ଚୋରା ବାଲି ଚାଲାଣ ଘଟଣା: ତହସିଲଦାରଙ୍କ ଚଢ଼ାଉ, ଆରଆଇଙ୍କ କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ପ୍ରଶ୍ନ

Published By : Prameya-News7 Bureau | July 15, 2020 IST

ନୀଳଗିରି,୧୫/୭: ନୀଳଗିରି ତହସିଲ ଅଧିନ ସୋନନଦୀରେ ବାଲି ଚୋରି ରୋକିବାର ନାଁ ଧରୁନି। ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ତହସିଲଦାର ସିଙ୍ଗିରୀ ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ବାଲି ଜବତ ହେବା ପରେ ସେହି ଅଞ୍ଚଳର କାର୍ଯ୍ୟକରୁଥିବା ଆରଆଇଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି।ସୂଚନାରୁ ପ୍ରକାଶ କି କାଠପାଳ,ପୁନଦାଳ, ରାଧାକିଶୋରପୁର, ବେଗୁନିଆ,ସିଙ୍ଗିରୀ ଅଂଚଳରେ ବ୍ୟାପକ ପରିମାଣରେ ବାଲିଚୋରି ହୋଇଆସୁଥିଲା ।

ଏପରି କି ଚଢ଼ାଉ ବେଳେ ତହସିଲଦାର ଓ ନୀଳଗିରି ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିବାକୁ ବାଲି ମାଫିଆ ପଛାଇ ନ ଥିଲେ। ଏହି ସ୍ଥାନରେ ବାଲି ଖାଦାନ ନିଲାମ କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ ପୂର୍ବରୁ କାର୍ଯ୍ୟରତ ତହସିଲଦାରଙ୍କ ଅପାରଗତା ପାଇଁ ବିଳମ୍ବ ହୋଇଅସୁଥିଲା। ବିଳମ୍ବରେ ହେଲେ ମଧ୍ୟ ଏବେ କାର୍ଯ୍ୟରତ ତହସିଲଦାର ଅଶେଷ ନାଏକ ପୁନଦାଳ ଅଂଚଳରେ ଦୁଇଟି ବାଲି ଖାଦାନ ଓ ଡୁମଗଣ୍ଡିରା ଅଂଚଳରେ ଗୋଟିଏ ବାଲି ଖାଦାନ ନିଲାମ ପ୍ରକ୍ରିୟା ଶେଷ କରିଛନ୍ତି।

ହେଲେ କାଠପାଳ ଓ ସିଙ୍ଗିରୀ ଅଂଚଳରେ ବାଲିଚୋର ମାନେ ସକ୍ରିୟ ହୋଇ ବାଲି ଉଠାଇ ନିଜ ବାଡ଼ିରେ ରଖିଥିଲେ । ତହସିଲଦାର ଖବର ପାଇ ଆଜି ପୋଲିସ ସହ ଚଢ଼ାଉ କରିଥିଲେ।ପାଖାପାଖି ୬୦ ଟ୍ରିପରୁ ଉର୍ଦ୍ଧ୍ବ ବାଲି ସେହି ଗ୍ରାମର ଚକ୍ରଧର କର, ରତ୍ନାକର ମହାର୍ଣ୍ଣ , ସୁକୁମାର ସାମନ୍ତ ରାୟଙ୍କ ବାଡିରୁ ଜବତ କରିଛନ୍ତି।ପରେ ତାଙ୍କୁ ଜୋରିମାନା ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ତହସିଲଦାର ଙ୍କ ଏଭଳି ଅଚାନକ ଚଢ଼ାଉ ଦେଖି ବାଲି ମାଫିଆଙ୍କ ଭିତରେ ଛନକା ପଶିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.