ଇଂଲଣ୍ଡ ପାଇଁ ଟିମ୍ ଇଣ୍ଡିଆର ରଣନୀତି, ପ୍ରଥମ ଟେଷ୍ଟରେ ଏକ ସଙ୍ଗେ ଓହ୍ଲାଇ ପାରନ୍ତି ତିନି ସ୍ପିନର
26/01/2021 at 5:14 PM

ଚେନ୍ନାଇ ୨୬।୦୧: ଇଂଲଣ୍ଡ ଶେଷ ଥର ୨୦୧୬ ଡିସେମ୍ବରରେ ଭାରତ ଗସ୍ତ କରିଥିଲା। ଉକ୍ତ ସିରିଜ୍ରେ ଇଂଲଣ୍ଡର ୯୩ ଓ୍ଵିକେଟ୍ରୁ ଅଶ୍ଵିନ ଓ ଜାଡେଜା ୫୪ ଓ୍ଵିକେଟ୍ ନେଇଥିଲେ। ଯାହାରି ଦମ୍ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ୪-୦ରେ ଭ୍ରମଣକାରୀ ଇଂଲଣ୍ଡକୁ ପରାସ୍ତ କରିଥିଲା।
ଆଙ୍ଗୁଠି ଭାଙ୍ଗି ଯିବାରୁ ରବୀନ୍ଦ୍ର ଜାଡେଜା ଏଥର ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ। ଏମିତିରେ ଭାରତ କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ କୌଣସି ଜଣେ ବୋଲରଙ୍କୁ ଅଶ୍ଵିନଙ୍କ ସହିତ ଦଳରେ ସାମିଲ କରିପାରେ।

ବାମହାତୀ ସ୍ପିନର ଜାଡେଜା ଏ ପର୍ଯ୍ୟନ୍ତ ନିଜର ୨୨୦ ଓ୍ଵିକେଟ୍ରୁ ୧୫୭ ଓ୍ଵିକେଟ୍ ଭାରତରେ ନେଇଛନ୍ତି। ସେ ଟେଷ୍ଟରେ ଏ ପର୍ଯ୍ୟନ୍ତ ୯ ଥର ଗୋଟିଏ ଇନିଂସରେ ୫ କିମ୍ଵା ସେଥିରୁ ଅଧିକ ଓ୍ଵିକେଟ୍ ନେଇଛନ୍ତି। ଏଥିରୁ ୭ ଥର ଘରୋଇ ମାଟିରେ ଜାଡେଜା ଉପଲବ୍ଧି ହାସଲ କରିଛନ୍ତି। ସୌରାଷ୍ଟ୍ରର ଏହି ବୋଲରଙ୍କ ପାଖରେ ଗତି ଏବଂ ବିବିଧତା ରହିଛି, ଯାହା ଭାରତୀୟ ପିଚ୍ରେ ତାଙ୍କୁ ସଫଳତା ଦେଇଥାଏ। ବିଶେଷ କରି ଯେଉଁ ଟେଷ୍ଟରେ ପ୍ରଥମ ଦିନରେ ଟର୍ଣ୍ଣ ମିଳିବା ଆରମ୍ଭ ହୁଏ ଉକ୍ତ ଟେଷ୍ଟରେ ଜାଡେଜାଙ୍କ ଶାଣିତ ବୋଲିଂ ଦେଖିବାକୁ ମିଳିଥାଏ।
ହେଲେ ଜାଡେଜାଙ୍କ ଅନୁପସ୍ଥିତିରେ ଭାରତକୁ ଦୁଇ ଜଣ ରିଜର୍ଭ ସ୍ପିନରଙ୍କ ଉପରେ ନିର୍ଭର କରିବାକୁ ପଡିବ, ଯାହାଙ୍କ ପାଖରେ କମ ଟେଷ୍ଟ ଖେଳିବାର ଅନୁଭବ ରହିଛି। ଭାରତ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଓ୍ଵାଶିଂଟନ ସୁନ୍ଦର(୧ ଟେଷ୍ଟ), ବାମହାତୀ ସ୍ପିନର ଅକ୍ଷର ପଟେଲ(କୌଣସି ଟେଷ୍ଟ ନାହିଁ) ଓ କୁଲଦୀପ ଯାଦବ(୬ ଟେଷ୍ଟ) ସହିତ ଅନୁଭବୀ ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ଚୟନ କରିଛି।

ଏହାର ସମ୍ଭାବନା ଅଧିକ ରହିଛି ଯେ ଭାରତ ପ୍ରଥମ ଟେଷ୍ଟରେ ପାଞ୍ଚ ବିଶେଷଜ୍ଞ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇପାରେ। ଏଥିରେ ଓ୍ଵାଶିଂଟନ ସୁନ୍ଦରଙ୍କ ସହିତ ତିନି ସ୍ପିନର ଏବଂ ଦୁଇ ଦ୍ରୁତ ବୋଲର ହୋଇପାରନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ପଦାପର୍ଣ କରିଥିବା ସୁନ୍ଦର ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଦନ କରିପାରନ୍ତି।
ଟିମ୍ ମ୍ୟାନେଜମେଣ୍ଟ ଏହାର ମଧ୍ୟ ସଙ୍କେତ ଦେଇଛନ୍ତି ଯେ, କୁଲଦୀପ ଯାଦବଙ୍କୁ ଘରୋଇ ସିରିଜ୍ରେ ଖେଳିବାର ସୁଯୋଗ ମିଳିପାରେ। କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ବୋଲିଂ କୋଚ୍ ଭରତ ଅରୁଣ କହି ସାରିଛନ୍ତି ଯେ, ରିଷ୍ଟ ସ୍ପିନର ନେଟ୍ସରେ ବହୁତ ଅଭ୍ୟାସ୍ କରିଛନ୍ତି। ମାତ୍ର କୁଲଦୀପଙ୍କୁ ଅଷ୍ଟ୍ରେଲିଆରେ ଖେଳିବାର ସୁଯୋଗ ମିଳିନଥିଲା।