ସର୍ଟ ପ୍ୟାଣ୍ଟ ପିନ୍ଧି ପରୀକ୍ଷା ଦେବାକୁ ଆସିଲେ ଛାତ୍ରୀ, ମିଳିଲାନି ଏଣ୍ଟ୍ରି, ପରଦା ଢାଙ୍କି କହିଲେ...

Published By : Prameya-News7 Bureau | September 17, 2021 IST

ଗୌହ୍ଵାଟୀ ୧୭।୦୯: ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ। ହେଲେ ମିଳିଲାନି ଏଣ୍ଟ୍ରୀ। ଶେଷରେ ପରଦାରେ ନିଜ ଶରୀରକୁ ଢାଙ୍କି ପରୀକ୍ଷା ଦେବାକୁ ପଡିଲା। ଏପରିକି ପରୀକ୍ଷା ନୀରିକ୍ଷକଙ୍କଠୁ କଡା ତାଗିଦ୍ ମଧ୍ୟ ଶୁଣିବାକୁ ପଡିଲା। ପରୀକ୍ଷା ହଲ୍‌ରେ ଏମିତି ସ୍ଥିତି ଉପୁଜିବାର କାରଣ ଛାତ୍ରୀଜଣକ ସର୍ଟ ପ୍ୟାଣ୍ଟ ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ। ଏହି ଘଟଣା ଆସାମର ତେଜପୁରର। ଏହି ଘଟଣାରେ ବିବାଦ ସୃଷ୍ଟି ହୋଇଛି ଏବଂ ବିଶ୍ଵ ବିଦ୍ୟାଳୟର ଅଧିକାରୀଙ୍କୁ ତଦନ୍ତର ଆଦେଶ ଦେବାକୁ ପଡିଛି। ହେଲେ ଯୁବତୀଙ୍କ ପରିଜନ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ମାମଲାକୁ ଆଗକୁ ବଢାଇବାକୁ ଚାହୁଁନଥିବା କହିଛନ୍ତି।

ଏହି ଘଟଣା ବୁଧବାର ଘଟିଛି। ଛାତ୍ରୀଜଣକ ନିଜ ସହର ବିଶ୍ଵନାଥ ଚରିୟାଲିରୁ ଆସାମ କୃଷି ବିଶ୍ଵ ବିଦ୍ୟାଳୟ(ଏଏୟୁ)ର ପ୍ରବେଶିକା ପରୀକ୍ଷା ଦେବାକୁ ପହଞ୍ଚିଥିଲେ। ସେ ବିନା କିଛି ବାଧାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ମାତ୍ର ପରୀକ୍ଷା ହଲ୍‌ରେ ଥିବା ପରୀକ୍ଷା ନୀରିକ୍ଷକ ତାଙ୍କ ସର୍ଟ ପ୍ୟାଣ୍ଟ ପିନ୍ଧା ଉପରେ ଆପତ୍ତି ଉଠାଇଥିଲେ ଏବଂ ପରୀକ୍ଷାରେ ବସି ପାରିବ ନାହିଁ ବୋଲି କହିଥଲେ।

ଛାତ୍ରୀଙ୍କ ବାପା ତାମୁଲି କହିଛନ୍ତି, ଗିରିଜାନନ୍ଦ ଚୌଧୁରୀ ଇନଷ୍ଟିଚ୍ୟୁଟ୍ ଅଫ ଫାର୍ମାସ୍ୟୁଟିକଲ(ଜିଆଇପିଏସ)ରେ ପରୀକ୍ଷା ନୀରିକ୍ଷକ ତାଙ୍କ ଝିଅକୁ କହିଥିଲେ, ତାଙ୍କୁ ସର୍ଟ ପ୍ୟାଣ୍ଟ ପିନ୍ଧି ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ। ଏହା ପରେ ଝିଅ ଅଧିକାରୀଙ୍କ ଠାରେ ଏହି ମାମଲା ଉଠାଇଥିଲେ। ଏଥିସହ ପ୍ରବେଶିକା ପତ୍ରରେ ମଧ୍ୟ ଡ୍ରେସ୍ କୋଡ୍ ନେଇ କିଛି ଉଲ୍ଲେଖ ନଥିଲା।

ପରୀକ୍ଷା ନୀରିକ୍ଷକ କିଛି ନଶୁଣିବାରୁ ଛାତ୍ରୀଜଣକ ପରୀକ୍ଷା କେନ୍ଦ୍ର ବାହାରେ ଥିବା ନିଜ ବାପାଙ୍କ ପାଖକୁ ଯାଇଥିଲା। ବାପା ତୁରନ୍ତ ପାଖ ବଜାରକୁ ଟ୍ରାଉଜର କିଣିବାକୁ ଚାଲିଗଲେ। ମାତ୍ର ସେ ଫେରିବା ବେଳକୁ ଅଧିକାରୀ ଗୋଡ ଘୋଡାଇବା ପାଇଁ ଯୁବତୀଙ୍କୁ ଏକ ପରଦା ଦେଇଥିଲେ।  ଏହା ପରେ ଛାତ୍ରୀଜଣକ ନିଜ ଗୋଡକୁ ପରଦାରେ ଢାଙ୍କି ପରୀକ୍ଷା ଦେଇଥିଲେ। ତାମୁଲି କହିଛନ୍ତି, ଝିଅ ଏଥିରେ ଡରି ଯାଇଥିଲା ଏବଂ ଏହି ଅପମାନଜନକ ଘଟଣା ବିଷୟରେ କିଛି ସ୍ଥାନୀୟ ସାମ୍ବାଦିକଙ୍କ ସହ କଥା ହୋଇଥିଲା। ପୁଣି ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଛାଇ ଯାଇଛି। ଅନେକ ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.