ବଲାଙ୍ଗୀର୧୮/୬: ପଦାରେ ପଡିଲା ବିବାହିତ ଯୁବକଙ୍କ କାଣ୍ଡ କାରନାମା। ଏହି ବ୍ୟକ୍ତି ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍କର୍ମ କରିଛି। କେବଳ ଥରେ ନୁହେଁ ବିବାହର ମିଛ ପ୍ରତିଶ୍ରୁତି ଦେଇ ଜୈନିକ ଯୁବତୀଙ୍କୁ ସେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ବର୍ତ୍ତମାନ ଚୋରା ଛପାରେ ଚାଲିଥିବା ପ୍ରେମ ସଂପର୍କ ହାଟରେ ପଡି ଦାଣ୍ଡରେ ଗଡ଼ୁଛି। ସଂପୃକ୍ତ ଯୁବତୀ ୮ ମାସ ଗର୍ଭବତୀ ହେବା ପରେ ଏବେ ଆଇନ୍ର ଦ୍ବାରସ୍ଥ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ପ୍ରଥମେ ଯୁବତୀ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ତାଙ୍କୁ ଥାନାରୁ ତଡି ଦେଇଥିବାରୁ ପୀଡିତା ଏବଂ ତାଙ୍କ ପରିବାର ଶେଷରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେପଟେ ଆଇନ୍ ଅନୁସାରେ ପୀଡିତାଙ୍କୁ ନ୍ୟାୟ ମିଳିବ ବୋଲି ଏଡିସିନାଲ ଏସପି କହିଛନ୍ତି।
ପୀଡିତା ହେଲେ ମୁରିବାହାଲ ବ୍ଲକ ଚଲକି ଗାଁର ୧୮ ବର୍ଷିୟା ଯୁବତୀ। ଯାହାକୁ ପ୍ରେମ କରିବା ସହ ବିବାହ କରିବା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସେହି ଗାଁର ବିବାହିତ ଯୁବକ ରୁଷୁ ବେନିଆ । ପୀଡିତାଙ୍କ ବାପା ଜଣେ ଦିନ ମଜୁରିଆ। ତେଣୁ ସେ ବାହାରେ ରହି କାମ କରନ୍ତି। ଏହାର ସୁଯୋଗ ନେଇ ଏହି ଯୁବକ ତାଙ୍କର ସର୍ବନାଶ କରିଥିବା ପୀଡିତାଙ୍କ ବାପା କହିଛନ୍ତି। ସେପଟେ ପୀଡିତାଙ୍କ ବାପା-ମାଆ ଏନେଇ ସମସ୍ତ ଘଟଣା ଜାଣିବା ପରେ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।