ଓଡିଶା ପାଇଁ ବାତ୍ୟା ନୂଆ ନୁହେଁ, ତଥାପି ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିବ

Published By : Prameya-News7 Bureau | May 24, 2021 IST

ଭୁବନେଶ୍ଵର ୨୪।୦୫: ଭୀଷଣ ରୂପ ଧରି ମୁହାଁଉଛି ସାମୁଦ୍ରିକ ଝଡ 'ୟସ୍'। ଗତକାଲି ଅବପାତରେ ପରିଣତ ହୋଇ ଆଜି ବ୍ୟାତାର ରୂପ ନେଇ ସାରିଛି ବାତ୍ୟା ୟସ୍। ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦୀପ-ସାଗର ଦ୍ଵୀପ ମଝିରେ ବାଲେଶ୍ଵର ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ଏବଂ ପର ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରସୋର ଚାଲିଛି। ଆମକୁ ଗୋଟିଏ ସମୟରେ ଦୁଇଟି ବିପଦର ମୁକାବିଲା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି,  ବାତ୍ୟା ଆମ ପାଇଁ ନୂଆଁ ନହେଲେ ବି ଆମକୁ ସତର୍କ ରହିବାକୁ ପଡିବ। ଗତ ବର୍ଷ ଆମେ କୋଭିଡ୍ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ସାମାନ୍ୟ ଅବହେଳା ଆମ ପାଇଁ ବଡ ବିପଦ ସୃଷ୍ଟି କରିପାରେ। ବାତ୍ୟା ଓ କୋଭିଡର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ଏମିତି ସମୟରେ ଆପଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ବାତ୍ୟା ମୁକାବିଲାରେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ।

ମୁଖ୍ୟମନ୍ତ୍ରୀ କହିଛନ୍ତି ୪ କୋଟି ଓଡିଶାବାସୀ ମୋର ପରିବାର। ମୋ ପରିବାରର ନିରାପତ୍ତା ମୋର ବଡ ପ୍ରାଥମିକତା। ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମ କାମ। ସମସ୍ତଙ୍କୁ ପକ୍କା ଘର ବା ନିରାପଦ ସ୍ଥାନକୁ ଚାଲିଯିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।  ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରନ୍ତୁ।

ସଂପ୍ରତି ମାନବଜାତି କଷ୍ଟକର ସମୟ ଦେଇ ଗତି କରୁଛି। କୋଭିଡ୍ ବିରୋଧରେ ଆମ ଲଢେଇ ଜାରି ରହିଥିବା ବେଳେ ଏହି ସମୟରେ ବାତ୍ୟା ୟସ୍ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏକ ସମୟରେ ଆମକୁ ଦୁଇଟି ବଡ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ କୋଭିଡ୍ ସହ ଅମ୍ପାନର ମୁକାବିଲା କରିଥିଲୁ। ତେଣୁ ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ। ତଥାପି ଆମକୁ ସାବଧାନ ହେବାକୁ ପଡିବ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି ଯେ ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା  ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି  ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ । ଡବଲ ବିପଦ ପାଇଁ  ଡବଲ ମାସ୍କ। ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି।

ଜନସାଧାରଣଙ୍କୁ ଆହୁରି ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି  ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ  କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର (Civil society) ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ବାତ୍ୟା ୟସ୍‌ରେ ରାଜ୍ୟର ଚାରୋଟି ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର  ଜିଲ୍ଲା ଅଧିକ ପ୍ରଭାବିତ  ହେବେ। ଏହି ସାମୁଦ୍ରିକ ଝଡ ବାଲେଶ୍ଵର ପାଖାପାଖି ସ୍ଥଳଭାଗ ଛୁଇଁବା ନେଇ ଭୁବନେସଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ଥିତି ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫଙ୍କୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ନୌସେନା ଓ ବାୟୁସେନା ମଧ୍ୟ ବିପଦର ମୁକାବିଲା ପାଇଁ ଅଣ୍ଟା ଭିଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.