ଜୋ ବାଇଡେନଙ୍କ ବିଜୟ ସମ୍ଭାବନାରେ ଝୁମି ଉଠିଲା ସେୟାର ବଜାର, ୭୨୪ ପଏଣ୍ଟ ବୃଦ୍ଧି ସହ ବନ୍ଦ ହେଲା ସେନସେକ୍ସ

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୫।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ବାକି ରହିଛି। ହେଲେ ଜୋ ବାଇଡେନଙ୍କ ଅଗ୍ରଣୀ ହାସଲ ଏବଂ ବିଜୟ ସମ୍ଭାବନାକୁ ଦେଖି ନିବେଶକଙ୍କ ମଧ୍ୟରେ ଖୁସିରେ ମାହୋଲ ରହିଛି। ଘରୋଇ ପୁଞ୍ଜି ବଜାରକୁ ଆମେରିକା ନିର୍ବାଚନର ଏହି ନିଷ୍ପତ୍ତି ପସନ୍ଦ ଆସିଛି। ଫଳସ୍ଵରୂପ ଆଜି ବଜାର ସବୁଜ ସଙ୍କେତ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୨୪ ଅଙ୍କ ବୃଦ୍ଧି ସହିତ ୪୧୩୪୦ ସ୍ତରରେ ଏବଂ ନିଫଟି ୨୧୧ ଅଙ୍କ ବଢି ୧୨,୨୧୦ରେ ବନ୍ଦ ହୋଇଛି।

ସେନସେକ୍ସର ଶୀର୍ଷ-୩୦ ସମସ୍ତ ସେୟାର ସବୁଜ ସଙ୍କେତ ସହିତ ବନ୍ଦ ହୋଇଛି। ସବୁଠୁ ଅଧିକ ବୃଦ୍ଧି ଏସବିଆଇର ସେୟାରରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ଟାଟା ଷ୍ଟିଲ୍, ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ବଜାଜ ଫାଇନାନ୍ସର ଅଂଶଧନରେ ମଧ୍ୟ ୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ବୁଧବାର ଏସବିଆଇର ଦ୍ଵିତୀୟ ତ୍ରୈମାସିକର ଫଳାଫଳ ଜାରି କରିଛି। ବ୍ୟାଙ୍କର ଲାଭରେ ୫୫ ପ୍ରତିଶତ ବୃଦ୍ଧି ଘଟିଛି, ଏହି କାରଣରୁ ଏହାର ଅଂଶଧନରେ ବୃଦ୍ଧି ପରିଲଖିତ ହୋଇଛି।

ସେୟାର ବାୟବ୍ୟାକ୍ ଘୋଷଣା ପରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍(ଏଚପିସିଏଲ)ର ଅଂଶଧନରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଏହା ବ୍ୟତୀଥ BASF Indi ର ଅଂଶଧନରେ ମଧଯୟ ପ୍ରାୟ ୧୦ ପ୍ରତିଶତ ଉପରକୁ ଉଠିଛି। ଏହି ରସାୟନିକ କମ୍ପାନୀ ଦ୍ଵିତୀୟ ତ୍ରୈମାସିକରେ ୪୧୨ କୋଟି ଟଙ୍କାର ଲାଭ କରିଛି।

ତେବେ ବିଶ୍ଳେଷକଙ୍କ କହିବାନୁଯାୟୀ ଆଗକୁ ମଧ୍ୟ ଘରୋଇ ପୁଞ୍ଜି ବଜାର କାରବାରେ ବୃଦ୍ଧି-ହ୍ରାସ ଜାରି ରହିବ ସେଥିପାଇଁ ନିବେଶକମାନେ ସତର୍କ ରହିବା ଦରକାର ।  ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ବିଶ୍ବ ବଜାରରେ ସମେତ ଘରୋଇ ବଜାରରେ ସେନସେକ୍ସ ଏବଂ ନିଫ୍ଟି ଅପେକ୍ଷାକୃତ ବୃଦ୍ଧି ପାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  ଆମେରିକାବାସୀଙ୍କ ସହ ଧୋକାବାଜି ହୋଇଛି ଏବଂ ସେ ଦରକାର ପଡିଲେ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବେ । ତେବେ ଟ୍ରମ୍ପଙ୍କ ଏହି ବିବୃତି ପରେ ୟୁରୋପୀୟ ବଜାରରେ ପ୍ରାରମ୍ଭିକ କାରବାର ହ୍ରାସ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.