ଭାରତ ବନ୍ଦ: ଆସନ୍ତାକାଲି ସମସ୍ତ ସରକାରୀ ଅଫିସ ବନ୍ଦ, ଛୁଟି ଘୋଷଣା କଲେ ରାଜ୍ୟ ସରକାର

Published By : Prameya-News7 Bureau | December 07, 2020 IST

ଭୁବନେଶ୍ଵର ୦୭।୧୨: ଦେଶରେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ସରକାରଙ୍କ ସହ ପାଞ୍ଚ ପର୍ଯ୍ୟାୟରେ ଆଲୋଚନା ପରେ ବି କୌଣସି ଫଳାଫଳ ବାହାରି ପାରିନାହିଁ। ଦାବି ପୂରଣ ନେଇ କୃଷକ ସଂଗଠନଗୁଡିକୁ ପକ୍ଷରୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ୍ ବନ୍ଦ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ରାଜ୍ୟ ସରକାର। ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୋମବାର ଏହାର ସୂଚନା ଦିଆଯାଇଛି।

କରୋନା ମହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ଵାଭାବିକ ହୋଇନଥିବା ବେଳେ ଭାରତ  ବନ୍ଦ ଡାକରା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି  ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସରକାରୀ ସେବା ଜାରି ରହିବ।

ସୂଚନାଯୋଗ୍ୟ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ୪୦ଟି କୃଷକ ସଂଗଠନ। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯିବ। ସାଧାରଣ ଲୋକ ଯେମିତି ପ୍ରଭାବିତ ନହେବେ ସେ ଦିଗ ପ୍ରତି ଦୃଷ୍ଟି ଦିଆଯିବ ବୋଲି ଭାରତୀୟ କିଷାନ ୟୁନିଅନ କହିଛି। ଭାରତ ବନ୍ଦ ଡାକରାକୁ ଅନେକ ଟ୍ରେଡ୍ ୟୁନିଅନ୍ ଏବଂ ବିରୋଧୀ ଦଳ ସମର୍ଥନ କରୁଥିବାରୁ ଏହାର ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଛି।

କାଲି ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଦିଆଯାଇଛି ବନ୍ଦ ଡାକରା। ଜାତୀୟ ରାଜପଥ ଏବଂ ଟୋଲ୍ ପ୍ଲାଜାରେ ଧର୍ମଘଟ କରିବାକୁ ମେଳି। ହେଲେ ବନ୍ଦ କରିବେନି ଜରୁରୀ ଓ ସରକାରୀ ସେବା। ଯେମିତି ସମସ୍ତେ ଅଫିସ ଯାଇପାରିବେ ସେଥିପାଇଁ ଦିନ ୧୧ଟାରୁ ଭାରତ ବନ୍ଦ କରିବାକୁ ଡାକରା ଦିଆଯାଇଛି। ଆମ୍ବୁଲାନ୍ସ ଏବଂ ବିବାହ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ। ଲୋକେ ସେମାନଙ୍କର ପରିଚୟ ପତ୍ର ଦେଖାଇ ଯାଇପାରିବେ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.