କରୋନା ଟେଷ୍ଟ କମାଉଛନ୍ତି ରାଜ୍ୟ, ଚିଠି ଲେଖି ସତର୍କ କରାଇଲା କେନ୍ଦ୍ର

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮।୦୧: ଟେଷ୍ଟିଂ ବଢ଼ାଇବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ । ଦେଶରେ ମହାମାରୀ କରୋନାର ତୃତୀୟ ଲହର କାୟା ବିସ୍ତାର କରୁଛି। କିଛି ଦିନ ସଂକ୍ରମଣ ଗ୍ରାଫ ଉପର ମୁହାଁ ହେବା ପରେ ଏବେ ଏହା ହ୍ରାସ ପାଇଛି। ହେଲେ ଦୈନିକ ସଂକ୍ରମଣ ହ୍ରାସ ପାଇବା ପଛରେ ଟେଷ୍ଟିଂ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦେଶର ପ୍ରାୟ ଅଧିକାଂଶ ରାଜ୍ୟ ନିଜର ଟେଷ୍ଟିଂ ସଂଖ୍ୟାକୁ ଅପ୍ରତ୍ୟାଶିତ ଭାବେ ହ୍ରାସ କରି ଦେଇଛନ୍ତି। ଫଳରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ରାଜ୍ୟ ସରକାରମାନେ ଟେଷ୍ଟିଂ ସଂଖ୍ୟା ହ୍ରାସ କରିଥିବାରୁ ଆଜି କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ରାଜ୍ୟଗୁଡ଼ିକୁ ତୁରନ୍ତ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ କହିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତି ଆହୁଜା ଏ ସମ୍ପର୍କରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଓମିକ୍ରନ ଭାରିଏଣ୍ଟ ବେଶ ଦ୍ରୁତଗତିରେ ସମଗ୍ର ଦେଶରେ ମାଡ଼ୁଛି। ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓମିକ୍ରନ ବିରୋଧରେ କ’ଣ ସବୁ କରିବାକୁ ପଡ଼ିବ ସେନେଇ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସଂକ୍ରମଣ ରୋକିବାକୁ ବ୍ୟବସ୍ଥିତ ଟେଷ୍ଟିଂ ହିଁ ସବୁଠାରୁ ବଡ଼ ଅସ୍ତ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.