୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ,୧୦ ଦିନରେ ଗୃହ କାର୍ଯ୍ୟ ଶେଷ: ୧୧ ହଜାର ୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

Published By : Prameya-News7 Bureau | November 29, 2020 IST

ଭୁବନେଶ୍ଵର ୨୯।୧୧: ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ। କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ଏହି ଅଧିବେଶନ ରେ ୨ ଟି ମୁଲତବୀ  ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଆଉ ଗୋଟିଏ ସ୍ୱତନ୍ତ୍ର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୭ ଟି ବିଲ୍ ପାରିତ ହୋଇଛି। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ସମର୍ଥନ କରିଥିବାବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି ସରକାର ଦଳ ଆଣିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ ।

ତାରା କହିଛନ୍ତି ଯେ,ଅନେକ ପ୍ରସଙ୍ଗ ଥିଲା ,ବିରୋଧୀ ଦଳକୁ ବିଶ୍ୱାସ ନେଇନାହିଁ ସରକାର। କିଛି ଦିନ ବିଧାନସଭା ଚାଲିବା ଦରକାର। ଅନେକ ସମସ୍ୟାକୁ ଆଲୋଚନା ବାକି ଅଛି। ଅନେକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ। ବିଧାନସଭାକୁ ଚଲେଇବା ଦରକାର ବୋଲି ତାରା କହିଛନ୍ତି। ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ହୋଇଥିଲା। ଟେଷ୍ଟ ମଧ୍ୟ କରାଯାଇଥିଲା। ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି ।

ଶୀତକାଳୀନ ଅଧିବେଶନରେ ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ।  ବିଧାନସଭାରେ ହୋହଲ୍ଲା ମଧ୍ୟରେ ପାରିତ ହୋଇଛି ବିଲ। ୧୧ ହଜାର ୭୦୦ କୋଟି ଟଙ୍କାର ବ୍ୟୟବରାଦକୁ ବିଧାନସଭାର ଅନୁମୋଦନ ମିଳିଛି। ବିରୋଧୀ ଦଳକୁ ନ ପଚାରି ଗୃହକୁ ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସରକାରୀ କାର୍ଯ୍ୟ ନଥିବା ସତ୍ୟ ନୁହେଁ। ସରକାର  ବିଭିନ୍ନ ପ୍ରସଙ୍ଗରୁ ବଞ୍ଚିବା ପାଇଁ  କେବଳ କରୋନା ଆଳ ଦେଖାଇ ଗୃହକୁ ବନ୍ଦ କରିଛନ୍ତି।

ମାର୍ଚ୍ଚ ମାସରୁ ସେମାନେ ଏଭଳି ଆଳ କରି ଆସୁଛନ୍ତି। ଦୁଇଟି ବଡ଼ ବଡ଼ ବିଲ ଥିଲା ଆଲୋଚନା ପାଇଁ ତା ସହ ବେସରକାରୀ ବିଲ ମଧ୍ୟ ଥିଲା। ବୈଠକ ନ ଡାକି ଆଲୋଚନା କରା ନ ଯାଇ ଏକତରଫା ଭାବେ ବିଧାନସଭାକୁ ବନ୍ଦ କରାଯାଇଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି। ଅଗଣତନ୍ତ୍ରୀକ ଭାବେ ବିଧାନସଭାକୁ ବନ୍ଦ କରାଯାଇଛି। ଲୋକଙ୍କ ପ୍ରସଙ୍ଗକୁ ସାମ୍ନା କରି ନ ପାରି ସରକାର ପାଳୟନପନ୍ଥୀ ସାଜିଥିବା  ବିରୋଧୀ କହିଛନ୍ତି।

ଦଳର ନେତା ଓ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସରକାର ଅହରହ ଉଦ୍ୟମ ଚଳାଇଛନ୍ତି। ଲୋକଙ୍କ ପାଇଁ ନୁହେଁ। ଦଳ ସହ କଥା ହେବା ପରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବ ବୋଲି ବିଜେପି କହିଛି। ସେପଟେ ଶାସକ ଦଳର କହିବା କଥା ସରକାରୀ କାର୍ଯ୍ୟ ଯେତିକି ଥିଲା ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସରିଲା। ଆଉ କୌଣସି କାର୍ଯ୍ୟ ନଥିଲା। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନ ଥିଲା। ନିର୍ଦ୍ଧିଷ୍ଟ ଏକ ପ୍ରସଙ୍ଗ ମାଧ୍ୟମରେ ହଟଚମଟ କରିବା ପାଇଁ ବିରୋଧୀ ପ୍ରୟାସ କରୁଥିଲେ। ବିଧାନସଭା ବର୍ଷକୁ ୬୦ ଦିନ ବସିବାର ନିୟମ ରହିଛି। କିନ୍ତୁ ସରକାରୀ କାର୍ଯ୍ୟ ନ ଥିଲେ ବନ୍ଦ ହେଲେ କିଛି ଅସୁବିଧା ନାହିଁ ବୋଲି କହିଲେ ବିଜେଡି ବିଧାୟକ ପ୍ରତାପ ଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.