ଟିକା ଆସିଲେ ମେ ୩ ପରେ ୧୮ ରୁ ୪୪ ବର୍ଗଙ୍କ ହେବ ଟିକାକରଣ, ଦ୍ଵିତୀୟ ଡୋଜ୍ ପାଇଁ ପ୍ରାଥମିକତା, ଗୁରୁତରଙ୍କୁ ବେଡ୍ ଆଗ

Published By : Prameya-News7 Bureau | April 30, 2021 IST

ଭୁବନେଶ୍ଵର ୩୦।୦୪: ଦେଶ ସହ ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଦୈନିକ ସଂକ୍ରମଣରେ ଓଡିଶା ଆଜି ସବୁ ରେକର୍ଡ ଭାଙ୍ଗିଛି। ଏହି ସବୁ ମଧ୍ୟରେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କୋଭିଡ୍ ନିୟମ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଦ୍ଵିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରିନଥିଲୁ। ଆଜି ରାଜ୍ୟ ସଂକ୍ରମଣରେ ସର୍ବକାଳୀନ ରେକର୍ଡ କରିଛି। ମେ ୧ରୁ ଟିକାକରଣ ହୋଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ଅପିଲ୍ କରିଛନ୍ତି। ରାଜ୍ୟରେ ଅକ୍ସିଜେନ୍ ଅଭାବ ନଥିବା ସଚିବ କହିଛନ୍ତି।

ଏବେ ଦେଶର ୮୦ ପ୍ରତିଶତ କେସ୍‌ ୮/୯ଟି ରାଜ୍ୟରୁ ଆସୁଛି। ତେଣୁ ଆମକୁ ସତର୍କ ରହିବା ବହୁ ଜରୁରୀ। କୋଭିଡ୍ ନିୟମ ପାଳନ କଲେ ଆମେ ସ୍ଥିତିକୁ ନିୟନ୍ତ୍ରଣ କରି ପାରିବା। ନିହାତି ଭାବେ ମାସ୍କ ପିନ୍ଧନ୍ତୁ, ବଜାରକୁ ଗଲେ ସଚେତନ ରୁହନ୍ତୁ ବୋଲି ସଚିବ କହିଛନ୍ତି। ସ୍ଥିତି ମୁକାବିଲା ପାଇଁ ରାଜ୍ୟରେ କରୋନା ଟେଷ୍ଟିଂ ବୃଦ୍ଧି କରାଯାଇଛି। ଦୈନିକ ୨୫ ହଜାର ଆରଟିପିସିଆର ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗ, ଛତିଶଗଡ ସୀମା ସିଲ୍ କରାଯାଇ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ।

ସ୍ଥିତି କେଉଁଆଡେ ଯିବ କହି ହେବନାହିଁ

ସେ କହିଛନ୍ତି, ଦେଶର ସ୍ଥିତି କେଉଁଆଡେ ଯିବ, କେହି ଆକଳନ କରି ପାରୁନାହାନ୍ତି। ଯେତେ ପଦକ୍ଷେପ ନେଲେ ବି କୋଭିଡ୍ ଲହର ଥମିବାର ନାଁ ନେଉନାହିଁ। ହସ୍ପିଟାଲରେ ଯଥା ସମ୍ଭବ ବ୍ୟବସ୍ଥା କରାଯାଇଛି। କିନ୍ତୁ ଆଗକୁ ସ୍ଥିତି କଣ ହେବ, କିଛି ଆକଳନ କରି ହେବ ନାହିଁ। ଏବେ ୩୩ ପ୍ରତିଶତ ସାଧାରଣ ବେଡ୍, ୬୯ ପ୍ରତିଶତ ଆଇସିୟୁ, ୩୫ ପ୍ରତିଶତ ଭେଣ୍ଟିଲେଟର ବ୍ୟବହୃତ ହୋଇଛି।

ହୋମ ଆଇସୋଲେସନରେ ରୁହନ୍ତୁ

ସେ କହିଛନ୍ତି ଯେ,  ୬୧୬୯୮ ସକ୍ରିୟ କେସ୍। ୮୯ ପ୍ରତିଶତ ରୋଗୀ ହୋମ ଆଇଲୋଲେସନରେ ଅଛନ୍ତି। ୯୫ ରୁ ୯୭ ପ୍ରତିଶତ ରୋଗୀଙ୍କୁ ହୋମ ଆଇସୋଲେସନରେ ରହିବାକୁ ଡାକ୍ତରୀ ବିଶେଷଜ୍ଞ ଦେଇଛନ୍ତି। କୋଭିଡ୍ ପଜିଟିଭ୍ ହେଲେ ଚିନ୍ତା କରନ୍ତୁ ନାହିଁ। ତୁରନ୍ତ ହସ୍ପିଟାଲ ଆସି ବେଡ୍ ନିଅନ୍ତୁ ନାହିଁ। ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଘରେ ହୋମ ଆଇସୋଲେସନରେ ରୁହନ୍ତୁ। ରାଜ୍ୟରେ ଅକ୍ସିଜେନ୍‌ର କୌଣସି ଅଭାବ ନାହିଁ ବୋଲି ଏସିଏସ କହିଛନ୍ତି। କୌଣସି ହସ୍ପିଟାଲରେ ସିଲିଣ୍ଡର ଯେମିତି ଖାଲି ରହିବନି ନିର୍ଦ୍ଦେଶ ଦେଇଛୁ।

କରୋନା ଔଷଧ ରେମଡେସିଭି ସଂପର୍କରେ ସ୍ଵାସ୍ଥ୍ୟ ଏସିଏସ କହିଛନ୍ତି ଯେ, ରାଜ୍ୟରେ ରେମଡେସିଭିରର ଅଭାବ ନାହିଁ। ଦୈନିକ ରାଜ୍ୟରେ ୧୨ ଶହ ରେମଡେସିଭିର ଦରକାର ହେଉଛି। ଆମ ପାଖରେ ୪୩ ହଜାର ରେମଡେସିଭିର ଷ୍ଟକ ରହିଛି। ଆହୁରି ୨୧ ହଜାର ରେମଡେସିଭିର ଆମ ପାଖରେ ପହଞ୍ଚିବ। ଯାହା ଅଭାବ କଥା କୁହାଯାଉଛି ତାହା ଘରୋଇ ହସ୍ପିଟାଲରେ ହୋଇଥିବା ସଚିବ କହିଛନ୍ତି।

ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ

ସଚିବ କହିଛନ୍ତି, କୋଭିଡ୍ ପଜିଟିଭ୍ ହେଲେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତରବର ହୋଇ ହସ୍ପିଟାଲ ଆସନ୍ତୁ ନାହିଁ। ହୋମ ଆଇସୋଲେସନରେ ରୁହନ୍ତୁ। ଯାହାକୁ ଜରୁରୀ ସେ  ହସ୍ପିଟାଲ ଆସନ୍ତୁ। ରାଜ୍ୟର ପ୍ରତି ଜିଲ୍ଲାରେ ପର୍ଯ୍ୟାପ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଯଦି ହୋମ ଆଇସୋଲେସନରେ ଅବସ୍ଥା ଗୁରୁତର ହୁଏ ତେବେ ଆମ୍ବୁଲାନ୍ସ ଘରକୁ ଯାଇ ମେଡିକାଲ ଆଣିବ। ଜରୁରୀ ଲୋକଙ୍କୁ ବେଡ୍ ଦିଅନ୍ତୁ।

ରାଜ୍ୟରେ ପ୍ରାୟ ୧.୯୩ କୋଟି ୧୮ରୁ ୪୪ ବର୍ଷର ଲୋକ ଅଛନ୍ତି। ସମସ୍ତଙ୍କୁ ମାଗଣା ଟିକା ଦିଆଯିବ। କିନ୍ତୁ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ହୋଇ ପାରିବ ନାହିଁ। ଆବଶ୍ୟକ ମୁତାବକ ଟିକା ମହଜୁଦ ନଥିବାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କେବେ ଟିକାକରଣ ହେବ କହି ପାରିବୁ ନାହିଁ। ଟିକା ପାଇଁ ଦୁଇ କମ୍ପାନୀକୁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ଭାରତ ବାୟୋଟେକ୍‌କୁ ପ୍ରଥମେ ୫ ଲକ୍ଷ ଏବଂ ସିରମକୁ ମେ ମାସରେ ୪୦ ଲକ୍ଷ ଟିକା ଦେବାକୁ କହିଛୁ। ପର ମାସରେ ୬୦ ଲକ୍ଷ ଡୋଜ୍ ଦେବାକୁ ଅର୍ଡର ଦେଇଛୁ।

ଦ୍ଵିତୀୟ ଡୋଜ୍‌କୁ ଅଗ୍ରାଧିକାର

ସେ କହିଛନ୍ତି କେବେ ଆମ ପାଖରେ ଟିକା ପହଞ୍ଚିବ, କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଦୁଇ ଟିକା କମ୍ପାନୀ ଟିକା ଦେବାକୁ ଆମକୁ ଆଶ୍ଵାସନା ଦେଇଛନ୍ତି। ଟିକା ପହଞ୍ଚିଲେ ଯାଇ ୧୮ ରୁ ୪୪ ବର୍ଗଙ୍କ ଟିକାକରଣ ଆରମ୍ଭ ହେବ ବୋଲି ଅତିରିକ୍ତ ମୁଖ୍ୟ ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସମସ୍ତେ ଟିକା ପାଇଁ ନାମ ପଞ୍ଜୀକରଣ କରନ୍ତୁ।  ଟିକା ଆସିଲେ ଟିକା ଦିଆଯିବ। ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ୍ ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ସଚିବ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.