ନୂଆଦିଲ୍ଳୀ ୧୭/୦୯: ଟି-୨୦ ଟିମ୍ର ଅଧିନାୟକ ପଦରୁ କୋହଲିଙ୍କ ଇସ୍ତଫା ପାଇଁ ଖେଳପ୍ରେମୀ ଆଶ୍ଚର୍ଯ୍ୟ ହୋଇଛନ୍ତି। କିନ୍ତୁ ଏଥିପାଇଁ ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇସାରିଥିଲା। କାର୍ଯ୍ୟ ଚାପର କାରଣ କହି ବିଶ୍ବକପ୍ ପରେ ଟି-୨୦ କ୍ୟାପ୍ଟେନସିପ୍ ଛାଡ଼ିବାକୁ ଘୋଷଣା କରିଛନ୍ତି ବିରାଟ କୋହଲି। କିନ୍ତୁ ଓ୍ବାର୍ଲଡ ଟେଷ୍ଟ ଚାମ୍ପିୟନସିପ୍ (WTC) ଫାଇନାଲ୍ ପରେ ତାଙ୍କର ଖରାପ ପ୍ରଦର୍ଶନକୁ ଦେଖି କୋହଲି ଟି-୨୦ ଅଧିନାୟକ ପଦ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଟି-୨୦ ବିଶ୍ବକପ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଯାଏ ୟୁଏଇ ଏବଂ ଓମାନରେ ହେବ। କ୍ରିକ୍ବଜ୍ ରିପୋର୍ଟ ଅନୁସାରେ, ନୂଆ ଚୟନକର୍ତ୍ତା ଏବଂ କୋଚିଂରେ ପରିବର୍ତ୍ତନ ଯୋଗୁଁ ବିରାଟ କୋହଲିଙ୍କ ପାଇଁ ଆହ୍ବାନ ବଢ଼ିଥିଲା। ଚଳିତବର୍ଷ ଫେବୃଆରୀ-ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଟିମ୍ରେ ଧାଓ୍ବନଙ୍କୁ ସାମିଲ କରିବା ପାଇଁ କୋହଲି ବହୁ କସରତ କରିଥିଲେ। ସିଲେକ୍ଟର୍ସ ଶିଖର ଧାଓ୍ବନଙ୍କ ସ୍ଥାନରେ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ଓପନରଙ୍କୁ ଟିମ୍ରେ ସାମିଲ କରିବାକୁ ଇଚ୍ଛାପ୍ରକାଶ କରିଥିଲେ।
କିନ୍ତୁ ଧାଓ୍ବନଙ୍କୁ ଟିମ୍ରେ ସାମିଲ ପାଇଁ କୋହଲି ଅଡି ବସିଥିଲେ। ଯଦିଓ ଏହା ପରେ ଶ୍ରୀଲଙ୍କା ଗସ୍ତ ପାଇଁ ଧାଓ୍ବନଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିଲା କିନ୍ତୁ ମାର୍ଚ୍ଚରେ ହୋଇଥିବା ବୈଠକ ପରେ ଟିମ୍ ୫ ଦିନ ପରେ ଘୋଷଣା କରିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ, କ୍ୟାପ୍ଟେନ ଏବଂ ସିଲେକ୍ଟର୍ସଙ୍କ ମଧ୍ୟରେ କୌଣସି ବିବାଦ ନଥିଲା। ସେପଟେ କୋହଲିଙ୍କ ନିକଟତର ଲୋକଙ୍କ ଅନୁସାରେ ,ତାଙ୍କୁ କିଛି ସାବ୍ୟସ୍ତ କରିବାର ଆବଶ୍ୟକତା ନାହିଁ। ବିସିସିଆଇ ତାଙ୍କ ଉପରେ ଚାପ କମ୍ କରିବାକୁ ଚାହୁଁଥିଲା।
ଇସ୍ତଫା ଘୋଷଣା କରିବା ପୂର୍ବରୁ କୋହଲି ବୁଧବାର ସନ୍ଧ୍ୟାରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହା ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ କହିଥିଲେ। ଚୟନକର୍ତ୍ତା ଏବଂ ବୋର୍ଡକୁ ସମୟ ଦେବାକୁ ଯାଇ ସେ ଟି-୨୦ ବିଶ୍ବକପ୍ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି ।