ଆଠଗଡର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ, ସୁରକ୍ଷା ପ୍ରତି ପ୍ରଶାସନର ନିଘା ନାହିଁ
6/03/2021 at 9:32 PM

ଆଠଗଡ ୦୬/୦୩ : ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରଭାବ ପଡ଼ିଥିବା ବେଳେ ଚିନ୍ତା ବଢ଼ାଉଛି ଜଙ୍ଗଲ ନିଆଁ । ଗତ କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ହୁହୁ ହୋଇ ଜଳୁଥିବାବେଳେ ଏହାର ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ଼ ବନଖଣ୍ଡ ରେ । କିଛି ଦିନ ଧରି ଆଠଗଡ଼ ବନଖଣ୍ଡ ରେ ବିଭିନ୍ନ ଜଙ୍ଗଲ ଜଳୁଥିବା ବେଳେ ଶନିବାର ମେଘା, ତୋଟାପଡା, ଡାଳଭାଗ, ବଉଦପୁର, ଗୌରାଙ୍ଗପୁର, ଜେନାପୁର, ଖରଖରା ଓ ବଡ଼ମ୍ବା ବନାଞ୍ଚଳର କିଛି ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ସହିତ ବନବିଭାଗ କର୍ମଚାରୀ ମାନେ ମଧ୍ୟ ନିୟୋଜିତ ରହିଛନ୍ତି । ନିଆଁକୁ ଏପର୍ଯ୍ୟନ୍ତ ଆୟତ କରାଯାଇ ପାରିନାହିଁ ।

ଏଠି ପ୍ରଶ୍ନ ଉଠିଛି ଗ୍ରୀଷ୍ମ ଋତୁ ଆଗରୁ କାହିଁକି ଆଗୁଆ ପଦକ୍ଷେପ ନିଆଗଲା ନାହିଁ ? ବନ୍ୟ ଜୀବଜନ୍ତୁମାନଙ୍କୁ ସୁରକ୍ଷା ଓ ଜଙ୍ଗଲର ମୂଲ୍ୟବାନ ବୃକ୍ଷ ସବୁକୁ ସୁରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବତନ୍ତ୍ର ଗାଡ଼ି ନିୟୋଜିତ କରିବା ସହ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ଉପକରଣ ମାନ ଯୋଗାଇ ଦେଉଥିଲେ ମଧ୍ୟ ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କର ମନମୂଖୀ କାରଣରୁ ଏହିଭଳି ଅଘଟଣ ଘଟୁଛି ବୋଲି ବନ୍ୟପ୍ରେମୀ ମାନେ ଅଭିଯୋଗ ଆଣିଛନ୍ତି ।