୮୩ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୫ ଲକ୍ଷ ଠକି ନେଲା ଯୁବକ, ବ୍ଲାକ୍‌ମେଲ୍‌ କରି ଥରକୁ ଥର ମାଗୁଥିଲା ଟଙ୍କା

Published By : Prameya-News7 Bureau | September 28, 2021 IST

ଝାରସୁଗୁଡା, ୨୮/୦୯: ଠକଙ୍କ ଜାଲରୁ ବି ମୁକୁଳିଲେନି ୮୩ ବର୍ଷୀୟ ବୃଦ୍ଧ । ଶ୍ରୀପୁରା ଗାଁର ୮୩ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଜଣେ ଯୁବକ ୧୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହି ଯୁବକ ଭିନ୍ନ ତରିକାରେ ବ୍ଲାକମେଲ ମଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି । ବଡମାଲ ପୋଲିସ ଏହି ଯୁବକକୁ ଧରିଥିବା ବେଳେ ତା ନିକଟରୁ ୪ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି । ବାକି ଟଙ୍କା ଜବତ କରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।

ସରଳତାର ସୁଯୋଗ ନେଇ ଏହି ଅବସରପ୍ରାପ୍ତ ଶିକ୍ଷକଙ୍କୁ ବ୍ଲାକମେଲ କରି ଅପାଠୁଆ ଯୁବକ ଏତେ ଗୁଡ଼ିଏ ଟଙ୍କା ଠକି ନେଇଛି । ୨୩ ଦିନ ମଧ୍ୟରେ ୧୫ ଲକ୍ଷ ଟଙ୍କା ନେଇଯିବା ପରେ ତାର ମନ ଭରି ନଥିଲା । ଆଉ ଅଧିକ ଟଙ୍କା ଦାବି କରିବା ସମୟରେ ଟଙ୍କା ନ ଥିବା କରଣରୁ ଅକଳରେ ପଡି ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ଦିକ୍ଷୀତ ନିଜ ପୁଅ ଓ ନାତିକୁ ଜଣାଇବା ପରେ ମାମଲା ସାମ୍ନାକୁ ଆସିଲା ।

ଗତ ୪ ତାରିଖର ଘଟଣା, ଶ୍ରୀପୁରା ଗ୍ରାମର ଜଣେ ଯୁବକ ଲଖୀନ୍ଦ୍ର ପୋଢ ଏକ କଳା ରଙ୍ଗର ବ୍ୟାଗ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଛାଡ଼ି ତା ପରଦିନ ବ୍ୟାଗକୁ ନେବାପାଇଁ କହି ପଳାଇଥିଲା । ନିଜ କଥା ଅନୁସାରେ ତହିଁ ପରଦିନ ଆସି ବ୍ୟାଗକୁ ନେଇ ପରେ ପୋଲିସ ସେହି ବ୍ୟାଗରେ କଳାଟଙ୍କା ଥିବାରୁ ଜବତ କଲା କହି ଆରମ୍ଭ କରିଥିଲା ବ୍ଲାକମେଲ । ଅବସର ପରେ ଶ୍ରୀପୁରା ଗାଁରେ ଏକୁଟିଆ ରହୁଥିବା ପ୍ରସନ୍ନ ଦିକ୍ଷୀତ ଅନେକ ସମୟରେ ଲଖୀନ୍ଦ୍ରର ସହାୟତା ନେଉଥିବାରୁ ତା କଥାରେ ଭଳି ଥରକୁ ଥର ଦେଇ ଚାଲିଲେ ଟଙ୍କା । ଏହିପରି ୧୫ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଖାତାରୁ ଚାଲିଯିବା ପରେ ବ୍ୟାଙ୍କ କତୃପକ୍ଷ ଆଉ ଟଙ୍କା ଦେବାକୁ ମନା କରିଦେଇଥିଲେ ।

ନିଜକୁ ଇନକମ ଟ୍ୟାକ୍ସ ଅଫିସର ତ କେତେବେଳେ ପୋଲିସ ଅଧିକାରୀ ଦର୍ଶାଇ ମାମଲାକୁ ରଫାଦଫା କରିବାକୁ ଧମକ ଦେଇ ୧୫ ଲକ୍ଷ ଟଙ୍କା ଠକି ନେବା ପରେ ମଧ୍ୟ ମନ ନଭରିବରୁ ଆଉ ୨ ଲକ୍ଷ ଟଙ୍କା ନଦେଲେ ଗିରଫ ସୁନିଶ୍ଚିତ କହି ଧମକାଇ ଥିଲା ଯୁବକ । ଏକଥା ବୃଦ୍ଧ ଜଣକ ନିଜ ପୁଅ ଓ ନାତିକୁ ଜଣାଇବା ପରେ ସେମାନେ ନିଜ କର୍ମଭୁମିରୁ ଘରକୁ ଆସି ବଡମାଲ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.