ଯାହାଙ୍କୁ ମାରିଦେଇଥିଲେ ବୋଲି ଜେଲଦଣ୍ଡ ଭୋଗୁଛନ୍ତି ୪ ଜଣ ସେମାନେ ଜୀବିତ, ପଢନ୍ତୁ ପୂରା ଘଟଣା...

Published By : Prameya-News7 Bureau | July 26, 2019 IST

ରାଇରଙ୍ଗପୁର |ବରଗଡ ୨୬|୭: ଆମ ଦେଶର ଆଇନ୍‌ କହୁଛି ଶହେ ଦୋଷୀ ପଛେ ଖସିଯାଆନ୍ତୁ ହେଲେ ଜଣେ ହେଲେ ବି ନିର୍ଦ୍ଦୋଷ ସଜା ନପାଉ । କିନ୍ତୁ ଏଠି ଆମ ଅଜବ ପୋଲିସର ଗଜବ ତଦନ୍ତ ଯୋଗୁଁ ଏବେ ଜେଲ୍‌ରେ ସଜା କାଟୁଛନ୍ତି ୪ ଚାରି ଜଣ ନିର୍ଦୋଷ । କିଛି ଦିନ ତଳେ ହତ୍ୟା ଅଭିଯୋଗରେ ପୋଲିସ ଏମାନଙ୍କୁ ବାନ୍ଧି ଜେଲ୍‌କୁ ପଠାଇଥିବା ବେଳେ ଏବେ ମୃତ ଘୋଷିତ ବ୍ୟକ୍ତି ବଞ୍ଚିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତିରେ ପୋଲିସ ତଦନ୍ତର ତରିକା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ ।

{"id":137655}

ଏଠି ରକ୍ଷକ ଯଦି ଭକ୍ଷକ ସାଜିବ ତାହେଲେ କହିବା କାହାକୁ । ଯେଉଁ ପୋଲିସ ହାତରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଟେକି ଦେଇ ଆମେ ନିଶ୍ଚିନ୍ତରେ ବସିଛେ, ସେଇ ପୋଲିସ ଯଦି ତାଙ୍କ କାମ ଠିକ୍‌ରେ ନକରେ, ସେଇ ପୋଲିସର ଭୁଲ୍‌ ତଦନ୍ତ ଯୋଗୁଁ ଯଦି ନିର୍ଦୋଷ ଜେଲ କୋଠରୀରେ ସଜା ପାଉଥାନ୍ତି ତାହେଲେ ପୋଲିସର ଏଭଳି କାର୍ଯ୍ୟକୁ ଆମେ କ’ଣ କହିବା ? ଦୁଇ ଦୁଇଟି ଘଟଣାରେ ରାଇରଙ୍ଗପୁର ବାଦାମ ପାହାଡ଼ ଆଉ ବରଗଡ଼ ପାଇକମାଳ ପୋଲିସର ଖାମଖିଆଲି ତଦନ୍ତ ଏବେ ପଦାରେ ପଡ଼ିଛି ।

{"id":137657}

ଦୁଇଟି ଯାକ ଘଟଣାରେ ହତ୍ୟା ଅଭିଯୋଗରେ ନିର୍ଦୋଷ ଜେଲରେ ସଜା କାଟୁଥିବା ବେଳେ କିଛି ଦିନର ବ୍ୟବଧାନରେ ସମାନ ମାମଲାରେ ସାମ୍ନାକୁ ଆସିଛନ୍ତି  ମୃତ ଘୋଷିତ ବ୍ୟକ୍ତି । ପ୍ରଥମେ ବାଦାମପାହାଡ଼ ପୋଲିସର ପାରିବା ପଣିଆ ଉପରେ ଟିକେ ନଜର ପକାଇବା । ଯେଉଁ ମହିଳାଙ୍କୁ ମୃତ ଦର୍ଶାଇ ବାଦାମପାହାଡ଼ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଥିଲା, ୩ମାସ ପରେ ସେଇ ମହିଳା ଜଣକ ଜୀବିତା ବୋଲି ଜଣାପଡ଼ିଛି ।

{"id":137659}

ବୋହୂକୁ ପୋଡ଼ି ମାରିଦେବା ଅଭିଯୋଗରେ ସ୍ବାମୀ ଶ୍ବଶୂରଙ୍କୁ ଜେଲ୍‌ ପଠାଇଥିବା ପୋଲିସ ଏକ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବକୁ ଦେଖି ଚକ୍‌ମା ଖାଇଯାଇଥିଲା । ପ୍ରକୃତରେ ସେଇ ଶବ ନିଖୋଜ ମହିଳାଙ୍କର କି ନୁହେଁ ତା’ର ଠିକ୍‌ ଭାବେ ତଦନ୍ତ ନକରି ୨ ନିର୍ଦୋଷଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ପଠାଇଦେଇଥିଲା । ଏବେ ଯେତେବେଳେ ଏଭଳି ଘଟଣାକୁ ନେଇ ପ୍ରଶ୍ନ ଉଠୁଛି ସେତେବେଳେ ଦୋଷ ଘୋଡ଼ାଇବାକୁ ପ୍ରୟାସ କରୁଛି ପୋଲିସ ।

{"id":137660}

ବାଦାମପାହାଡ଼ ପୋଲିସର କାରନାମା ତ ଦେଖିଲେ, ଏବେ ଆସନ୍ତୁ ନଜର ପକାଇବା ବରଗଡ଼ ପାଇକମାଳ ପୋଲିସର ତଦନ୍ତ ଷ୍ଟାଇଲ୍‌ । ଯେଉଁ ଷ୍ଟାଇଲ୍‌ ପାଇଁ ୨ଜଣ ନିର୍ଦୋଷ ଗଲା ୧୯ମାସ ହେଲା ଜେଲଦଣ୍ଡ ଭୋଗୁଛନ୍ତି । ହେଲେ ଯାହାର ହତ୍ୟା ଅଭିଯୋଗରେ ସେମାନେ ଦଣ୍ଡ ଭୋଗୁଛନ୍ତି ସେଇ ନିଖୋଜ ଯୁବକ ୧୯ମାସ ପରେ ଗାଁକୁ ଫେରିଥିବା ଜଣାପଡ଼ିଛି ।

{"id":137661}

ନିକଟରେ ସମ୍ବଲପୁର ପୋଲିସର ଖାମଖିଆଲି ତଦନ୍ତ କଥା ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଠି ଜଣେ ମହିଳାଙ୍କ ନିଖୋଜ ଘଟଣାର ୮ବର୍ଷ ପରେ ହତ୍ୟାକାରୀକୁ ଧରିଥିଲା ପୋଲିସ । ଆଉ ଏବେ ରାଇରଙ୍ଗପୁର ଓ ବରଗଡ଼ ଘଟଣାକୁ ଦେଖିଲେ ଆମ ରାଜ୍ୟ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ । ହତ୍ୟା ଅଭିଯୋଗ ଭଳି ସ୍ପର୍ଶକାତର ଘଟଣାକୁ ଏମିତି ହାଲକା ଭାବେ ନେଇ ମନମୁଖୀ ତଦନ୍ତ କରିବା ଆଉ ନିର୍ଦୋଷଙ୍କୁ ବାନ୍ଧି ଜେଲ୍‌ରେ ପୁରାଇବା ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.