ସତ ଓ ସ୍ପଷ୍ଟ ଖବର ଉପରେ ଅଙ୍କୁଶ ଲଗାଯାଇ ପାରିବ ନାହିଁ: ସାମ୍ବାଦିକଙ୍କ ବିରୋଧରେ ଏଫଆଇଆରକୁ ଖାରଜ କରି ହାଇକୋର୍ଟ ଶୁଣାଇଲେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

Published By : Prameya-News7 Bureau | October 10, 2020 IST

ଶ୍ରୀନଗର ୧୦।୧୦: ସାମ୍ବାଦିକଙ୍କ ସଠିକ୍ ନିରପେକ୍ଷ ତଥା ସ୍ପଷ୍ଟ ଖବରକୁ ସ୍ଵୀକୃତି ଦେଇଛନ୍ତି ଅଦାଲତ।  ଜଣେ ସାମ୍ବାଦିକଙ୍କ ଏଭଳି ସଠିକ୍ ନିରପେକ୍ଷ ତଥା ସ୍ପଷ୍ଟ ରିପୋର୍ଟିଂ ଯଥାର୍ଥ ବୋଲି ଦର୍ଶାଇ  ଜାମ୍ମୁ ଓ କାଶ୍ମୀର ହାଇକୋର୍ଟ ଜଣେ ସାମ୍ବାଦିକଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ଖାରଜ କରିଛନ୍ତି। ଜାମ୍ମୁ-କାଶ୍ମୀର ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସାମ୍ବାଦିକଙ୍କ ବାକ୍‌ ସ୍ଵାଧୀନତାର ଅଧିକାର ସମ୍ବିଧାନ ସ୍ଵୀକୃତ। ସାମ୍ବାଦିକଙ୍କୁ ସତ୍ୟାସତ୍ୟ ଖବର ପ୍ରସାରଣ କରିବାରେ କୌଣସି ଅପରାଧ ନାହିଁ, ସେ ବିବାଦୀୟ ଖବର ହୋଇଥାଉ ନା କାହିଁକି। ଘଟଣାର ବାସ୍ତବତା ଦେଖାଇବା ଗଣମାଧ୍ୟମର ଦାୟିତ୍ଵ।

ଖବର କାଗଜର ଖବର ପ୍ରକାଶ ପାଇଥିଲା ଯେ, ଜାମ୍ମୁ-କାଶ୍ମୀରରେ ପଥର ଫିଙ୍ଗାଳି ଏବେ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରୁଛନ୍ତି। ଏଥିରେ ଚାରି ଜଣ ମହିଳା ଆହତ ହୋଇଛନ୍ତି। ୨୦୧୮ ଏପ୍ରିଲ ୩ରେ ଟାଇମ୍ସ ଅଫ ଇଣ୍ଡିଆ ଦ୍ଵାରା ଏହି ଖବର ପ୍ରକାଶ ପାଇଥିଲା। ଏହି ଖବର ସଲିନ ପଣ୍ଡିତ ଲେଖିଥିଲେ। ଏହି ଖବରକୁ ମିଥ୍ୟା ଦର୍ଶାଇ ଟ୍ରାଭେଲ ଏଜେଣ୍ଟ ପଣ୍ଡିତଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ କହିଥିଲେ ଏହି ପରି ମିଥ୍ୟା ଖବର କାଶ୍ମୀରରେ ପର୍ଯ୍ୟଟନକୁ ପ୍ରଭାବିତ କରିବ।

ଟ୍ରାଭେଲ ଏଜେଣ୍ଟକୁ ଅଭିଯୋଗକୁ ଭିତ୍ତି କରି ଜାମ୍ମୁ-କାଶ୍ମୀର ପୋଲିସ ପଣ୍ଡିତଙ୍କ ବିରୋଧରେ ରଣବୀର ଦଣ୍ଡ ସଂହିତାର ଧାରା ୫୦୫ ଆଧାରରେ(ଗୁଜବ ପ୍ରଚାର କରିବା ଉଦ୍ଦେଶ୍ୟରେ ଖବର ଦେବା, ଯେଉଁଥିରେ କୌଣସି ବି ବ୍ୟକ୍ତିଙ୍କୁ ରାଜ୍ୟ ବିରୋଧରେ ଅପରାଧ ପାଇଁ ପ୍ରେରିତ କରିବା)ଏଫଆଇଆର ରୁଜୁ କରିଥିଲା।

ଜାମ୍ମୁ-କାଶ୍ମୀର ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୟ ଧର କହିଛନ୍ତି, ଗଣମାଧ୍ୟମ ଦ୍ଵାରା ଘଟଣାର ନିରପେକ୍ଷ ଓ ସ୍ପଷ୍ଟ ରିପୋର୍ଟିଂ ଉପରେ ଅଙ୍କୁଶ ଲଗାଯାଇ ପାରିବ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ନିରପେକ୍ଷ ଏବଂ ସ୍ପଷ୍ଟ ଖବର ଉପରେ ଏଥିପାଇଁ ଅଙ୍କୁଶ ଲଗାଯିବ କାରଣ ଏହି ଖବର ଦ୍ଵାରା ଏକ ବିଶେଷ ବ୍ୟବସାୟରେ ଥିବା ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ। ଏମିତି ହେଲେ ଅଭିବ୍ୟକ୍ତିର ସ୍ଵତନ୍ତ୍ରତାର ଅଧିକାରର ଉଲ୍ଲଂଘନ ହେବ। ଭାରତର ସମ୍ବିଧାନର ଅନୁଚ୍ଛେଦ ୧୯(୧) (ଏ) ଆଧାରରେ ସମସ୍ତୂଙ୍କୁ ବାକ୍‌ ସ୍ଵାଧୀନତାର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି। ସମସ୍ତେ ବିଶ୍ଵାସ କରିବେ ଯେ କୌଣସି ଅପରାଧିକ ଘଟଣା ନଘଟୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.