ପୀଡିତା ଛାତ୍ରୀ କହିଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ ବର୍ଷେ ପର୍ଯ୍ୟନ୍ତ କରୁଥିଲେ ଯୌନ ଶୋଷଣ

Published By : Prameya-News7 Bureau | September 09, 2019 IST

ଶାହାଜାହାଁପୁର: ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ରୀ ସୋମବାର ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖକୁ ଆସିଥିଲେ। ଚିନ୍ମୟାନନ୍ଦ ତାଙ୍କୁ ଦୀର୍ଘ ୧ ବର୍ଷକାଳ ଧରି ଯୌନ ଶୋଷଣ କରୁଥିଲେ ବୋଲି ପୀଡିତା ଖୋଲାଖୋଲି ଗଣମାଧ୍ୟମକୁ କହିଥିଲେ। ଏଥିଲାଗି ସେ ଶାହାଜାହାଁପୁର ଡିଏମ ଓ ପୋଲିସ ଅଧିକାରୀମାନଙ୍କ ବିରୋଧରେ ତାଙ୍କ ପରିବାରକୁ ଧମକ ଦେଉଥିବାର ଅଭିଯୋଗ କରିଛନ୍ତି। ଶାହାଜାହାଁପୁର ପୋଲିସ ତାଙ୍କ ଏଫାଇଆର ରଖୁନଥିବାରୁ ତାଙ୍କୁ ଦିଲ୍ଲୀରେ ଜିରୋ ଏଫଆଇର କରିବାକୁ ପଡିଛି ବୋଲି ପୀଡିତା ଗଣମାଧ୍ୟମକୁ କହିଛନ୍ତି।

ତାଙ୍କ ପିତା ଯେତେବେଳେ ଅଭିଯୋଗ ନେଇ ପୋଲିସରେ ପହଞ୍ଚିଲେ ସେତେବେଳେ ଡିଏମ ଫୋନ କରି ତାଙ୍କୁ କାହା ବିରୋଧରେ ଅଭିଯୋଗ କରୁଛ ଜାଣିପାରୁଛତ ବୋଲି କହିଥିଲେ। ଏଣୁ ପୀଡିତା ଡିଏମଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ଏବେ ଏତଲା ଶାହାଜାହାଁପୁରକୁ ତଦନ୍ତ ଲାଗି ଫରୱାର୍ଡ ହେବ ବୋଲି ଜଣାପଡିଛି। ଏସଆଇଟି ତାଙ୍କୁ ଦୀର୍ଘ ୮ ଘଣ୍ଟାକାଳ ପଚାରା ଉଚରା କରିଥିବା ପୀଡିତା ଗଣମାଧ୍ୟମକୁ କହିଛନ୍ତି। ହେଲେ ଅଭିଯୁକ୍ତକୁ ମାମଲାରେ ଏପର୍ଯ୍ୟନ୍ତ ପଦଟେ ବି ପୋଲିସ ପଚାରି ନଥିବା ସେ ଅଭିଯୋଗ କରିଛନ୍ତି।

ପୀଡିତା ୟୁପି ପୋଲିସ ଉପରେ ତାଙ୍କର ଆଦୌ ଭରସା ନଥିବା କହିଛନ୍ତି। ଏପର୍ଯ୍ୟନତ ପୋଲିସ ଚିନ୍ମୟାନନ୍ଦ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରୁଜୁ କରିନାହିଁ। ସେପଟେ ମୋ ପରିବାର ଲୋକଙ୍କ ଜୀବନ ପ୍ରତି ଏବେ ବିପଦ ଦେଖା ଦେଇଛି। ଚିନ୍ମୟାନନ୍ଦର ଉତ୍ପୀଡନା ନେଇ ସମସ୍ତ ପ୍ରମାଣ ତାଙ୍କ ନିକଟରେ ଥିବା ପୀଡିତା କହିଛନ୍ତି। ତେବେ ସେ ସବୁକୁ ସେ କୋର୍ଟରେ ଉପସ୍ଥାପନ କରିବେ । ଚନ୍ମୟାନନ୍ଦର ଧମକ ଯୋଗୁ ସେ ବାଧ୍ୟ ହୋଇ ଦିଲ୍ଲୀ ଓ ରାଜସ୍ଥାନରେ ଶରଣ ନେବାକୁ ବାଧ୍ୟ ହୋଇଥିଲେ ବୋଲି ପୀଡିତା ଗଣମାଧ୍ୟମକୁ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.