କୋଭିଡ୍-୧୯ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କୁ ପଞ୍ଜିକରଣ ପାଇଁ ସାନି ଅପିଲ୍‌ କଲେ ରାଜ୍ୟ ସରକାର: କଥା ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 14, 2020 IST

ଭୁବନେଶ୍ବର୧୪/୪: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଆଉ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୬୦ ଛୁଇଁଛି । ଆଜି ଚିହ୍ନଟ ୫ ଜଣଙ୍କ ମଧ୍ୟରୁ ଯାଜପୁରର ଜଣେ ଏବଂ ଅନ୍ୟ ୪ଜଣ ଭୁବନେଶ୍ବରର । ଭୁବନେଶ୍ବରର ୪ ପଜିଟିଭଙ୍କ ମଧ୍ୟରୁ ଜଣେ ଝାରପଡାର, ଅନ୍ୟ ୩ଜଣ ବମିଖାଲର । ସବୁ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଝାରପଡା ୬୦ ନମ୍ବର ଆକ୍ରାନ୍ତ ଜଣେ ୫୦ ବର୍ଷିୟ ପରୁଷ । ସେ ୪୨ ନମ୍ବର ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ।

ସେହିଭଳି ବମିଖାଲର ୩ ଜଣ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍ ଭିତରୁ ଚିହ୍ନଟ ହୋଇଛନ୍ତି । ସମସ୍ତେ ପୂର୍ବରୁ ଚିହ୍ନଟ ହୋଇଥିବା ବମିଖାଲ ଅଞ୍ଚଳର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୫ ବର୍ଷିୟ ବୃଦ୍ଧ ଅଛନ୍ତି । ସେହିପରି ଯାଜପୁର ଆକ୍ରାନ୍ତଙ୍କ ଲିଙ୍କ୍ କୋଲକୋତାର ଏକ ମାଛ ଓ ପରିବା ବୋଝେଇ ଗାଡି ବୋଲି ଜଣାପଡିଛି । ଜାଫରପୁର ପଞ୍ଚାୟତ କିଛି ଗାଁକୁ ସିଲ୍ କରିଦେଇଛି ପୋଲିସ । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।

ସେପଟେ ସରକାର ଅଧିକ ମାତ୍ରାରେ ସାମ୍ପଲ ପରୀକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି । ପୂର୍ବରୁ ଦୈନିକ ୨ ଶହରୁ ୩ ଶହ ସାମ୍ପଲ ପରୀକ୍ଷା କରାଯାଉଥିବା ବେଳେ ଗତକାଲି ୫୬୪ ଜଣଙ୍କ ସ୍ବାବ୍ ଟେଷ୍ଟ କରାଯାଇଛି । ଏହି ସଂଖ୍ୟାକୁ ୮ଶହକୁ ବଢାଇବାକୁ ଯୋଜନା ହୋଇଛି । ସେପଟେ ଯେଉଁମାନେ କୋଭିଡ ୧୯ ଲକ୍ଷଣ ଥିବା ଅନୁଭବ କରୁଛନ୍ତି ସେମାନେ ତୁରନ୍ତ ୧୦୪କୁ ଫୋନ୍ କରି ନାଁ ପଞ୍ଜିକରଣ କରିବାକୁ ସରକାର ସାନି ଅପିଲ୍ କରିଛନ୍ତି । ନଚେତ୍ ସେମାନେଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ଚେତାଇ ଦେଇଛନ୍ତି ।ଏବେ ସୁଦ୍ଧା ୧୯ ଜିଲ୍ଲାରେ କୋଭିଡ ହସ୍ପିଟାଲ ବ୍ୟବସ୍ଥା କରାସରିଛି । ବାକି ୧ ଜିଲ୍ଲାରେ ସପ୍ତାହେ ଭିତରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.