‘ଦ ଓୟାର’ ପ୍ରତିଷ୍ଠାତା ସମ୍ପାଦକଙ୍କ ବିରୋଧର ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା, ଦସ୍ତଖତ ଅଭିଯାନ ଆରମ୍ଭ କଲେ ୩୫୦୦ ବୁଦ୍ଧିଜୀବୀ
16/04/2020 at 10:38 AM

ଲକ୍ଷ୍ନୌ, ୧୬|୦୪: ନ୍ୟଜ୍ ପୋର୍ଟାଲ ‘ଦ ଓୟାର’ର କରୋନା ଭାଇରସ ଓ ଧାର୍ମିକ ଆୟୋଜନ ସହ ଜଡିତ ଏକ ଖବର ମାମଲାରେ ଉତ୍ତର ପ୍ରଦେଶ ପୋଲିସ ଏହାର ପ୍ରତିଷ୍ଠାତା ସମ୍ପାଦକଙ୍କ ମଧ୍ୟରୁ ସିଧାର୍ଥ ବରଦରାଜନଙ୍କ ବିରୋଧରେ ଅପରାଧିକ ମୋକଦ୍ଦମା ରୁଜୁ କରିଛି । ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ସାରା ଦେଶରେ ୩ ହଜାର ୫୦୦ରୁ ଅଧିକ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଶିକ୍ଷାବିତ, ଅଭିନେତା, ଆଇନ ବିଶେଷଜ୍ଞ, କଳାକାର ଓ ଲେଖକ ରହିଛନ୍ତି । ଏହା ଗଣମାଧ୍ୟମର ସ୍ୱତନ୍ତ୍ରତା ଉପରେ କୁଠାରଘାତ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଜାରି ହୋଇଥିବା ବୟାନରେ ହସ୍ତଖତ କରିଥିବା ବୁଦ୍ଧିଜୀବୀମାନେ କହିଛନ୍ତି ଯେ, ସରକାର ସିଧାର୍ଥ ଓ ‘ଦ ଓୟାର’ ବିରୋଧରେ କରିଥିବା ମାମଲା ପ୍ରତ୍ୟାହାର କରନ୍ତୁ । ଏହାସହ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସେମାନେ ଗଣମାଧ୍ୟମର ସ୍ୱତନ୍ତ୍ରତା ଉପରେ କୌଣସି ମହାମାରୀ ବାହାନ କରି ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି । ରାଜନୈତିକ ରାଗ ସୁଝାଇବା ପାଇଁ ସ୍ୱାସ୍ଥ୍ୟ ବାହାନା ନହେଉ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
କଣ ଥିଲା ଘଟଣା
‘ଦ ଓୟାର’ରେ ତବଲୀଗୀ ଜମାତ ସହ ଜଡିତ ଏକ ଖବର ପ୍ରକାଶ ପାଇଥିଲା । କିପରି ସାରା ଦେଶରେ କରୋନା ସଂକ୍ରମଣ ମଧ୍ୟରେ ଉତ୍ତର ପ୍ରଦେଶରେ ମାର୍ଚ୍ଚ ୧୮ରେ ଏକ ଧାର୍ମିକ ମେଳା କରାଯାଇଥିଲା ତାହା ପ୍ରକାଶିତ ହୋଇଥିଲା । ଏହାପରେ ଅଯୋଧ୍ୟା ଓ ଫୈଜାବାଦରେ ଏପ୍ରିଲ ୧ରେ ଦୁଇଟି ଏଫଆଇଆର ରୁଜୁ ହୋଇଥିଲା ।
କାର୍ଯ୍ୟାନୁଷ୍ଠାନ ବିରୋଧରେ ହୋଇଥିବା ଏହି ହସ୍ତଖତ ଅଭିଯାନ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ମଦନ ବି ଲୋକୁର, ମଦ୍ରାସ ହାଇକୋର୍ଟର ଜଜ୍ ଥିବା କେ ଚନ୍ଦ୍ରୁ ଓ ପାଟନା ହାଇକୋର୍ଟର ଜଷ୍ଟିସ ଅଜସା ପ୍ରକାଶ ସାମିଲ ହୋଇଛନ୍ତି । ଏହାସହ ପୂର୍ବତନ ନୌସେନା ଅଧିକାରୀ ରାମଦାସ ଓ ଆଡମିରାଲ ବିଷ୍ଣୁ ଭାଗବତ ମଧ୍ୟ ଏଥିରେ ଦସ୍ତଖତ କରିଛନ୍ତି । ଆହୁରି ମଧ୍ୟ ପୂର୍ବତନ ବୈଦେଶିକ ମନ୍ତ୍ରୀ ଯସୋବନ୍ତ ସିହ୍ନା, ପୂର୍ବତନ ବୈଦେଶିକ ସଚିବ ଶିବଶଙ୍କର, ସୁଜାତା ସିଂ ମଧ୍ୟ ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ।