ଲକ୍‌ଡାଉନ୍‌ରେ ପାରଦକୁ ନାହିଁ ବ୍ରେକ୍‌ : ରାଜ୍ୟରେ ୪୦ଡିଗ୍ରୀ ଉପରେ ଅନେକ ସହର, ୧୯ଯାଏଁ କାଳବୈଶାଖୀ ବର୍ଷା ଆଶଙ୍କା

Published By : Prameya-News7 Bureau | April 13, 2020 IST

ଭୁବନେଶ୍ୱର ୧୩।୦୪: ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁବ । ସେହିପରି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ଆସନ୍ତା ଦୁଇଦିନ ଧରି ଏଭଳି ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ରବିବାର ତୁଳନାରେ ସୋମବାର ତାତି ଆହୁରି ବଢ଼ିବ । ଟିଟିଲାଗଡ଼ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ସେହିପରି ଉପକୂଳ ଓଡ଼ିଶାର ବିଭିନ୍ନ ସହରର ସର୍ବୋଚ୍ଚ ତାପମାତ୍ରା ଆସନ୍ତା ଦୁଇଦିନ ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ତ୍ତମାନ ସମୟର ସ୍ୱାଭାବିକ ତାପମାତ୍ରା ଅଧିକ ରହେ । ବର୍ତ୍ତମାନ ସମୟରେ ସେଭଳି ସ୍ୱାଭାବିକ ରହିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଟାଣ ଖରା ହେବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୪ ଓ ୧୫ ତାରିଖରେ କେବଳ କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବ । ହେଲେ ମଧ୍ୟ ତାତି କମିବାର ସମ୍ଭାବନା ନାହିଁ । ୧୮ ଓ ୧୯ ତାରିଖରେ ହେବାକୁ ଥିବା କାଳବୈଶାଖୀ ପ୍ରଭାବରେ ଜୋର ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ରବିବାର ରାଜ୍ୟରେ ୪୦ଡିଗ୍ରୀ ସେଲସିୟସ୍‌ ଉପରେ ୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ରହିଥିଲା । ସେହିପରି ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ଉପରେ ରହିବା ସହିତ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ବଲାଙ୍ଗୀର, ବୌଦ୍ଧ ଓ ଭବାନିପାଟଣାରେ ୪୦.୫ଂ ସେଲସିୟସ୍‌, ରାଜଧାନୀ ଭୁବନେଶ୍ୱର ଓ ସୋନପୁରରେ ୪୦.୨ଂ ସେଲସିୟସ୍‌, ତାଳଚେରରେ ୪୦.୧ଂ ସେଲସିୟସ୍‌, କଟକ ଓ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ଂ ସେଲସିୟସ୍‌ ରହିଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.