କୋଲ ଇଣ୍ଡିଆକୁ ଭାଙ୍ଗି ଦେଇ ପାରନ୍ତି ସରକାର, ଜାଣନ୍ତୁ କାରଣ
17/07/2019 at 10:44 PM

ନୂଆଦିଲ୍ଲୀ: ଦେଶର ସାର୍ବଜନିକ କ୍ଷେତ୍ରର ସବୁଠୁ ବଡ କୋଇଲା ଖନନ କମ୍ପାନୀ କୋଲ ଇଣ୍ଡିଆ ଲିମିଟେଡର ପୃଥକ ପୃଥକ ୟୁନିଟକୁ ଅଲଗା ଅଲଗା ସୂଚିବଦ୍ଧ କମ୍ପାନୀରେ ସାମିଲ କରାଯାଇପାରେ। ଖନନ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ସୃଷ୍ଟି କରିବା ଓ ସରକାରଙ୍କ ଆୟ ବଢାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ପ୍ରସ୍ତାବକୁ ଏବେ ସରକାର ଅଧ୍ୟୟନ କରୁଥିବା ଏକ ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି। ତେବେ ଏଥିପାଇଁ କେତେ ସମୟ ଲାଗିବ ତାହା କିନ୍ତୁ ସ୍ପଷ୍ଟ ହୋଇ ନାହିଁ।

ଗତ ଜୁଲାଇ ୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୧୯-୨୦ ବର୍ଷ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟପାଳି ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ଯେଉଁଥିରେ ଦେଶର ବର୍ତ୍ତମାନ ଅର୍ଥବ୍ୟବସ୍ଥାକୁ ୧.୦୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ସରାକାରଙ୍କ ଲକ୍ଷ ବୋଲି କହିଥିଲେ। ତେବେ ଦେଶର ପ୍ରମୁଖ ଆୟକାରୀ ଖଣି କମ୍ପାନୀ କୋଲ ଇଣ୍ଡିଆ ଲିଃର ଗତ ଆର୍ଥିକ ବର୍ଷରେ ଉତ୍ପାଦନ ପରିମାଣ ଥିଲା ୬୦୭ ମିଲିୟନ ମେଟ୍ରିକ ଟନ। ଯାହା ଗତ ୨୦୧୭ ମସିହାର ଉତ୍ପାଦନ ହାର ଠାରୁ ୨୨ ପ୍ରତିଶତରୁ ବି କମ୍ । ସେପଟେ ଦେଶର ଇନ୍ଧନ ଆମଦାନୀ ହାର ବୃଦ୍ଧି ହେଉଥିବା ବେଳେ ଖଣି କମ୍ପାନୀର ଆୟ ହ୍ରାସ ସରକାରଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ଚୀନ ପରେ ଭାରତ ବିଶ୍ୱର ଦ୍ୱୀତୀୟ କୋଇଲା ଉପଭୋକ୍ତା ଦେଶ। ଘରୋଇ ଆବଶ୍ୟକତାର ପ୍ରାୟ ୮୩ ପ୍ରତିଶତ କୋଲ ଇଣ୍ଡିଆ ପୁରଣ କରିଥାନ୍ତି । ହେଲେ ଗତ କିଛି ବର୍ଷ ହେଲା ଲଗାତାର ଉତ୍ପାଦନ ହ୍ରାସ ଯୋଗୁ ଦେଶକୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି।

କୋଲ ଇଣ୍ଡିଆର ଏଭଳି ପରଫର୍ମାନ୍ସ ଯୋଗୁ ଗତ ୨୦୧୭ ମସିହାରେ ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ନୀତି ଆୟୋଗ କୋଲ ଇଣ୍ଡିଆକୁ ଭାଙ୍ଗିଦେବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ଦ୍ୱାରା କୋଲ ଇଣ୍ଡିଆର ପୃଥକ ପୃଥକ ୟୁନିଟ ମଧ୍ୟରେ ପ୍ରତିଯୋଗୀତା ମୂଳକ ମନୋଭାବ ସୃଷ୍ଟି ହେବା ସହ ଉତ୍ପାଦନ ବୃଦ୍ଧି ହେବ ବୋଲି ପରାମର୍ଶ ଦେଇଥିଲେ। ତେବେ ତତ୍କାଳୀନ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ମହାନଦୀ କୋଲଫିଲ୍ଡସ, ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍, ନର୍ଦ୍ଦନ କୋଲଫିଲ୍ଡସ ଓ ସେଣ୍ଟ୍ରାଲ କୋଲ ଫିଲ୍ଡସକୁ ନେଇ ଗଠିତ ହୋଇଛି କୋଲ ଇଣ୍ଡିଆ ଲିମିଟେଡ। ପ୍ରଚୁର ସଂସାଧନ ସତ୍ତ୍ୱେ ଏବେପୁରଣ କରିପାରୁନି ଦେଶର ଆବଶ୍ୟକତା।