୭୪ ବର୍ଷରେ ପାଞ୍ଚ ଗୁଣ ବଢିଗଲା କ୍ୟାବିନେଟ୍‌ର ଆକାର, ନେହେରୁଙ୍କଠୁ ନେଇ ମୋଦୀଙ୍କ କାଳରେ ଏତେ ବଦଳିଗଲା ମନ୍ତ୍ରିମଣ୍ଡଳର ଚିତ୍ର

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨।୦୭: ଗତ ସପ୍ତାହରେ କେନ୍ଦ୍ରର ମୋଦୀ ସରକାରର କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। ବର୍ତ୍ତମାନ ସରକାରର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା ୭୮ ରହିଛି। ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ଵରେ ଗଠନ ହୋଇଥିବା ପ୍ରଥମ ସରକାରରେ ଥିଲେ ୧୪ ମନ୍ତ୍ରୀ। ଏହି ପରି ବର୍ତ୍ତମାନ ସରକାରରେ ଦେଶର ପ୍ରଥମ ସରକାର ତୂଳନାରେ ପାଞ୍ଚ ଗୁଣା ଅଧିକ ମନ୍ତ୍ରୀଙ୍କୁ ସାମିଲ୍ କରାଯାଇଛି।

ନରେନ୍ଦ୍ର ମୋଦୀଙ୍କ ନୂତନ କ୍ୟାବିନେଟ୍‌ରେ ସାତ ଜଣ ପ୍ରଶାସନିକ ଅଧିକାରୀଙ୍କୁ ସାମିଲ୍ କରାଯାଇଛି। ସେହି ପରି ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜୀବ ଚନ୍ଦ୍ରଶେଖରଙ୍କ ପରି ହାଭାର୍ଡରୁ ପଢିଥିବା ନେତା ମଧ୍ୟ ଅଛନ୍ତି। ଏକ୍ସପର୍ଟଙ୍କୁ କ୍ୟାବିନେଟ୍‌ରେ ସାମିଲ୍ କରାଯିବାର ପରମ୍ପରା ଜବାହରଲାଲ ନେହେରୁଙ୍କ ଯୁଗରୁ ଚାଲି ଆସିଛି। ନେହେରୁଙ୍କ ପ୍ରଥମ କ୍ୟାବିନେଟ୍‌ରେ ମଧ୍ୟ ସିଏଚ ଭାଭାଙ୍କୁ ସାମିଲ୍ କରାଯାଇଥିଲା। ତାଙ୍କୁ ବାଣିଜ୍ୟ ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଥିଲା।

ଆରମ୍ଭରେ ସରକାରଙ୍କ କ୍ୟାବିନେଟ୍‌ ଆକାର ସର୍ବଦା ଛୋଟ ରହୁଥିଲା। ମାତ୍ର ୯୦ ଦଶକରେ ମେଣ୍ଟ ରାଜନୀତି ଆରମ୍ଭ ପରେ ମନ୍ତ୍ରୀ ପରିଷଦର ଆକାର ବଢିବାରେ ଲାଗିଥିଲା। ୧୯୯୯ରେ ଗଠନ ହୋଇଥିବା ଅଟଳ ବିହାରୀ ବାଜପେୟୀଙ୍କ ସରକାର ୭୦ ମନ୍ତ୍ରୀଙ୍କ ସହ ଶପଥ ନେଇଥିଲା। ଯାହା ଏ ପର୍ଯ୍ୟନ୍ତ ରେକର୍ଡ ହୋଇ ରହିଛି। ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନ ପରେ ଗଠିତ ସରକାରରେ ୨୧ ଜଣଙ୍କୁ ମନ୍ତ୍ରୀ କରାଯାଇଥିଲା। ୨୦୦୯ରେ ମନମୋହନ ସିଂହ ୨୦ ଜଣ ମନ୍ତ୍ରୀଙ୍କ ସହ ଶପଥ ନେଇଥିଲେ। ମାତ୍ର ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାରୁ ମନ୍ତ୍ରୀଙ୍କ ସଂଖ୍ୟା ୭୯ ପର୍ଯ୍ୟନ୍ତ ପହଞ୍ଚିଥିଲା।

ସ୍ଵାଧୀନତା ପରେ ଗଠନ ହୋଇଥିବା ପ୍ରଥମ ସରକାରରେ ଜବାହାରଲାଲ ନେହେରୁ ନିଜର ବିରୋଧୀଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ସ୍ଥାନ ଦେଇଥିଲେ। ଡ.  ବିଆର ଆମ୍ବେଦକର ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ସାମିଲ୍ କରାଯାଇଥିଲା। ପ୍ରଥମ କ୍ୟାବିନେଟ୍‌ରେ କେବଳ ଜଣେ ମହିଳା ମନ୍ତ୍ରୀ ରାଜକୁମାରୀ ଅମୃତ କୌରଙ୍କୁ ସାମିଲ କରାଯାଇଥିଲା।

୨୦୦୯ରେ ଯେବେ ମନମୋହନ ସିଂହ ଦ୍ଵିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେଲେ ସେହି ସମୟରେ ମନ୍ତ୍ରୀ ପରିଷଦରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ମନ୍ତ୍ରୀଙ୍କୁ ଜାଗା ମିଳିଥିଲା। ପାଞ୍ଚ ବର୍ଷର ଶାସନ ସମୟରେ ମୋଟ୍ ୧୫ ମହିଳା ମନ୍ତ୍ରୀଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ସଂପ୍ରତି ମୋଦୀ ସରକାରରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.