ବାତ୍ୟା ପାଇଁ ପ୍ରଶାସନ ତତ୍ପର, ସହାୟତାର ହାତ ବଢ଼ାଇଲା ଟ୍ରକ ଆସୋସିଏସନ

Published By : Prameya-News7 Bureau | May 24, 2021 IST

ନୀଳଗିରି,୨୪/୦୫: ଆସନ୍ତା ୨୬ ତାରିଖ ମହାବାତ୍ୟା ୟାସ୍ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି। ସରକାର ନିର୍ଦ୍ଦେଶରେ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରିବା ସହ ଏହାର ସଠିକ ମୁକାବିଲା ନେଇ ବ୍ୟାପକ ପ୍ରସ୍ତୁତି ସରିଛି। ବାତ୍ୟା ୟାସ୍ ପ୍ରଭାବରେ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ବେଶି ପ୍ରଭାବିତ ହେବାନେଇ ଆଶଙ୍କା ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳ ସମେତ ନଈ କୂଳିଆ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ବାତ୍ୟା ପ୍ରଭାବରେ ଆଜି ଠାରୁ ଲଗାଣ ବର୍ଷା ଆରମ୍ଭ ହୋଇଥିବା ବେଳେ ସମ୍ଭାବ୍ୟ ବନ୍ୟା ଆଶଙ୍କା ମଧ୍ୟ ଦେଖା ଦେଇଛି। ଯଦି ବନ୍ୟା ହୁଏ ତାହେଲେ ନୀଳଗିରି ଅଯୋଧ୍ୟା ଦେଇ ପ୍ରଭାହିତ ହୋଇ ଯାଇଥିବା ସୋନନଦୀ କୂଳରେ ଥିବା ବାଡ଼ିଆ,କାଠପାଳ,କରଞ୍ଜିଆ,ଜୁଣକୋଇଲି ,କାଂଶ, ପୁନଦାଳ, ରାଧାକିଶୋରପୁର, ନରସିଂହପୁର, ସିଙ୍ଗିରି, ବେଗୁନିଆ, ଡୁମଗଣ୍ଡିରା ସମେତ ବହୁ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏ ସବୁ ଗାଁ ପାଇଁ ପ୍ରଶାସନ ସଜାଗ ହେବା ସହ ଏନଡିଆରଏଫ ଟିମ ଆବଶ୍ୟକ ପଡ଼ିଲେ ମୃତୟନ ହେବେ ବୋଲି ଜଣାପଡିଛି।

ବାତ୍ୟା ପାଇଁ ମାଟି ଚାଳ ଛପର ଘରୁ ଲୋକ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରଶାସନ ସ୍ଥାନାନ୍ତର କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ନୀଳଗିରି ବ୍ଲକରେ ମୋଟ ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ଯାଇଥିବା ବେଳେ ଏନଏସିରେ ୧୫ ଟି ଖୋଲାଯାଇଛି। ପ୍ରତି କେନ୍ଦ୍ରରେ ୫ ଜଣିଆ ଟିମ ମଧ୍ୟ ଆଲର୍ଟ ଅଛନ୍ତି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ବେଳେ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ବିଡ଼ିଓ ଅନିତା ନାୟକ, ତହସିଲଦାର ଅଶେଷ କୁମାର ନାୟକ, ଏନଏସି ନିର୍ଵାହି ଅଧିକାରୀ ରତନ କୁମାର ପଟ୍ଟନାୟକ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ କିପରି ବାତ୍ୟାର ସଠିକ ମୁକାବିଲା କରି ଧନ ଜୀବନ ରକ୍ଷା କରାଯିବ ଏନେଇ ସଜାଗ ରହିଛନ୍ତି। ପଞ୍ଚାୟତର କାର୍ଯ୍ୟ ନିର୍ଵାହି ଅଧିକାରୀ ମାନେ ଗାଁ ଗାଁରେ ଲୋକ ମାନଙ୍କୁ ଏହି ବାର୍ତ୍ତା ଦେଇଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି। ରନ୍ଧା ଖାଦ୍ୟ ସାଙ୍ଗକୁ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯିବ ବୋଲି ଜଣାପଡିଛି।

ସେହିପରି ନୀଳଗିରି ଟ୍ରକ ଏସୋସିଏସନ ତରଫରୁ ମଧ୍ୟ ସଚେତନ କାର୍ଯ୍ୟକ୍ରମ ହାତ ନିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ମାସ୍କ ପ୍ରଦାନ ମଧ୍ୟ କରାଯାଇଛି। ଆସୋସିଏସନର ସଭାପତି ସୁରଞ୍ଜନ ମହାପାତ୍ର ନୀଳଗିରି ବିଡ଼ିଓ ଅନିତା ନାୟକଙ୍କୁ ମାସ୍କ ପ୍ରଦାନ କରିଛନ୍ତି। ଖାଲି ସେତିକ ନୁହେଁ ବାତ୍ୟା ସମୟରେ ପ୍ରଶାସନ ସହିତ ଅନ୍ୟ ସହାୟତା ମଧ୍ୟ ପ୍ରଭାବିତ ପରିବାରଙ୍କୁ ଦିଆଯିବ ବୋଲି ଟ୍ରକ ଆସୋସିଏସନର ସଭାପତି ମହାପାତ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.