ସ୍ତ୍ରୀ ଜଳୁଥିଲା ନିଆଁରେ ଏବଂ ସ୍ବାମୀ ସଂପର୍କୀୟଙ୍କୁ ଫୋନ୍‌ରେ ଶୁଣାଉଥିଲେ ସ୍ତ୍ରୀର ଚିତ୍କାର

Published By : Prameya-News7 Bureau | February 12, 2019 IST

ହୋଶଂଗାବାଦ ୧୨|୨:  ମଧ୍ୟପ୍ରଦେଶ ହୋଶଂଗାବାଦରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଯାହାକୁ ଶୁଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ସ୍ବାମୀ ସହ ଝଗଡା ହେବା ପରେ ମହିଳା ଜଣଙ୍କ ନିଜ ୨ବର୍ଷର ପୁଅ ଆଗରେ ନିଜ ଦେହରେ କିରୋସିନି ଢାଳିହୋଇପଡିଥିଲେ । ସ୍ବାମୀ ଫୋନ୍ ରେ ନିଜ ସଂପର୍କୀୟମାନଙ୍କୁ ସ୍ତ୍ରୀର ଏଭଳି କାଣ୍ଡ ବିଷୟରେ କହିବାକୁ ଲାଗିଲେ । ଏତିକିବେଳେ ମହିଳା ଜଣଙ୍କ ପୁଅକୁ ଧକ୍କା ଦେଇ ନିଜ ଦେହରେ ନିଆଁ ଲଗାଇଦେଲେ । ନିଆଁରେ ଜଳୁଥିବା ସ୍ତ୍ରୀକୁ ବଞ୍ଚାଇବା ବଦଳରେ ସ୍ବାମୀ ନିଜ ସଂପର୍କୀୟମାନଙ୍କୁ ସ୍ତ୍ରୀର ଚିତ୍କାର ଶୁଣାଉଥିଲା ।

ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିବାରଲୋକ ସ୍ବାମୀଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ସମୟରେ ସ୍ବାମୀ କଥାବାର୍ତ୍ତା ହେଉଥିବାର ଏକ ଅଡିଓ ମଧ୍ୟ ପୋଲିସ ଜବତ କରିଛି । ଯାହାକୁ ଆଧାର କରି ପୋଲିସ ମାମଲାର ଯାଞ୍ଚ କରୁଛି ।

ପୋଲିସର ସୂଚନା ଅନୁସାରେ ବାବଇ ରୋଡ୍ ସ୍ଥିତ ତିଓ୍ବାରୀ କଲୋନୀରେ ରହୁଥିଲେ କୁଲଦୀପ ଗଢେଓ୍ବାଲ ଏବଂ ତାଙ୍କ ପତ୍ନୀ କଳ୍ପନା । ଶନିବାର ରାତି ପ୍ରାୟ ୧୦ଟା ୩୦ରେ କଳ୍ପନା ଗୁରୁତର ଭାବେ ଜଳିଯାଇଥିଲା । ସେହି ସମୟରେ କୁଲଦୀପ ତାଙ୍କ ସଂପର୍କୀୟମାନଙ୍କ ସହ କଥା ହେଉଥିଲେ । ଘଟଣା ସଂପର୍କରେ ପଡୋଶୀମାନେ ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କଳ୍ପନାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ କଳ୍ପନାଙ୍କର ମୃତ୍ୟୁ ହୋଇଥିଲା ।

କଳ୍ପନାଙ୍କ ବାପା କହିଛନ୍ତି ଯେ କୁଲଦୀପଙ୍କ ତାଙ୍କର ଜଣେ ସଂପର୍କୀୟଙ୍କୁ ଫୋନ୍ କରିଥିଲେ । ସେହି ସମୟରେ ସେ କଳ୍ପନାଙ୍କ ଚିତ୍କାର ଶୁଣିପାରିଥିଲେ । ଯେତେବେଳେ ସଂପର୍କୀୟ ଜଣଙ୍କ ଚିତ୍କାର ସମ୍ବନ୍ଧରେ ପଚାରିଥିଲେ ସେତେବେଳେ କୁଲଦୀପ କହିଥିଲେ ଯେ କଳ୍ପନା ନିଜକୁ ନିଆଁ ଲଗାଇଦେଇଛି ବୋଲି ।

କଳ୍ପନାଙ୍କ ବାପା, ମାଆ ଏବଂ ଭାଇ ଅଭିଯୋଗ କରିଛନ୍ତି ଯେ କଳ୍ପନା ଆତ୍ମହତ୍ୟା କରିନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଛି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.