ପ୍ରେମ ଜାଲରେ ପଡି ଯୁବତୀ ଘରେ ରହୁଥିଲେ ଯୁବକ, ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ
26/12/2020 at 11:06 PM

ଝାରସୁଗୁଡା ୨୬।୧୨: ପ୍ରେମ ଜାଲରେ ପଡି ଯୁବତୀର ଘରେ ମାସେରୁ ଅଧିକ ସମୟ ଧରି ରହୁଥିବା ଯୁବକର ସନ୍ଦେହଜନକ ମୃତ୍ୟୁ। ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ସିଆଲରମା ଗାଁର ଗୌତମ ବୋଖରା ନାମକ ଯୁବକ ବ୍ରଜରାଜନଗର ଥାନା ଅନ୍ତର୍ଗତ କଦେଲମୁଣ୍ଡା ଗାଁର ଜଣେ ଯୁବତୀକୁ ଭଲ ପାଇ ନିଜ ଘରେ ଆଣି ରଖିବାକୁ ଚେଷ୍ଟା କରିଥିଲା। କିନ୍ତୁ ଯୁବକ ଜଣକ ୧୮ ବର୍ଷରୁ କମ୍ ହୋଇଥିବାରୁ ପରିବାର ଲୋକେ ତାର ବିବାହକୁ ସମ୍ମତି ନଦେବାରୁ ଉଭୟେ ଘରୁ ପଳାଇ ଯାଇ ଅନ୍ୟତ୍ର ରହୁଥିଲେ।
ଗତ ମାସକ ତଳେ ଝିଅ ସହ କଦେଲମୁଣ୍ଡା ଯାଇ ତାଙ୍କ ଘରେ ରହୁଥିଲେ ଉଭୟେ। କିନ୍ତୁ ଗତକାଲି ରାତିରେ ଗୌତମ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେ ସଂପର୍କରେ ଗୌତମର ଘରକୁ ଫୋନ କରି ଝିଅ ଘର ପକ୍ଷରୁ ଜଣାଇବା ପରେ ସେମାନଙ୍କ ପରିବାରବର୍ଗ ଘଟଣାସ୍ଥଳ ପରିଦର୍ଶନ କରି ଏହା ଆତ୍ମହତ୍ୟା ନୁହେଁ ବୋଲି କହିଥିଲେ। ଏହା ସହ ଝିଅ ଘର ଲୋକେ ତାକୁ ମାରି ଦେଇଛନ୍ତି ବୋଲି ଗାନ୍ଧୀଛକ ଫାଣ୍ଡିରେ ଏତଲା ଦେଇଛନ୍ତି।
ବ୍ରଜରାଜନଗର ଥାନାରେ ଏ ସଂପର୍କରେ ଏକ ମାମଲା ଆଇପିସି 302 ଧାରାରେ ରୁଜୁ କରି ତଦନ୍ତ କର୍ତାଯାଉଛି ବୋଲି ଆଇଆଇସି କହିବା ସହ ମ୍ରୁତ ଯୁବକର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି ବୋଲି ସୂଚନା ଦେଇଛନ୍ତି।