ମାନବିକତାର ପରିଚୟ ଦେଖାଇଲେ ଜିଲ୍ଲା ପରିଷଦ ସଦସ୍ୟ, ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ରଖିଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | March 02, 2021 IST

ସାଲେପୁର ୦୨।୦୩:  ମାନବିକତାର ପରିଚୟ ଦେଲେ ଜିଲ୍ଲା ପରିଷଦ ସଦସ୍ୟ। ରାସ୍ତା କଡରେ ଟାଣ ଖରାରେ ଅଚେତ ହୋଇ ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ। ଏପରିକି ବ୍ୟକ୍ତିଙ୍କ ଲକ୍ଷାଧିକ ଟଙ୍କା ମଧ୍ୟ ସୁରକ୍ଷିତ ରଖିଲେ। ଏମିତି ଘଟଣା ଘଟିଛି କଟକ ସଦର ବ୍ଲକ କିଶନ ନଗର ଥାନା ଅନ୍ତର୍ଗତ କଟକ ପାରାଦ୍ୱୀପ ରୋଡ଼ର ପାରାବିଲି ଅଞ୍ଚଳରେ।   

ସୂଚନା ଅନୁଯାୟୀ,  ଆଜି  କଟକ ସଦର ବ୍ଲକ କିଶନ ନଗର ଥାନା ଅନ୍ତର୍ଗତ କଟକ ପାରାଦ୍ୱୀପ ରୋଡ଼ର ପାରାବିଲି ଠାରେ ପାରାଦ୍ୱୀପ ପଟୁ ବାଇକରେ ଆସୁଥିବା ଜଣେ ବ୍ୟକ୍ତି  ଏକ ନିର୍ଜନ ସ୍ଥାନରେ ବେହୋସ୍ ହୋଇ ପଡି ଯାଇଥିଲେ। ସେହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ କଟକରୁ ଘରକୁ ଫେରୁଥିବା ବେଳେ ବ୍ୟକ୍ତିଙ୍କୁ ମୁର୍ମୁଷ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ସେ  ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ତାଙ୍କ ପାଖରେ ଥିବା   ୮ଲକ୍ଷ ୮୮ହଜାର ଟଙ୍କାକୁ ନିଜ ପାଖରେ ସୁରକ୍ଷିତ ରଖିଥିଲେ।

ହୋସ୍ ଆସିବା ପରେ ବ୍ୟକ୍ତି ଜଣକ ନିଜ ପରିଚୟ ଦେଇଥିଲେ। ବ୍ୟକ୍ତି ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁରୁ ଗ୍ରାମର ଗୋପୀନାଥ ସାହୁ।  ଏହା ପରେ ଜିଲ୍ଲା ପରିଷଦ ସଦସ୍ୟ ବିଳାସ ମଲ୍ଲିକ ବ୍ୟକ୍ତିଙ୍କ ଘରକୁ ଖବର ଦେବା ସହ କିଶନ ନଗର ଥାନାକୁ ଜଣାଇଥିଲେ। ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଗୋପୀନାଥଙ୍କ ସ୍ତ୍ରୀ ଏବଂ ପୁତୁରା ପହଞ୍ଚି ଥିଲେ। କିଶନ ନଗର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଉପସ୍ଥିତରେ ବିଳାସ ପାଇଥିବା ୮ଲକ୍ଷ ୮୮ହଜାର ଟଙ୍କା ଗୋପୀନାଥ ବାବୁଙ୍କ ସ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.