ଗାଁ କମିଟିର କଠୋର ନିଷ୍ପତ୍ତି: ନିୟମ ନ ମାନିବାରୁ ୩ ପରିବାରକୁ ବାସନ୍ଦ

Published By : Prameya-News7 Bureau | July 14, 2020 IST

ଖୋର୍ଦ୍ଧା୧୪/୭: ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟର କଳା କାରନାମା। ନିୟମ ନମାନିବାରୁ ଗାଁରୁ ବାସନ୍ଦ ହୋଇଛନ୍ତି ୩ ଟି ପରିବାର । ନିଜ ଜାଗାରେ ଥିବା ଗଛ ନ କାଟିବାରୁ ଗାଁ କମିଟି ନେଇଛି ଏଭଳି କଠୋର ନିଷ୍ପତ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡିଆପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

କଙ୍ଗାରୁ କୋର୍ଟର ବିଚିତ୍ର ନିଷ୍ପତ୍ତି। ଗଛ ନକାଟିବାରୁ ବାସନ୍ଦ ହେଲେ ପରିବାର ଉକ୍ତ ଗ୍ରାମର ସୁଦର୍ଶନ ନାଟୁଆ ଏବଂ ତାଙ୍କ ଦୁଇ ପୁଅ ଗାଁ କମିଟି ନେଇଥିବା ନିଷ୍ପତ୍ତିକୁ ଅବମାନନା କରିବା କାରଣରୁ ତାଙ୍କୁ ଗାଁରେ କରାଯାଇଛି ବାସନ୍ଦ । ଏଥିସହିତ ସେମାନଙ୍କ ସହ ଗାଁର ଯିଏ କଥା ହେବ ତାକୁ ଜୋରିମାନା ବାବଦକୁ ୫ ଶହ ଟଙ୍କା ଦେବାକୁ ନିୟମ କରାଯାଇଛି । ଯଦି ଜୋରିମାନା ନ ଦିଅନ୍ତି ତେବେ ଉକ୍ତ ପରିବାରକୁ ଗାଁରୁ ବାସନ୍ଦ କରାଯିବ ବୋଲି କୁହାଯାଇଛି। ତେବେ ଏତିକିରେ ଥମିନି ଗାଁର ତଥାକଥିତ ବଡ଼ ପଣ୍ଡା ମାନଙ୍କ ଔଦ୍ଧତାମୀ । ସୁଦର୍ଶନଙ୍କ ଘର ନିକଟରେ ଥିବା ଦୋକାନୀକୁ କୌଣସି ସାମଗ୍ରୀ ଦେବାକୁ ମଧ୍ୟ ବାରଣ କରାଯାଇଛି । ଗାଁ ନିଷ୍ପତ୍ତିରେ ଦୀର୍ଘଦିନ ଧରି ବାସନ୍ଦ ପରିବାର ନ୍ୟାୟ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ଥାନାର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।

ସେହିଭଳି ଗ୍ରାମର ଚିତ୍ରା ପ୍ରଧାନଙ୍କ ପରିବାର ସୁଦର୍ଶନଙ୍କ ପରିବାର ସହ କଥା ହେବାରୁ ଗାଁ କମିଟିକୁ 500ଟଙ୍କା ଜୋରିମାନା ଦେଇଥିବା କହିଛନ୍ତି । ଗ୍ରାମର ନିରଞ୍ଜନ ପ୍ରଧାନ ସୁଦର୍ଶନଙ୍କ ପୁଅ କାର୍ତ୍ତିକ ନାଟୁଆ ସହ କଥା ହୋଇ ଜୋରିମାନା ନଦେବାରୁ ଗାଁରୁ ବାସନ୍ଦ ହୋଇଥିବା କହିଛନ୍ତି ।ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଗାଁ କମିଟି ନେଇଥିବା ନିଷ୍ପତ୍ତିକୁ ଗ୍ରାମରେ ଥିବା ସମସ୍ତ ପରିବାର ମାନିବା ଦ୍ବାରା କାହା ସହ ମିଶି ନପାରି ଗାଁରୁ ବାସନ୍ଦ ହୋଇଥିବା ପରିବାର ଏବେ ଚିନ୍ତାରେ ପଡିଛନ୍ତି । ଜରୁରୀ ସାମଗ୍ରୀ ପାଇଁ ଘର ନିକଟ ଦୋକାନୀ ପାଖକୁ ଗଲେ ଗାଁ କମିଟି ଭୟରେ କୌଣସି ସାମଗ୍ରୀ ବାସନ୍ଦ ପରିବାରକୁ ନଦେବାରୁ ଦହଗଞ୍ଜ ହେଉଛନ୍ତି ବାସନ୍ଦ ପରିବାର । କେବଳ ସେତିକି ନୁହେଁ ବାସନ୍ଦ ହୋଇଥିବା ପରିବାର ର ପିଲାମାନଙ୍କର ଶିକ୍ଷାଦାନରେ ବ୍ୟାଘାତ ଉପୁଜୁଛି।  ଏନେଇ ଖୋର୍ଦ୍ଧା ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଗେଡିଆପଲ୍ଲୀର ତିନିଟି ବାସନ୍ଦ ପରିବାର।

ସାମାଜିକ ବାସନ୍ଦ ଯୋଗୁଁ ଗେଡିଆପଲ୍ଲୀର ତିନିଟି ପରିବାର ଅନେକ ଅସୁବିଧା ରେ ଜୀବନ କାଟୁଛନ୍ତି । ନ୍ୟାୟ ପାଇବା ନେଇ  ଖୋର୍ଦ୍ଧା ଏସ୍ପି ଙ୍କ ଦ୍ବାରସ୍ଥ ହୋଇଛନ୍ତି।  ଏନେଇ  ଏକ ମାମଲା ରୁଜ୍ଜୁ  ହୋଇଛି ଏହାର ତଦନ୍ତ ଚାଲିଥିବା ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ମାୟାଧର ସେଠୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.