସାରଣ ଜିଲ୍ଲାର କେତେକ ଅଞ୍ଚଳ ବନ୍ୟାଘେରରେ ରହିଛି।
୪.ବାଗମତୀ ନଦୀ: ନେପାଳରୁ ବାହାରିଥିବା ବାଗମତୀ ନଦୀ ଉତ୍ତର ବିହାରର କେତେକ ଜିଲ୍ଲାରେ ତାଣ୍ଡବ ମଚାଇଛି। ସୀତାମଢ଼ୀ,ମୁଜାଫରପୁର,ଦରଭଙ୍ଗା,ମଧୁବନି ଜିଲ୍ଲାର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ବିହାରରେ ଏହି ନଦୀର ଲମ୍ବ ୩୯୪କିଲୋମିଟର। ଏହାର ଶାଖା ନଦୀ ହେଉଛି- ବିଷ୍ଣୁମତି,ଲଖନଦେଈ,ଲାଲ ବକେୟା,ଚକନାହା,ଜମୁନେ,ସିପରୀଧାର,ଛୋଟି ବାଗମତୀ ଏବଂ କୋଲା ନଦୀ।
୫.ଗୋମତୀ ନଦୀ : ଗୋମତୀ ଉତ୍ତରପ୍ରଦେଶରେ ବୋହୁଥିବା ଏକ ପ୍ରମୁଖ ନଦୀ। ଏହାର ଉଦଗମ ପିଲିଭୀତ ଜିଲ୍ଲାର ତହସିଲ ମାଧୌଟାଣ୍ଡା ପାଖରେ ଫୁଲହର ହ୍ରଦରୁ ହୋଇଥାଏ। ପ୍ରବଳ ବର୍ଷା ଯୋଗୁଁ ଗୋମତୀ ସମେତ କେତେକ ନଦୀରେ ପାଣି ଭରି ଯାଇଛି।
୬. ନର୍ମଦା : ନର୍ମଦା ନଦୀରେ ପ୍ରବଳ ପାଣି ଯୋଗୁଁ ମଧ୍ୟପ୍ରଦେଶ ଏବଂ ଗୁଜୁରାଟର କେତେକ ଅଞ୍ଚଳରେ ପ୍ରତି ବର୍ଷ ବନ୍ୟା ହୋଇଥାଏ। ଏହା ଗୋଦାବରୀ ନଦୀ ଏବଂ କୃଷ୍ଣା ନଦୀ ପରେ ଭାରତରେ ବୋହୁଥିବା ତୃତୀୟ ସବୁଠୁ ଲମ୍ବା ନଦୀ। ମଧ୍ୟପ୍ରଦେଶରେ ଏହାର ବିଶାଳ ଯୋଗଦାନ କାରଣରୁ ଏହାକୁ ମଧ୍ୟପ୍ରଦେଶର ଜୀବନ ରେଖା ମଧ୍ୟ କୁହାଯାଇଥାଏ।
୭.ଗୋଦାବରୀ : ଗୋଦାବରୀ ନଦୀ ମହାରାଷ୍ଟ୍ର,ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ବୋହି ରାଜମୁନ୍ଦ୍ରି ସହର ନିକଟରେ ବଙ୍ଗୋପସାଗରରେ ମିଶିଥାଏ। ଏହାର ଉପନଦୀରେ ପ୍ରମୁଖ ହେଉଛି ପ୍ରାଣହିତା,ଇନ୍ଦ୍ରାବତୀ,ମଞ୍ଜିରା। ଗତ ବର୍ଷ ଗୋଦାବରୀ ନଦୀରେ ଆସିଥିବା ବନ୍ୟାରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲା ଏବଂ ମହାରାଷ୍ଟ୍ରର ନାସିକର କେତେକ ଅଞ୍ଚଳକୁ ବୁଡ଼ାଇ ଦେଇଥିଲା।
୮.ଦାମୋଦର : ଦାମୋଦର ନଦୀ ପଶ୍ଚିମ ବଙ୍ଗ ଏବଂ ଝାଡ଼ଖଣ୍ଡରେ ବୋହୁଥିବା ଏକ ମୁଖ୍ୟ ନଦୀ। ଏହି ନଦୀ ଛୋଟନାଗପୁରର ପାହାଡ଼ରୁ ୬୧୦ମିଟର ଉଚ୍ଚରୁ ବାହାରିଥାଏ,ଯାହା ପାଖାପାଖି ୨୯୦କିମିର ଯାତ୍ରା ଝାଡ଼ଖଣ୍ଡରେ କରିଥାଏ। ଏହା ପରେ ପଶ୍ଚିମ ବଙ୍ଗରେ ପ୍ରବେଶ କରି ୨୪୦କିମି ଯାତ୍ରା କରିଥାଏ। ହୁଗୁଳି ନଦୀ ସମୁଦ୍ରରେ ଖସିବାର ପୂର୍ବରୁ ଏହା ସେଥିରେ ମିଶିଥାଏ। ଝାଡ଼ଖଣ୍ଡରେ ଏବେ ଦାମୋଦର ପାଣି ଫୁଲିଛି। ଜୁଲାଇରେ ନଦୀର ଜଳସ୍ତର ୫ବର୍ଷର ରେକର୍ଡ଼ ଭାଙ୍ଗିଛି।
୯. ଗଙ୍ଗା : ଉତ୍ତର ଭାରତର ଜୀବନରେଖା କୁହାଯାଉଥିବା ଗଙ୍ଗା ନଦୀର ପାଣି ଏବେ ତ ସ୍ଥିର ରହିଛି କିନ୍ତୁ କେତେକ ସ୍ଥାନରେ ବର୍ଦ୍ଧିତ ଜଳସ୍ତର ଚିନ୍ତା ବଢ଼ାଉଛି। ଗଙ୍ଗା ଭାରତର ଜାତୀୟ ନଦୀ। ଏହା ଭାରତ ଏବଂ ବାଙ୍ଗଲାଦେଶରେ ସବୁ ମିଶାଇ ୨୫୨୫କିଲୋମିଟର ଦୂରତାରେ ରହିଥାଏ।
୧୦. କାବେରୀ : କାବେରୀ କର୍ଣ୍ଣାଟକ ତଥା ଉତ୍ତର ତାମିଲନାଡ଼ୁରେ ବୋହୁଥିବା ନଦୀ। ଏହା ପଶ୍ଚିମଘାଟ ପର୍ବତ ବ୍ରହ୍ମଗିରିରୁ ବାହାରିଛି। ଏହାର ଲମ୍ବ ପ୍ରାୟ ୮୦୦କିଲୋମିଟର। ଦକ୍ଷିଣ ପୂର୍ବରେ ପ୍ରବାହିତ ହୋଇ କାବେରୀ ନଦୀ ବଙ୍ଗୋପସାଗରରେ ମିଶିଥାଏ। ସିମସା,ହିମାବତୀ,ଭବାନୀ ଏହାର ଉପନଦୀ। ଗତ ବର୍ଷ କାବେରୀର ଜଳସ୍ତର ବଢ଼ିବା ଦ୍ବାରା କୋଡ଼ଗୁ,ମୈସୁରୁ,ମଣ୍ଡ୍ୟା ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିଲା।