ପୋଲିସ୍‌ ବିରୋଧରେ ପୀଡିତାଙ୍କ ସଂଗୀନ ଅଭିଯୋଗ: କୋହଳ ଦଫା ଲଗାଇ ଜାଣିଶୁଣି ଅଭିଯୁକ୍ତକୁୁ ଛାଡ଼ି ଦେଲେ

Published By : Prameya-News7 Bureau | May 30, 2020 IST

ନୀଳଗିରି୩୦/୫: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମରେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ବାହାରୁ ଅବାଧରେ ପ୍ରବେଶ କରି ବାଥରୁମ୍ ଭିତରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ନୂଆ ମୋଡ଼ ନେଇଛି। ଅଭିଯୁକ୍ତଙ୍କ  ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ  ଏତଲା ବଦଳାଇ କୋହଳ ଦଫା ଲଗାଇଛି ପୋଲିସ। ପୁଲିସ୍‌ଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ନିଜେ ପୀଡିତା ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମରେ ନିର୍ମାଣ ହୋଇଥିବା କ୍ବାରେଣ୍ଟାଇନ୍ ସେଣ୍ଟରେ ଗତ ୨୬ ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଏହି ସେଣ୍ଟରରେ ୪ ଜଣ ଯୁବତୀଙ୍କୁ ମିଶାଇ ୭୭ ଜଣ ପ୍ରବାସୀ ଓଡ଼ିଆ ରହୁଥିଲେ। ଗୋହିରା ଅଂଚଳର ରତ୍ନାକର ଜେନା ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଅବାଧରେ ସେଣ୍ଟର ଭିତରକୁ  ପ୍ରବେଶ କରି ଜଣେ ଯୁବତୀ ଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

ଯୁବତୀ ଜଣଙ୍କ ପାଟି କରିବାରୁ ତାଙ୍କ  ୩ ଜଣ ସହଯୋଗୀ ଦୌଡ଼ି ଆସି ରତ୍ନାକରକୁ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ। ଜଗୁଆଳି ପ୍ରତାପ ଚନ୍ଦ୍ର ବାରିକଙ୍କ ସହ ମୁଖ୍ୟ ଅଭିଯୁକ୍ତ ରତ୍ନକାରଙ୍କ  ବିରୁଦ୍ଧରେ ବରମପୁର ଥାନାରେ ପୀଡିତା ଲିଖିତ ଅଭିଯୋଗ କରିବା ପରେ ଥାନାର ଏଏସଆଇ ଚିତ୍ତରଞ୍ଜନ ମିଶ୍ର ପହଞ୍ଚି ତଦନ୍ତ କରି  ଧାରା ୧୮୮,୩୪୧,୨୯୪,୩୫୪ (ଏ),୫୦୯ ରେ ୩୯ ନମ୍ବର ମାମଲା ରୁଜୁକରି ଥିଲେ। ଅଭିଯୁକ୍ତଙ୍କୁ ପରଦିନ କୋର୍ଟ ଚାଲାଣ ପରେ ଜାମିନ ମିଳିବାରୁ ଅସଲ ଘଟଣା ପଦାକୁ ଆସିଥିଲା।ପୀଡିତା ପ୍ରଥମେ ଇଂରାଜୀରେ ଏତଲା ଲେଖି ଠିକଣା ଠିକ ନଥିବା କହି ତାଙ୍କୁ ତଦନ୍ତ କାରୀ ଅଧିକାରୀ ଶ୍ରୀ ମିଶ୍ର ଏତଲା ଡାକି ଥିଲେ।

ପୁଣି ସେ ଏତଲା ଗ୍ରହଣୀୟ ନୁହଁ କହି ପୁଣି ଆଉ ଗୋଟିଏ ଡାକିବାରୁ ନିଜକୁ ଅସହାୟ ମଣି ପୀଡିତା ପୋଲିସ ଅଧିକାରୀଙ୍କୁ ବିଶ୍ବାସ କରି ଏତଲା ଲେଖୁଥିଲେ। ଅଭିଯୁକ୍ତ  ସ୍ପଷ୍ଟ ଦିବାଲୋକରେ ଘୁରୁ ବୁଲି ପୀଡିତା ଙ୍କୁ ଧମକଦେଉଥିବା ପୀଡିତା ଅଭିଯୋଗ କରିଛନ୍ତି। ଦଫା କୋହଳ କରି ଅଭିଯୁକ୍ତକୁ ସହଯୋଗ କରିବା ସହ ଅନ୍ୟତମ ଅଭିଯୁକ୍ତ ଜଗୁଆଳି ଜଣକୁ ଗିରଫ କରୁନଥିବା କହିଛନ୍ତି।୧୪୪ ଧାରା ଜାରି ସତ୍ତ୍ବେ କିପରି ସେଣ୍ଟର ଭିତରେ ରହି ନିଜର ଇଜ୍ଜତକୁ ହରାଇବା ପରେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆଜି ନୀଳଗିରି ସବ୍‌ଡିଭିଜନାଲ ବାର ଏସୋସିଏସନ ସଭାପତି ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ସଢଙ୍ଗୀଙ୍କ ସହଯୋଗ ରେ  ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ଦୁଃଖ ବଖାଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେପଟେ ଶ୍ରୀଯୁକ୍ତ ସଢଙ୍ଗୀ ଏହି ଘଟଣା ପାଇଁ ପୋଲିସ ବିଭାଗକୁ ସମ୍ପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି। କିପରି ଅଭିଯୁକ୍ତ ଶୀଘ୍ର ଜାମିନ ପାଇବ ଏ ନେଇ ତଦନ୍ତ କାରୀ ଅଫିସର ନିଜର ପଦବୀକୁ ଅପବ୍ୟବହାର କରି ଦଫା କୋହଳ କରିଥିବା ସେ ଅଭିଯୋଗ ଉଠାଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଘଟଣାକୁ ନେଇ ବରମପୁରର ତଦନ୍ତକାରୀ ଅଧିକାରୀ ଚିତ୍ତରଞ୍ଜନ ମିଶ୍ରଙ୍କ ମତାମତ ନେବା ପରେ ପୂର୍ବ ଏତଲାରେ ଠିକଣା ଭୁଲ ଥିବାରୁ ଅଉ ଗୋଟିଏ ଲେଖିବାକୁ କହିଥିଲି।ତେବେ ଦଫା ଆଇନ୍ ମୁତାବକ ଲଗା ଯାଇଥିବା କହିଛନ୍ତି।ସେପଟେ ବରମପୁର ଥାନାଧିକାରୀଙ୍କୁ ଘଟଣା ବିଷୟରେ ଦୃଷ୍ଟି ଆକର୍ଷଣ ପରେ ସେ ସେଦିନ ଅନ୍ୟ କାମରେ ଥିଲେ କଣ ହୋଇଛି ଜାଣିନି ବୋଲି କହିବା ସହ ଫାଇନାଲ ଚାରସିଟରେ ଦଫା ଲାଗିପାରିବ ବୋଲି କହିଛନ୍ତି।

ସରକାର ନାରୀଙ୍କୁ ସମ୍ମାନ ଦେବା ନାରା ଦେଉଥିବାବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସ୍ଥାନୀୟ ଅଂଚଳରେ ବିସ୍ଫୋରକ ପରିସ୍ଥିତି ଘଟିବା ପୂର୍ବରୁ ଏସପି ସ୍ବତନ୍ତ୍ର ଦୃଷ୍ଟି ଦେଇ ତଦନ୍ତ କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.