ଉତ୍ତର ପ୍ରଦେଶରେ କାଉଡିଆ ଯାତ୍ରା ବାତିଲକୁ ନେଇ ଅସନ୍ତୁଷ୍ଟ ବିଶ୍ୱ ହିନ୍ଦୁ ପରିଷଦ: ପୁନର୍ବିଚାର କରିବାକୁ ଯୋଗୀ ସରକାରଙ୍କୁ ଅନୁରୋଧ

Published By : Prameya-News7 Bureau | July 18, 2021 IST

ଲକ୍ଷ୍ନୌ ୧୮/୦୭ : ଉତ୍ତରାଖଣ୍ଡ ପରେ ଉତ୍ତରପ୍ରଦେଶ ସରକାର ମଧ୍ୟ କରୋନାର ତୃତୀୟ ଲହର ବିପଦକୁ ଦୃଷ୍ଟିରେ ରଖି କାଉଡିଆ ଯାତ୍ରା ବାତିଲ କରିଛନ୍ତି। ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ସନ୍ତୁଷ୍ଟ ନୁହେଁ। କାଉଡିଆ ଯାତ୍ରା ବାତିଲ ହୋଇଥିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଯୋଗୀ ସରକାରଙ୍କୁ ଅନୁରୋଧ କରିଛି। ଏହାପୂର୍ବରୁ ଯୋଗୀ ସରକାରଙ୍କ ଗୋଟିଏ ଶିଶୁ ନୀତି ଉପରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ପ୍ରଶ୍ନ ଉଠାଇଥିଲା।

wp:gallery {"ids":[482412],"linkTo":"none"} /wp:gallery

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କ କାଉଡିଆ ଯାତ୍ରା ବାତିଲ ନିଷ୍ପତ୍ତିକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆନ୍ତର୍ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ସୁରେନ୍ଦ୍ର ଜୈନ ଉଭୟ ରାଜ୍ୟ ସରକାରଙ୍କୁ ସେମାନଙ୍କର ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଏବଂ କରୋନା ପ୍ରତିବନ୍ଧକ ସହିତ ଧାର୍ମିକ ତୀର୍ଥଯାତ୍ରା କରିବାକୁ ଅନୁରୋଧ କରିଛନ୍ତି। ସୁରେନ୍ଦ୍ର ଜୈନ କହିଛନ୍ତି ଯେ ହିନ୍ଦୁମାନଙ୍କ ପାଇଁ କାଉଡିଆ ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଯାତ୍ରା ଯାହା ଦେଶକୁ ଏକତା ମଧ୍ୟରେ ବାନ୍ଧି ରଖିଥାଏ। କରୋନା ପ୍ରୋଟୋକଲ୍ ଅନୁସରଣ କରି ଯାତ୍ରା ପାଇଁ ଅନୁମତି ଦେବା ଉଚିତ କିନ୍ତୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଠିକ୍ ନୁହେଁ। ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏବଂ ଯାତ୍ରା ଅନୁମତି ଦେବାକୁ ସେ ଅପିଲ କରିଛନ୍ତି।

ଯାତ୍ରା ଆୟୋଜନ କରିବାର ଉପାୟ ଖୋଜିବା ପାଇଁ ଶାସକ ଦଳକୁ ପରାମର୍ଶ ଦେଇ ସୁରେନ୍ଦ୍ର ଯାଇଁ କହିଛନ୍ତି ଯେ ନ୍ୟାୟପାଳିକା ନିଜ ନିଷ୍ପତ୍ତିରେ ଚୟାନାତ୍ମକ ହେବା ଉଚିତ ନୁହେଁ। ଲୋକଙ୍କ ଧାର୍ମିକ ବିଶ୍ୱାସକୁ ଦମନ କରିବା ପରିବର୍ତ୍ତେ ରାଜ୍ୟ ସରକାର ଏବଂ ସୁପ୍ରିମକୋର୍ଟ ଭବିଷ୍ୟତରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉପାୟ ଖୋଜି ବାହାର କରିବା ଉଚିତ୍। ନିକଟରେ କିଛି ପ୍ରତିବନ୍ଧକ ସହ ଜଗନ୍ନାଥ ରଥ ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇଥିଲା ବୋଲି ସେ କହିଛନ୍ତି। ବକରିଦ ପୂର୍ବରୁ କେରଳ ସରକାର ପର୍ବ ପାଳନ ଯୋଗୁଁ ସପ୍ତାହାନ୍ତ ଲକଡାଉନରୁ ତିନି ଦିନ କୋହଳ କରିବାକୁ ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ସରକାର କରୋନାର ତୃତୀୟ ଲହର ବିପଦକୁ ଦୃଷ୍ଟିରେ ରଖି କାଉଡିଆ ଯାତ୍ରା ବାତିଲ କରିଦେଇଥିଲେ। କିନ୍ତୁ ଉତ୍ତର ପ୍ରଦେଶ ସରକାର ଯାତ୍ରା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ମାମଲାରେ ସୁପ୍ରିମକୋର୍ଟ ପୁନର୍ବିଚାର କରିବାକୁ କହିଥିଲେ। ଏହାପରେ ଉତ୍ତରପ୍ରଦେଶ ସରକାର ମଧ୍ୟ ଶନିବାର ଦିନ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.