ପୋଲିସ ଏସଆଇ ପରୀକ୍ଷାରେ ଫେଲ୍‌, ହେଲେ ୟୁପିଏସ୍‌ସି ପରୀକ୍ଷା ୪ ଥର ଦେବା ପରେ ପୂରା କଲେ ସ୍ବପ୍ନ

Published By : Prameya-News7 Bureau | November 11, 2021 IST

ହାଇଦ୍ରାବାଦ ୧୧/୧୧: ଉଦ୍ୟମ ଏବଂ ଅଧ୍ୟବସାୟ ବଳରେ ସଫଳାତର ଶୀର୍ଷରେ ପହଞ୍ଚି ହୁଏ। ଏହାକୁ ସତ କରି ଦେଖାଇଛନ୍ତି ତେଲଙ୍ଗାନାର ଏକ ଛୋଟିଆ ଗାଁରେ ରହୁଥିବା ସିରିସେଟ୍ଟି ସଂକୀର୍ଥ। ପୋଲିସ ଏସଆଇ ପରୀକ୍ଷାରେ ଫେଲ୍‌ ହେବା ପରେ ଯିଏ ଆଶା ଛାଡ଼ିନଥିଲେ। ଶେଷରେ ୟୁପିଏସସି ପରୀକ୍ଷା ପାସ୍‌ କରି ଆଇପିଏସ୍‌ ହେବା ସହ ଖାକି ବର୍ଦ୍ଦି ପିନ୍ଧିବାର ଆକାଂକ୍ଷାକୁ ପୂର୍ଣ୍ଣ କରିଛନ୍ତି।  ତେଲେଙ୍ଗାନାର ମଂଚୋରିଆଲ ଜିଲ୍ଲା ବେଲମପଲ୍ଲିରେ ଜଣେ ଲାଇନମ୍ୟାନଙ୍କ ପୁଅ ସିରିସେଟ୍ଟି ସଂକୀର୍ଥ ଆଇପିଏସ୍‌ ହୋଇଛନ୍ତି । ନିଜ ଜିଲ୍ଲାରେ ସ୍କୁଲ୍‌ ଶିକ୍ଷା ସାରିବା ପରେ ସଂକୀର୍ଥ ହାଇଦ୍ରାବାଦର ଓସମାନିଆ ବିଶ୍ବବିଦ୍ୟାଳୟରୁ ସିଭିଲ୍‌ ଇଞ୍ଜିନିୟରିଂରେ ଡିଗ୍ରି କରିଥିଲେ।

ସିରିସେଟ୍ଟି ମୂଳରୁ ଜଣେ ପୋଲିସ ଅଧିକାରୀ ହେବାକୁ ଇଚ୍ଛା ରଖିଥିଲେ। ସେଥିପାଇଁ ​‌ସେ ପଢ଼ା ସାରିବା ପରେ ରାଜ୍ୟରେ ହେଉଥିବା ସବ୍‌ ଇନ୍ସପେକ୍ଟର ପରୀକ୍ଷା ଦେଇଥିଲେ । ସିରିସେଟ୍ଟି ସଂକୀର୍ଥ ଏସଆଇ ପାଇଁ ଲିଖିତ ପରୀକ୍ଷାରେ ପାସ୍‌ କରିଥିଲେ। କିନ୍ତୁ ୮୦୦ ମିଟର ଦୌଡ଼ରେ ଅସଫଳ ହୋଇଥିଲେ । ଏସଆଇ ପରୀକ୍ଷାରେ ଅସଫଳ ହେବା ପରେ ସିରିସେଟ୍ଟି ଏକ ସାକ୍ଷାତକାରରେ କହିଥିଲେ, ୮୦୦ ମିଟର ଦୌଡ଼ିବା ପାଇଁ ତାଙ୍କୁ ୧୬୦ ସେକେଣ୍ଡ ମିଳିଥିଲା। କିନ୍ତୁ ଧାର୍ଯ୍ୟ ସମୟରେ ସେ ଦୌଡ଼ି ପାରିନଥିଲେ। ଏବେ ସେ ୮୦୦ ମିଟର କେବଳ ୧୨୦ ସେକେଣ୍ଡରେ ଅତିକ୍ରମ କରିପାରୁଛନ୍ତି ବୋଲି କହିଛନ୍ତି।

ଏସ୍‌ଆଇ ପରୀକ୍ଷାରେ ଫେଲ୍‌ ହୋଇଯିବା ପରେ  ମଧ୍ୟ ସେ ଧୈର୍ଯ୍ୟ ହରାଇନଥିଲେ। ବର୍ଦ୍ଦି ପିନ୍ଧିବାର ସ୍ବପ୍ନ ପୂରା କରିବାକୁ ସେ ଏହାରି ଭିତରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୪ ଥର ପରୀକ୍ଷା ଦେବା ପରେ ମଧ୍ୟ ସେ କୃତକାର୍ଯ୍ୟ ହୋଇପାରି ନଥିଲେ। ଶେଷରେ ୨୦୧୯ରେ ସେ ୟୁପିଏସସି ପରୀକ୍ଷା ପାସ୍‌ କରିଥିଲେ ଏବଂ ଆଇପିଏସ୍‌ ପାଇଁ ଚୟନ ହୋଇଥିଲେ। କେବେ ଏସଆଇ ପରୀକ୍ଷାରେ ଫେଲ୍‌ ହୋଇଥିବା ସିରିସେଟ୍ଟି ସଂକୀର୍ଥ ବର୍ଦ୍ଦି ପିନ୍ଧିବାର ନିଜର ସ୍ବପ୍ନ ସାକାର କରିଛନ୍ତି । ୨୦୧୯ ୟୁପିଏସସି ପରୀକ୍ଷାରେ ୩୩୦ ରାଙ୍କ ରଖିଥିବା ସିରିସେଟ୍ଟି କିଛି ଦିନ ତଳେ ନିଜର ଟ୍ରେନିଂ ପୂରା କରିଛନ୍ତି। ଏବେ ତାଙ୍କୁ ଗୃହ କ୍ୟାଡେର ତେଲଙ୍ଗାନା ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.