ରାଜ୍ୟ ସରକାରଙ୍କ ବଡ ଘୋଷଣା, ସୀମାନ୍ତରେ କଡା ଚେକିଂ, ପଶ୍ଚିମବଙ୍ଗରୁ ଯିଏ ଆସିବ ସେ ୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବ

Published By : Prameya-News7 Bureau | April 22, 2021 IST

ଭୁବନେଶ୍ଵର ୨୨.୦୪: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଅନେକ ବଡ ବଡ ପଦକ୍ଷେପ ପରେ ବି ସ୍ଥିତିରେ ସୁଧାର ଆସୁନାହିଁ। ଏହି କ୍ରମରେ କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁବାର ବଡ ଘୋଷଣା କରିଛନ୍ତି। ଏବେ ପଶ୍ଚିମବଙ୍ଗରୁ ଯିଏ ଆସିବ ସେ ୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବେ। ପଶ୍ଚିମବଙ୍ଗ ସହ ଲାଗି ରହିଥିବା ସମସ୍ତ ରାସ୍ତାରେ ଚେକିଂ  କଡାକଡି କରାଯିବ। ଚେକିଂ କରିବାକୁ ବାଲେଶ୍ଵର, ମୟୂରଭଞ୍ଜ  ଏସ୍‌ପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ପଶ୍ଚିମବଙ୍ଗରେ କରୋନା ଉଗ୍ର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡିଶା-ପଶ୍ଚିମବଙ୍ଗ ସୀମା ସିଲ୍ ହେବ। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ କଡା ଚେକିଂ କରାଯିବ। ୪୮ ଘଣ୍ଟା ପୂର୍ବରୁ ନେଗେଟିଭ୍ ରିପୋର୍ଟ ଦେଖାଇଲେ  ବି ଏବଂ ୨ ଡୋଜ୍ ନେଇଥିବା ଲୋକଙ୍କୁ ହୋମ କ୍ଵାରେଣ୍ଟାଇନ୍‌ ବାଧ୍ୟତାମୂଳକ। ସେମାନେ କ୍ଲଷ୍ଟର ସେଣ୍ଟରେ ରହିବେ କିମ୍ବା ପେଡ୍ କ୍ଵାରେଣ୍ଟାଇନ୍‌ରେ ରହି ପାରିବେ। ପଶ୍ଚିମବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ମଧ୍ୟ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ରହିବେ। ଏପରିକି ସଂପୃକ୍ତ ଯାତ୍ରୀମାନଙ୍କୁ ହୋମ କ୍ଵାରେଣ୍ଟାଇନ୍ ମନା।

ଓଡିଶା-ପଶ୍ଚିମବଙ୍ଗ ସୀମାରେ ଚେକ୍ ପୋଷ୍ଟ କରାଯିବ। ପଶ୍ଚିମବଙ୍ଗ ସୀମାରେ ଫେରନ୍ତାଙ୍କ ପାଇଁ ମାଗଣା ଖାଇବା ଏବଂ ରହିବା ବ୍ୟବସ୍ଥା କରାଯିବ। ଆସନ୍ତାକାଲିଠୁ ସୀମାରେ କଡା ଚେକିଂ ଆରମ୍ଭ ହେବ। ଏଥିପାଇଁ ବାଲେଶ୍ଵର, ମୟୂରଭଞ୍ଜ  ଏସ୍‌ପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ନିର୍ବାଚନୀ ରାଜ୍ୟ ପଶ୍ଚିମବଙ୍ଗରେ କରୋନା ସ୍ଥିତି ସାଙ୍ଘାତିକ ରୂପ ନେଲାଣି। ଦୈନିକ ସେଠାରେ ୧୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହା ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜିର ଆକ୍ରାନ୍ତଙ୍କୁ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୮୪୭୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୭୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୫୮୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.