ପେଟର ଜ୍ଵାଳା ହେଉନି ସହି, ରାସ୍ତା କଡରେ ଉଦୁଉଦିଆ ଖରାରେ ଭାଗ୍ୟକୁ ଆଦରି ପଡିଛନ୍ତି ମହିଳା

Published By : Prameya-News7 Bureau | February 27, 2021 IST

ନୀଳଗିରି,୨୭/୦୨: ପେଟ ଭୋକର ଜ୍ୱାଳା ଆଉ ସହି ହେଉନି। ଭାଗ୍ୟକୁ ଆଦରି ଉଦୁଉଦିଆ ଖରା ସମୟରେ ପଡି ରହିଛନ୍ତି ଜଣେ ମହିଳା। ଆହା କହିବାକୁ କେହି ନାହିଁ। ଏଭଳି ଚିତ୍ର ନୀଳଗିରି ହସ୍ପିଟାଲ ରାସ୍ତା ଉପ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଜୈନିକ ମହିଳା ଜଣକ ଆଜକୁ ଦୀର୍ଘ ମାସ ଧରି ନୀଳଗିରି ସହରରେ ଘୁରି ବୁଲୁଛନ୍ତି। ଏ ଦୋକାନ ସେ ଦୋକାନରୁ ପେଟ ପାଇଁ ଖାଇବାକୁ ମାଗିଥାନ୍ତି। କିଏ ଦିଏ  ତ ଆଉ କିଏ ଗାଳି ଦେଉଥାଏ। ସହୃଦୟ ବ୍ୟକ୍ତି ମାନଙ୍କ ଆଗରେ ପଡିଲେ କିଛି ଅର୍ଥ ଦେଇଥାନ୍ତି ତ ଆଉ କିଏ ପାଉଁରୁଟି କିଣି ଖାଇବାକୁ ଦେଇଥାନ୍ତି। ପେଟ ପୁରାଇବାକୁ ଏହା ଯଥେଷ୍ଟ ନୁହଁ। ସବୁ ବେଳେ ମହିଳା ଜଣକ ଚା ମିଲେଗା କ୍ୟା କହନ୍ତି।

ଆଉ ନୀଳଗିରି ହସ୍ପିଟାଲ ରୋଡ଼ର ବାପୁନୁ ଚା ଦୋକାନ ଓ ନିଲୁ ବିଶ୍ୱାଳ ଚା ଦୋକାନରେ ତାଙ୍କୁ ଦେଖିବାକୁ ମିଳିଥାଏ। ଦୁଇ ଦୋକାନୀ ସେମାନଙ୍କୁ ପ୍ରତ୍ୟେକ ଦିନ ବିସ୍କୁଟ ଓ ଚା ଦେଇଥାନ୍ତି। ଜୈନିକ ମହିଳା ଜଣକ କୁଆଡୁ ଆସିଲେ କେହି ପ୍ରଶାସନିକ ଅଧିକାରୀ ବୁଝିବାକୁ ଚେଷ୍ଟା ବି କରି ନାହାଁନ୍ତି। ସତେ ଯେପରି କାହା ପାଖରେ ସମୟ ନାହିଁ। ଆଜି ମହିଳା ଜଣକ ଉଦୁଉଦିଆ ଖରା ସମୟରେ  ହସ୍ପିଟାଲ ନିକଟ ହନୁମାନ ମନ୍ଦିର ଓ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଆଗରେ ପଡି ରହିଥିବାର ଦେଖାଯାଇଥିଲା।

ଛାଇ ଟିକକ ପାଇଁ ସିନା ଆଖି ଲାଗି ଯାଇଥିଲା ହେଲେ ସତେ ଯେପରି ମନେ ହେଉଥିଲା ସମସ୍ତଙ୍କର ମାନବିକତା ମରିଯାଇଛି। ଏହି ରାସ୍ତା ଦେଇ ହସ୍ପପିଟାଲ, ଥାନା ପାଖରୁ ଆରମ୍ଭ କରି ବହୁ ଅଫିସ ଥିଲେ ମଧ୍ୟ ବ୍ୟସ୍ତବହୁଳ ରାସ୍ତା ସିନା ଥିଲା ହେଲେ ନଜର କାହାରି ପଡିନଥିଲା। ପରେ ସେହି ସମାନ କଥା ହିନ୍ଦୀରେ କହିଥିଲେ। ଆଖିକୁ ଦେଖିଲେ ସତେ ଯେପରି ମନେହୁଏ କିଛି କହିବାକୁ ଆଗ୍ରହ ଥିଲା ହେଲେ ତାଙ୍କର ମସ୍ତିଷ୍କ ତାଙ୍କୁ ଅନୁମତି ଦେଇନଥିଲା।

କୌଣସି କାରଣରୁ ମାନସିକ ଭାରସାମ୍ୟ ସେ ହରାଇବା ପରି ମନେ ହେଉଥିଲେ। ବହୁ ସ୍ୱେଚ୍ଛାସେବୀ ସଂଗଠନ ଥିଲେ ମଧ୍ୟ ତାଙ୍କ ଉପରେ କାହାରି ନଜର ପଡିନଥିଲା। ସରକାର ଅସହାୟ ଓ ମାନସିକ ବିକୃତି ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ଯୋଜନା ଯୋଗାଇଛନ୍ତି। ଏହାକୁ ସରକାରୀ ଅଧିକାରୀ ସଠିକ ରୂପାୟନ କରିବାର ନଜିର ରହିଛି। ହେଲେ ନୀଳଗିରିର ସରକାରୀ ବାବୁଙ୍କ ହୃଦୟ କେବେ ଜାଗି ଉଠିବ ଆଉ  ଏହି ଅସହାୟ ମହିଳା ଙ୍କ ଉପରେ କେବେ ନଜର ପଡିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.