କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଭ୍ୟାକ୍ସିନ କିଣିବା ପାଇଁ ଗରିବ ଲୋକ କେଉଁଠୁ ପଇସା ଆଣିବେ ? ରାଷ୍ଟ୍ରୀୟ ନୀତି ତିଆରି କର

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦।୦୪: ସୁପ୍ରିମକୋର୍ଟ କରୋନା ଭ୍ୟାକ୍ସିନ ଦରକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଗରିବ ଲୋକେ ଟିକା ଲଗାଇବା ପାଇଁ କେଉଁଠୁ ପଇସା ଆଣିବେ। କୋର୍ଟ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି, କେନ୍ଦ୍ର ସରକାର ଏମିତି ସ୍ଥିତିରେ ଗୋଟିଏ ରାଷ୍ଟ୍ରୀୟ ଟିକାକରଣ ନୀତି ଆପଣାନ୍ତୁ ଏବଂ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦେବା ଉପରେ ବିଚାର କରନ୍ତୁ। କାରଣ ଗରିବ ଲୋକେ ଟିକା କିଣି ପାରିବେ ନାହିଁ। ଦେଶରେ କରୋନାର ସାଂପ୍ରତିକ ସ୍ଥିତି ସଂପର୍କିତ ମାମଲାର ଶୁଣାଣି କରି ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଏହା କହିଛନ୍ତି।

ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ, ବିଚାରପତି ଏଲ ନାଗେଶ୍ଵର ଓ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କ ପୀଠ ଟିକା କିଣା ନୀତି ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ରକୁ ପଚାରିଛନ୍ତି ଯେ, କେନ୍ଦ୍ର ସରକାର କଣ ପାଇଁ ସବୁ ଟିକା କିଣୁ ନାହାନ୍ତି। ରାଜ୍ୟକୁ ଟିକା କିଣିଲେ ଅଧିକ ଟଙ୍କା ଦେବାକୁ ପଡୁଛି। ଅଦାଲତ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର କେମିତି ସେହି ଲୋକଙ୍କ ପଞ୍ଜୀକରଣ କରିବେ, ଯେଉଁମାନେ ନିରକ୍ଷର ଏବଂ ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ।

ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ କହିଛନ୍ତି, ଆଜି ଆପଣ ଜଣାଉଛନ୍ତି ଯେ, କେନ୍ଦ୍ରକୁ ମିଳିବାକୁ ଥିବା ୫୦ ପ୍ରତିଶତ ଟିକା ଆଗ ଧାଡିର କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ  ବୟସ୍କ ଲୋକଙ୍କୁ ଦିଆଯିବ। ବାକି ୫୦ ପ୍ରତିଶତ ରାଜ୍ୟ ଏବଂ ଘରୋଇ ହସ୍ପିଟାଲ ବ୍ୟବହାର କରିବେ।  ୫୯.୪୬ କୋଟି ଭାରତୀୟ ଯାହାଙ୍କ ବୟସ ୪୫ ବର୍ଷରୁ ଅଧିକ ହେବ ଏବଂ ଏଥିରେ ଅନେକ ଗରିବ ଓ ନିମ୍ନ ବର୍ଗର ଅଟନ୍ତି। ଭ୍ୟାକ୍ସିନ କିଣିବାକୁ ସେମାନେ ଟଙ୍କା କୁଆଡୁ ଆଣିବେ ? ଆମେ ଘରୋଇ ମୋଡେଲ୍‌ରେ ଚାଲି ପାରିବା ନାହିଁ।

ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, ଆମେ ଜାଣିଛୁ କେତେ ଟିକାର ଉତ୍ପାଦନ ହେଉଛି। ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଆପଣ ଉତ୍ପାଦନ ବଢାନ୍ତୁ। ଅତିରିକ୍ତ ଉତ୍ପାଦନ ପାଇଁ ଜନହିତ ଶକ୍ତିର  ବ୍ୟବହାର ଆବଶ୍ୟକତା ରହିଛି। ପ୍ରାଇଭେଟ୍ ଭ୍ୟାକ୍ସିନ ଉତ୍ପାଦକଙ୍କୁ ଏହି ନିଷ୍ପତ୍ତି ନେବାର ଅଧିକାର ଦିଆଯାଇ ପାରିବ ନାହିଁ ଯେ, କେଉଁ ରାଜ୍ୟକୁ କେତେ ଟିକା ମିଳିବ। ଉଲ୍ଲେଖଯୋଗ୍ୟ, ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.