ଅଫିସରଙ୍କ କମ୍ପାନୀ ପ୍ରୀତିରୁ ରାଜ୍ୟର ବିଦ୍ୟୁତ୍‌ ଯୋଜନା ବାଟବଣା, ସରକାରୀ ଅର୍ଥ ବର୍ବାଦ-ଲୋକଙ୍କର କ୍ଷତି: ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନିବେଦନ କଲା ବିଜୁଳି କର୍ମଚାରୀ ସଂଘ

Published By : Prameya-News7 Bureau | May 04, 2021 IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟୁତ୍‌ ଯୋଜନା କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବଡ଼ କମ୍ପାନୀ ପ୍ରୀତି ଯୋଗୁଁ ବାଟବଣା ହୋଇଛି । ରାଜ୍ୟବାସୀଙ୍କୁ ନିରବିଚ୍ଛିନ୍ନ ଏବଂ ଯଥାର୍ଥ ଭୋଲ୍‌ଟେଜ୍‌ର ବିଜୁଳି ସେବା ଯୋଗାଇବାକୁ ସରକାର ଯୋଜନା କରିଛନ୍ତି । କିନ୍ତୁ କିଛି ଅଫିସରଙ୍କ କାର୍ଯ୍ୟଧାରା ସେଥିରେ ବାଧକ । ନିୟମକୁ ଆଡ଼େଇ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁଗୃହୀତ କରିବାକୁ ଶକ୍ତି ବିଭାଗର କିଛି ଅଫିସର୍‌ କରୁଥିବା ଚକ୍ରାନ୍ତ ରାଜ୍ୟ ସରକାର ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧୀ । ଏପରି ସଙ୍ଗୀନ୍‌ ଅଭିଯୋଗ ଆଣିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ବିଜୁଳି କର୍ମଚାରୀ ସଂଘ । ଏଥିପାଇଁ ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‌ କର୍ପୋରେଶନ ଲିମିଟେଡ୍‌ର କିଛି ନିର୍ଦ୍ଦେଶକ ଓ ଅଫିସରଙ୍କ ଭୂମିକା ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ବିଜୁଳି କର୍ମଚାରୀ ସଂଘ ପ୍ରଶ୍ନ ଉଠାଇଛି । ଘଟଣାର ଯାଞ୍ଚ ସହ ରାଜ୍ୟର ସ୍ୱାର୍ଥ ରକ୍ଷା ଲାଗି ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ବିଦ୍ୟୁତ୍‌ ବିଭାଗ ସର୍ବୋଚ୍ଚ ଅଧିକାରୀଙ୍କୁ ନିବେଦନ କରିଛି ସଂଘ । 

ରାଜ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥା କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରୀଡ୍‌ ସବ୍‌ଷ୍ଚେସନ୍‌ର ଅବସ୍ଥାରୁ ଏବଂ ସେସୁକୁ କାମର ଟେଣ୍ଡର ଦେଇଥିବା ମେସର୍ସ ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌ର କାମକୁ ନେଇ ଏପରି ପ୍ରଶ୍ନ ଉଠାଇଛି ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ବିଜୁଳି କର୍ମଚାରୀ ସଂଘ । ଟାଟା ପ୍ରୋଜେକ୍ଟସ୍‌ ବିରୋଧରେ ଟେଣ୍ଡର ସର୍ତ୍ତ ଉଲଂଘନ, କାର୍ଯ୍ୟର ମାନ ସହ ଯଥାର୍ଥ ସମୟରେ କାମ ସାରୁନଥିବା ସଂଘ ଅଭିଯୋଗ କରିଛି । ସବୁଠୁ ବଡ଼ ଅଭିଯୋଗ ହେଲା ସଂପୃକ୍ତ କମ୍ପୀନୀକୁ ସୁରକ୍ଷା ଢାଲ ହୋଇଛନ୍ତି, OPTCLରେ ଅବସ୍ଥାପିତ କିଛି ନିର୍ଦ୍ଦେଶକ । ଅନ୍ୟବିଭାଗରୁ ଆସିଥିବା ଏହି ଅନଭିଜ୍ଞ ଅଧିକାରୀମାନେ ମେସର୍ସ ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍‌କୁ କିଛି ଅଦୃଶ୍ୟ ସ୍ୱାର୍ଥରେ ଅନୁକମ୍ପା ଦେଖାଇ OPTCL ସହ ରାଜ୍ୟ ସରକାର ଓ ରାଜ୍ୟାସୀଙ୍କ ସ୍ୱାର୍ଥ ବିରୋଧରେ ହିଁ କ୍ଷତି କରୁଛନ୍ତି ।

ଓପିଟିସିଏଲ୍ ଅଧିନସ୍ଥ ବାଲିମୁଣ୍ଡା ଗ୍ରୀଡ୍‌ ସବ୍‌ଷ୍ଟେସନ୍‌, କିଆ କଟା ଗ୍ରୀଡ୍‌ ସବ୍‌ଷ୍ଟେସନ୍‌ ଏବଂ ଦଶପଲ୍ଲା ଗ୍ରୀଡ୍‌ ସବ୍‌ଷ୍ଟେସନ୍‌ କାମର ଠିକା ନେଇଛି ମେସର୍ସ ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍‌ । କିନ୍ତୁ ଧାର୍ଯ୍ୟ ଅବଧିରେ କାମ ସାରୁନଥିବା ଏପରିକି ମାତ୍ର ୨୦ ପ୍ରତିଶତ କାମରେ ଅଟକିଛି । OPTCL ସହ କମ୍ପାନୀ ଯଥାର୍ଥ ସମନ୍ନୟ ରଖି କାମ କରୁନାହିଁ । ଏପରିକି ବିଭାଗୀୟ ତାଗିଦ୍‌କୁ ବି ମେସର୍ସ ଟାଟା ପ୍ରୋଜେକ୍ଟ ଖାତିର କରୁନଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ବିଜୁଳି କର୍ମଚାରୀ ସଂଘ ଅଭିଯୋଗ କରିଛି । ଜାଇକା ଏବଂ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ପ୍ରକଳ୍ପ ଖର୍ଚ୍ଚ ଦିଆଯାଉଛି । ଅଥଚ ସୁଧ ଓ ବ୍ୟୟଭାର ସତ୍ତ୍ୱେ କାମର ଅଗ୍ରଗତି ଆଖିଦୃଶିଆ ନୁହେଁ ।

ଆହୁରି ଗୁରୁତର ତଥା ଚିନ୍ତାଜନକ କଥାଟି ହେଲା ପରଫର୍ମାନ୍ସ ବା ଦକ୍ଷତା ନଥାଇ ମେସର୍ସ ଟାଟା ପ୍ରୋଜେକ୍ଟସ୍‌କୁ ଆହୁରି ଅନୁକମ୍ପା ଲକ୍ଷ୍ୟରେ OPTCLର କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଠିକା କମ୍ପାନୀ ପାଇଁ ସେମାନେ ମଧ୍ୟସ୍ଥ ବା ଦଲାଲ୍‌ । OPTCL ଟେଣ୍ଡରେ ଆବଶ୍ୟକ ପରଫରମାନ୍ସ ରିପୋର୍ଟ ପାଇଁ ୩୦ ପଏଣ୍ଟ ଦରକାର ହୋଇଥାଏ । ଅଥଚ OPTCL ଅଫିସରମାନେ ତାହାକୁ ଏଡ଼ାଇ ମେସର୍ସ ଟାଟା ପ୍ରୋଜେକ୍ଟକୁ ଲିମିଟେଡ୍‌କୁ ନୂଆ ଟେଣ୍ଡର୍‌ ଭାଗନେବାରେ ସହଯୋଗ କରୁଛନ୍ତି । ଇଂଜିନିୟରିଂ କାମ ହୋଇଥିବାରୁ ବିଭିନ୍ନ ଟେକ୍ନିକାଲ୍‌ କାରଣର ଆଳ ଦେଖାଇ ଟାଟା ପ୍ରୋଜେକ୍ଟସ୍‌କୁ ସୁରକ୍ଷା ଦେଉଛନ୍ତି OPTCL ର ଏପରି କିଛି ନିର୍ଦ୍ଦିଷ୍ଟ ଅଧିକାରୀ । ସେପଟେ ସ୍ଥାନୀୟ ଛୋଟ ଛୋଟ ଠିକାଦାର ସଂସ୍ଥାକୁ ସଂପୃକ୍ତ କମ୍ପାନୀ ପ୍ରାପ୍ୟ ପଇଠ ନକରି ଠକୁଥିବା ଅଭିଯୋଗ ଅଛି । କିନ୍ତୁ ଅଫିସରଙ୍କ ସୁରକ୍ଷାରେ ଟେଣ୍ଡର ନେଉଛି ।   

ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ବିଜୁଳି କର୍ମଚାରୀ ସଂଘ ମଧ୍ୟ ଆହୁରି ଅଭିଯୋଗ କରିଛନ୍ତି ଯେ, ବଡ଼ ବଡ଼ ବିଦ୍ୟୁତ୍‌ ଠିକା କମ୍ପାନୀ ଅଧାରେ କାମ ଛାଡ଼ି ଚାଲିଯିବାର ନଜିର୍‌ ରହିଛି । ୧୯୯୯ରେ ଏଭଳି ସ୍ଥିତି ହୋଇଥିଲା । ଟାଟା ପ୍ରୋଜେକ୍ଟ, କେଇସି, ଇଏମ୍‌ସି ଆଦି କମ୍ପାନୀ ଅଧାରେ କାମ ଛାଡ଼ି ଚାଲିଯାଇଥିଲେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ସେତେବେଳେ OPTCL ଅଧ୍ୟକ୍ଷ ଥିଲେ । ତାଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶରେ ସ୍ଥାନୀୟ ଠିକାଦାରଙ୍କୁ ବିଦ୍ୟୁତ୍‌ କାମ ଦିଆଯାଇଥିଲା ଏବଂ ତାହା ସଫଳ ମଧ୍ୟ ହୋଇଥିଲା । କିନ୍ତୁ ଏବେ କିଛି ନୂଆ OPTCL ନିର୍ଦ୍ଦେଶକଙ୍କ ସହ ଟାଟା ପ୍ରୋଜେକ୍ଟସ ଲିମିଟେଡ୍‌ର ଅସାଧୁ ମେଣ୍ଟରୁ ଲୋ-ଭୋଲ୍‌ଟେଜ୍‌ ମୁକ୍ତ ତଥା ନିରନ୍ତର ବିଦ୍ୟୁତ୍‌ ସେବା ଲକ୍ଷ୍ୟ ଏବେ ଅସମ୍ଭବ ହେବା ଆଶା କରାଯାଉଛି । ବିଦ୍ୟୁତ୍‌ ନିର୍ମାଣ ଶ୍ରମିକ ସଂଘ OPTCL ର ଅନଭିଜ୍ଞ, ଅସାଧୁ ଅଧିକାରୀଙ୍କ ଚାଲ୍‌ର ପ୍ରକୃତ ତଥ୍ୟ ସାମ୍ନାକୁ ଆସିଲେ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କ ଲକ୍ଷ୍ୟ ଏବଂ ସ୍ୱାର୍ଥ ସୁରକ୍ଷିତ ରହିବ ବୋଲି ଯୁକ୍ତି ରଖିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ବିଜୁଳି କର୍ମଚାରୀ ସଂଘ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.