ରିଲାଏନ୍ସ-ଫ୍ୟୁଚର ଗ୍ରୁପ ଚୁକ୍ତିରେ କାହିଁକି ଚେକ୍ ଦେଲା ଆମାଜନ, କ'ଣ କାରଣ ଏବଂ କାହିଁକି ରହିଛି ଅଡୁଆ ?

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭।୧୦: ବିଶ୍ଵର ସର୍ବବୃହତ ଅନଲାଇନ୍ ରିଟେଲର ଏବଂ ଭାରତର ସର୍ବବୃହତ ରିଟେଲର ମଧ୍ୟରେ ଆରମ୍ଭ ହୋଇ ଯାଇଛି ବ୍ୟବସାୟିକ ଲଢେଇ। ଏହି ଲଢେଇ ଫ୍ୟୁଚର ଗ୍ରୁପ-ରିଲାଏନ୍ସ ଓ ଆମାଜନ ମଧ୍ୟରେ ଚୁକ୍ତିକୁ ନେଇ ହୋଇଛି। ଆମାଜନ ରବିବାର ସିଙ୍ଗାପୁରରେ ୨୪,୭୧୩ କୋଟି ଟଙ୍କାର ଫ୍ୟୁଚର ଗ୍ରୁପ୍ ଏବଂ ରିଲାଏନ୍ସ ରିଟେଲ ମଧ୍ୟରେ ହୋଇଥିବା ଡିଲ ବିରୋଧରେ ଦାଖଲ ମଧ୍ୟସ୍ଥତାରେ ମଧ୍ୟବର୍ତ୍ତୀକାଳୀନ ଆଶ୍ଵସ୍ଥି ଜିତିଛି। ଦ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟର ଯେ ପର୍ଯ୍ୟନ୍ତ ଏହି ମାମଲାରେ ନିଷ୍ପତ୍ତି ହୋଇ ନାହିଁ ରିଲାଏନ୍ସ ସହିତ ନିଜର ସଂପୂର୍ଣ୍ଣ ଚୁକ୍ତି ନକରିବାକୁ ଫ୍ୟୁଚର ଗ୍ରୁପକୁ ନିର୍ଦ୍ଦେଶ ଦେଇଛି।  

ଏହି ମଧ୍ୟସ୍ଥତା ସହିତ ଆମାଜନ ମୁକେଶ ଅମ୍ବାନୀ ଏବଂ ତାଙ୍କ ଖୁଚୁରା ବ୍ୟବସାୟକୁ ନେବାକୁ ଚାହୁଁଛି। କିରୋଶ ବିୟାନୀଙ୍କ ଖୁଚୁରା ବ୍ୟବସାୟ ମିଳିଲେ ଭାରତର ସବୁଠୁ ବଡ ଖୁଚୁରା ବିକ୍ରେତା ହେବାକୁ ଚାହୁଁଛି ଆମାଜନ।

ଅନ୍ୟପଟେ ଫ୍ୟୁଚର ଗ୍ରୁପ ସହିତ ନିଜର ଡିଲ୍‌ ହାତଛଡା କରିବାକୁ ଚାହୁଁନି ରିଲାଏନ୍ସ। ତେଣୁ ବିଜ୍ଞପ୍ତି ଜାରି କରି ରିଲାଏନ୍ସ କହିଛି କମ୍ପାନୀ କୌଣସି ମନମୁଖୀ କାର୍ଯ୍ୟରେ ସଂପୃକ୍ତ ନୁହେଁ ଏବଂ ଚୁକ୍ତିରୁ ଓହରୁନଥିବା ସଙ୍କେତ ଦେଇଛି। ଏହି ରାଜିନାମା ପୂରା କରିବାକୁ ଚାହୁଁଥିବା କମ୍ପାନୀର ଆଭିମୁଖ୍ୟ  ରହିଛି। ଫ୍ୟୁଚର ଗ୍ରୁପକୁ ମଧ୍ୟ SIAC ଦ୍ଵାରା ଗୃହୀତ ଅନ୍ତରୀଣ ଆଦେଶକୁ ଚ୍ୟାଲେଞ୍ଜ ଦେବାର ସମ୍ଭାବନା ରହିଛି।

ଆମାଜନ କାହିଁକି ଫ୍ୟୁଚର ଗ୍ରୁପ ଓ ରିଲାଏନ୍ସ ରିଟେଲ୍ ଡିଲ୍‌କୁ ବିରୋଧ କରୁଛି ? ଆମାଜନର ଫ୍ୟୁଚର ଗ୍ରୁପସ ହିତ କଣ ସଂପର୍କ ରହିଛି ? ଏହି ଡିଲ୍‌ରେ ଆମାଜନ ଉପରେ କଣ ପ୍ରଭାବ ପଡୁଛି ? ଆସନ୍ତୁ ଜାଣିବା…

୨୦୧୯ ଅଗଷ୍ଟରେ କିଶୋର ବିୟାନୀଙ୍କ ନେତୃତ୍ଵାଧୀନ ଫ୍ୟୁଚର ଗ୍ରୁପ ଘୋଷଣା କରିଥିଲା ଯେ, ଆମାଜନ ଫ୍ୟୁଚର କୁପନରେ ପ୍ରାୟ ୧୪୦୦ କୋଟି ଟଙ୍କାରେ ୪୯ ପ୍ରତିଶତ ଅଂଶଧନ କିଣିଛି। ଫ୍ୟୁଚର କୁପନ ଯାହା ମୂଲ୍ୟବର୍ଦ୍ଧିତ ଦୈୟ ଉତ୍ପାଦନ, ଉପହାର କାର୍ଡ, ଲୟାଲଟି କାର୍ଡ ଓ ରିଓ୍ଵାର୍ଡ କାର୍ଡ ପରି ଅଫର ପ୍ରଦାନ କରିଥାଏ। ଫ୍ୟୁଚର ରିଟେଲ୍‌ର ପ୍ରମୋଟର ସଂସ୍ଥାର ଏଥିରେ ୭.୩ ପ୍ରତିଶତ ଅଂଶଧନ ରହିଛି। ଏହି ରାଜିନାମା ମାଧ୍ୟମରେ ଆମାଜନକୁ ପରୋକ୍ଷ ଭାବେ ଫ୍ୟୁଚର ରିଟେଲ୍‌ଠୁ ୩.୬ ପ୍ରତିଶତ ଅଂଶଧନ ମିଳିଛି।

ଆମାଜନ ପରୋକ୍ଷା ମାର୍ଗ ଆପଣାଇଛି କାରଣ ବର୍ତ୍ତମାନ ଏଫଡିଆଇ(ପ୍ରତ୍ୟେକ୍ଷ ବିଦେଶୀ ନିବେଶ)ର ମାନଦଣ୍ଡ ଆମାଜନକୁ ଫ୍ୟୁଚର ରିଟେଲ୍ଠୁ ଅଧିକ ଅଂଶଧନ ନେବାକୁ ଅନୁମତି ଦେଉନାହିଁ। କିନ୍ତୁ ପ୍ରଚଳିତ ଏଫଡିଆଇ ନିୟମ ଅନୁଯାୟୀ ଚୁକ୍ତିରେ ଆମାଜନକୁ ଏକ କଲ୍‌ ବିକଳ୍ପ ଦେଇଥିଲା, ଯେଉଁଥିରେ ସଂସ୍ଥା ଫ୍ୟୁଚର ରିଟେଲ୍‌ରେ ଆଂଶିକ କିମ୍ବା ନିୟନ୍ତ୍ରିତ ଅଂଶଧନ କିଣିବାକୁ ଅନୁମତି ଦେଇଥିଲା।

ପରେ ୨୦୨୦ ଜାନୁଆରୀରେ ଫ୍ୟୁଚର ରିଟେଲ୍‌ ଆମାଜନ ଇଣ୍ଡିଆ ସହିତ ଦୀର୍ଘକାଳୀନ ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲା। ଯାହା ଦ୍ଵାରା ଆମାଜନ ଫ୍ୟୁଚର ରିଟେଲର ଷ୍ଟୋରଗୁଡିକ ପାଇଁ ଅଧିକୃତ ଅନଲାଇନ୍‌ ବିକୟ ଚ୍ୟାନେଲ  ହୋଇ ପାରିବ। ବିୟାନୀ କହିଥିଲେ, ଏହି ଚୁକ୍ତି ଦ୍ଵାରା ଡିଜିଟାଲ କ୍ଷେତ୍ରରେ ଗ୍ରାହକଙ୍କୁ ସର୍ବୋତ୍ତମ ସେବା, ଉତ୍ପାଦନ ପ୍ରଦାନ କରିବା ସହିତ ଉପଯୁକ୍ତ ମୂଲ୍ୟରେ ସାମଗ୍ରୀ ଯୋଗାଇ ପାରିବ।

ଅପରପକ୍ଷେ ଫ୍ୟୁଚର ଗ୍ରୁପ ପୂର୍ବରୁ ବଢୁଥିବା ଋଣ  ବୋଝ ତଳେ ଦବି ରହିଥିଲା। କମ୍ପାନୀର ଘାଟା ବଢି ଚାଲିଥିାଲ। କୋଭିଡ୍-୧୯ ମହାମାରୀ ଏବଂ ଲକ୍‌ଡାଉନ୍‌ ସମୟରେ ଫ୍ୟୁଚର ଗ୍ରୁପର ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡିଥିଲା। ମହାମାରୀ ୩-୪ ମାସରେ ରାଜସ୍ଵରେ ପ୍ରାୟ ୭୦୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା। ଏହି ସମୟରେ କମ୍ପାନୀ ଋଣ ଉପରେ ସୁଧ ଦେବା ଛାଡ ହୋଇନଥିଲା। ସଂସ୍ଥା ଧିରେ ଧିରେ ଋଣ ବୋଝଭାର ତଳେ ଦବି ହୋଇ ଚାଲିଥିଲା।

ଘାଟା ବଢୁଥିବା ଦେଖି ଫ୍ୟୁଚର ଗ୍ରୁପ ନିଜର ଅଂଶଧନ ଧିରେ ଧିରେ ବିକ୍ରି କରିବା ଆରମ୍ଭ କରିଥିଲା। ଏଥିନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ, ସମାରା କ୍ୟାପିଟାଲ୍ସ ଓ ପ୍ରେମଜୀ ଇନଭେଷ୍ଟ ସହିତ ଅନେକ ଥର ଆଲୋଚନା ହୋଇଥିଲା। ଆଲୋଚନା ପରେ ଫ୍ୟୁଚର ଗ୍ରୁପ ଏକ ବଡ ପୁନର୍ଗଠନର ଘୋଷଣା କରିଥିଲା। ଏଥିରେ ଫ୍ୟୁଚର ରିଟେଲ୍, ଫ୍ୟୁଚର ଲାଇଫଷ୍ଟାଇଲ ଫ୍ୟାସନ, ଫ୍ୟୁଚର କଞ୍ଜ୍ୟୁମର, ଫ୍ୟୁଚର ସପ୍ଲାଇ ଚେନ ଓ ଫ୍ୟୁଚର ମାର୍କେଟ୍ ସହିତ ପ୍ରମୁଖ ସମୂହର କମ୍ପାନୀ ସାମିଲ ଥିଲେ। ନେଟ୍‌ଓ୍ଵର୍କ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ୍‌(FEL)ରେ ବିଲୀନ ହୋଇ ଯାଇଥିଲା।

ରିଲାଏନ୍ସର ପ୍ରବେଶ

ନିଜ ବ୍ୟବସାୟର ପୁନର୍ଗଠନ ସହିତ ଫ୍ୟୁଚର ଗ୍ରୁପ ଫ୍ୟୁଚର ଏଣ୍ଟରପ୍ରାଇଜେସ୍‌ର ଖୁଚୁରା, ରିଟେଲ୍ ଓ ଲଜିଷ୍ଟିକ କାରବାରକୁ ୨୪,୭୧୩ କୋଟି ଟଙ୍କାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜକୁ ବିକ୍ରି କରିବାକୁ ଘୋଷଣା କରିଥିଲା। ଫ୍ୟୁଚର ଓ ରିଲାଏନ୍ସ ରିଟେଲ୍ ମଧ୍ୟରେ ହୋଇଥିବା ଚୁକ୍ତିରେ ବିଗବଜାର, ଏଫବିବି, ବ୍ରାଣ୍ଡ ଫ୍ୟାକ୍ଟ୍ରି, ଫୁଡହଲ, ହେରିଟେଜ୍ ଫ୍ରେଶ ଓ WHSmith ସହିତ ୧୫୫୦ରୁ ଅଧିକ ଷ୍ଟୋର ରିଲାଏନ୍ସ ଇଣ୍ଡଷ୍ଟ୍ରୀଜରେ ସାମିଲ ହେବ।

ଏହି ବିକ୍ରି ଚୁକ୍ତି ପରେ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ନିଜର ଏଫଏମସିଜି ସାମଗ୍ରୀର ବିନିର୍ମାଣ ଓ ବିତରଣ, ଏକକୀକରଣ ଫ୍ୟାସନ ସୋର୍ସି ଓ ଉତ୍ପାଦନ ବ୍ୟବସାୟ ଓ ଏହାର ବୀମା ମିଳିତ ଉଦ୍ୟୋଗକୁ ବଜାୟ ରଖିବ ବୋଲି କହିଥିଲା। ଡିଲ୍ ସମାପ୍ତ ପରେ ରିଲାଏନ୍ସ ରିଟେଲ୍‌ ଫ୍ୟୁଚର ଏଣ୍ଟରପ୍ରାଇଜେସ୍‌ରେ ମଧ୍ୟ ୧୩.୧୪ ପ୍ରତିଶତ ଅଂଶଧନ ରଖିବ।

ଏହା ପରେ ଆମାଜନ ରିଲାଏନ୍ସ ଚୁକ୍ତି ଉପରେ ଫ୍ୟୁଚର ଗ୍ରୁପକୁ ଆଇନଗତ ନୋଟିସ୍ ପଠାଇଥିଲା। ଆମାଜନ କହିଛି ଫ୍ୟୁଚର ରିଟେଲ୍‌ରେ ଅଂଶଧନ ଥିବା କାରଣରୁ ଫ୍ୟୁଚର ରିଟେଲ୍‌ରେ ଅଂଶଧନ ନେବାର ପ୍ରଥମ ଅଧିକାର ତାର ରହିଛି। ଫ୍ୟୁଚର ଗ୍ରୁପ ସହିତ ରିଲାଏନ୍ସର ଏହି ଚୁକ୍ତି ବ୍ୟବସାୟିକ ରାଜିନାମାର ଉଲ୍ଲଂଘନ କରୁଛି। ଫ୍ୟୁଚର ଗ୍ରୁପ ଆମାଜନର ସହମତି ବିନା ଅଂଶଧନ ବିକ୍ରି ଉପରେ ଚୁକ୍ତି କରି ପାରିବ ନାହିଁ।

ଏବେ କଣ ହୋଇପାରେ

ଫ୍ୟୁଚର ଗ୍ରୁପ ଓ ରିଲାଏନ୍ସ ରିଟେଲ୍‌ ନିଜର ଚୁକ୍ତିରୁ ପଛକୁ ହଟି ପାରିବେ ନାହିଁ। ଶୁଣାଣି ସମୟରେ ଫ୍ୟୁଚର ରିଟେଲ୍ ନିଜର ଦଲିଲ୍‌ରେ କହିଛି ଯେ, ଆମାଜନର ଚୁକ୍ତି ଏକ ପୃଥକ ସଂସ୍ଥା ଫ୍ୟୁଚର କୁପନ ସହିତ ହୋଇଛି। ତେଣୁ ଏହାର ରିଲାଏନ୍ସ ରିଟେଲ୍ ସହିତ ଫ୍ୟୁଚର ଗ୍ରୁପ ସହିତ କୌଣସି ସଂପର୍କ ନାହିଁ। ଫ୍ୟୁଚର ଗ୍ରୁପର କହିବା କଥା ସେ ଭାରତୀୟ ବିଧି ଏବଂ ବ୍ୟବସାୟିକ ଭାଗିଦାରୀ ଆଇନ ଅନୁଯାୟୀ ରିଲାଏନ୍ସ ସହିତ ଚୁକ୍ତି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.