ଜର୍ମାନୀ ତରିକାରେ କରୋନାରୁ ରକ୍ଷା ପାଇବ ଦୁନିଆ...

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨/୦୩ : କରୋନା ଭାଇରସ ଯୋଗୁଁ ଦୁନିଆର ଅନେକ ବଡ଼ ବଡ଼ ଦେଶ ସଙ୍କଟ ଦେଇ ଗତି କରୁଛି | ଆମେରିକାରେ ଜରୁରୀକାଳୀନ ଘୋଷଣା କରାଯାଇଛି | ଇଟାଲୀ ଭଳି ବିକଶିତ ଦେଶରେ କରୋନା ଯୋଗୁଁ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି | ୟୁରୋପ ବର୍ତ୍ତମାନ କରୋନା ଭାଇରସର କେନ୍ଦ୍ରବିନ୍ଦୁ ପାଲଟିଛି | ଗତ ସପ୍ତାହରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ଦୁନିଆରେ ଚତୁର୍ଥ ସ୍ଥାନରେ ଥିଲା | ଚୀନ, ଇଟାଲୀ, ଇରାନ ପରେ ଚତୁର୍ଥ ସ୍ଥାନରେ ଥିଲା ଜର୍ମାନୀ | କିନ୍ତୁ ଜର୍ମାନୀ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା କମାଇବାରେ ସଫଳ ହୋଇଛି |

ବୈଜ୍ଞାନିକ କହିଛନ୍ତି ଏହା ପଛରେ ଏକ ଆକ୍ରମଣାତ୍ମକ ରଣନୀତି ରହିଛି | ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ପାଖାପାଖି ୨୦ ସଂକ୍ରମିତଙ୍କ ମଧ୍ୟରୁ କେବଳ ୬୭ ଜଣଙ୍କର ମୃତ୍ୟୁ ହୋଇଛି | ଇଟାଲୀ ତୁଳନାରେ ଜର୍ମାନୀରେ ପରିସ୍ଥିତି ନିୟନ୍ତ୍ରଣାଧୀନ | ଇଟାଲୀରେ ୪୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୪ ହଜାର ୩୨ ଜଣ ପ୍ରାଣ ହରାଇ ସାରିଲେଣି | ଉଭୟ ଦେଶକୁ ଏକା ସମୟରେ କରୋନା ଗ୍ରାସ କରିଥିଲା | ଉଭୟ ଦେଶର ଜନସଂଖ୍ୟା ମଧ୍ୟ ପାଖାପାଖି ସମାନ | କିନ୍ତୁ ଜର୍ମାନୀ ତୁଳନାରେ ଇଟାଲୀରେ ମୃତକଙ୍କ ସଂଖ୍ୟା ଅଧିକ | ଇଟାଲୀରେ ମୃତକଙ୍କ ସଂଖ୍ୟା ୬୦ ପ୍ରତିଶତ ଅଧିକ |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜର୍ମାନୀରେ ସ୍ଥିତି ସୁଧୁରିବାର ମୁଖ୍ୟ କାରଣ ହେଲା ଯାଞ୍ଚ | ଜର୍ମାନୀ ଲ୍ୟାବରେ ପ୍ରତି ସପ୍ତାହରେ ୧ ଲକ୍ଷ ୬୦ ହଜାର ପରୀକ୍ଷା କରାଯାଉଛି | ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଆନୁମାନିକ ୨ ଲକ୍ଷ ୮୦ ହଜାର ପରୀକ୍ଷା କରାଯାଇଛି | ଅନ୍ୟ ୟୁରୋପୀୟ ଦେଶ ତୁଳନାରେ ଜର୍ମାନୀ ଅଧିକ କରୋନା ସଂକ୍ରମଣ ପରୀକ୍ଷା କରିଛି | କିନ୍ତୁ ଜର୍ମାନୀ ତୁଳନାରେ ଇଟାଲୀରେ ୨୬ ପ୍ରତିଶତ କମ ପରୀକ୍ଷା ହୋଇଛି | ତେବେ ପ୍ରଥମ ପର୍ଯ୍ୟାୟରୁ ଲକ୍ଷଣ ଜାଣି ପାରିଲେ ରୋଗରୁ ବଞ୍ଚିବାର ସମ୍ଭାବନା ରହିଛି |

ଅଧିକାରୀଙ୍କ ଗଣନା ରିପୋର୍ଟ ଅନୁଯାୟୀ, ଜର୍ମାନୀରେ ଆକ୍ରାନ୍ତ ରୋଗୀଙ୍କ ବୟସ ୬୦ ବର୍ଷରୁ କମ | ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ୮୦ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷରୁ କମ | ଯେଉଁଥିପାଇଁ ଜର୍ମାନୀରେ ମୃତ୍ୟୁ ସଂଖ୍ୟା କମ | ଜର୍ମାନୀରେ ରୋଗୀଙ୍କ ବୟସ ୪୭ ବର୍ଷ ଭିତରେ ହୋଇଥିବାବେଳେ ଇଟାଲୀରେ ମୃତକଙ୍କ ବୟସ ପ୍ରାୟ ୬୩ ବର୍ଷ ରହିଛି |

ଜର୍ମାନ ସରକାର ସଚେତନତା ପଦକ୍ଷେପ ଆପଣେଇ କରୋନା ଭାଇରସକୁ ପ୍ରଥମ ପର୍ଯ୍ୟାୟରେ ହିଁ କାବୁ କରିବାରେ ସଫଳ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.