Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

କଟକଣା ସତ୍ତ୍ୱେ ବି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ : ପଶ୍ଚିମବଙ୍ଗ ସମେତ ୪ରାଜ୍ୟରେ ସ୍ଥିତି ଜଟିଳ, ଅନୁଧ୍ୟାନ କରିବ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି

21/04/2020 at 9:30 AM

ନୂଆଦିଲ୍ଲୀ ୨୧।୦୪: ପଶ୍ଚିମବଙ୍ଗ ସମେତ ୪ଟି ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହୋଇପଡିଛି । ଅନ୍ୟ ୩ଟି ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନ । ସେଠାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ତେଣୁ ସେଠାରେ ଲକ୍‌ଡାଉନକୁ କିଭଳି କାର୍ଯ୍ୟକାରୀ କରାଯାଉଛି, କରୋନା ସଂକ୍ରମଣର ସ୍ଥିତି କ’ଣ ରହିଛି ଏବଂ ତାର ମୁକାବିଲା ଦିଗରେ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଉଛନ୍ତି ତାର ଅନୁଧ୍ୟାନ ଲାଗି କେନ୍ଦ୍ର ସରକାର ସୋମବାର ୬ଟି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏହି ଟିମ୍‌ ମଧ୍ୟରୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗକୁ ୨ଟି ଲେଖାଏ ଟିମ୍‌ ଗସ୍ତ କରିବ । ଅନ୍ୟ ଦୁଇଟି ଟିମ୍‌ ମଧ୍ୟରୁ ଗୋଟିଏ ମଧ୍ୟପ୍ରଦେଶ ଓ ଅନ୍ୟଟି ରାଜସ୍ଥାନ ଯିବ । ଟିମ୍‌ ସମ୍ପୃକ୍ତ ରାଜ୍ୟ ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବ । ସେଠାରୁ ଫେରିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଗାଇଡ୍‌ଲାଇନ ଅନୁସାରେ ଲକ୍‌ଡାଉନକୁ କାର୍ଯ୍ୟକାରୀ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ସାମାଜିକ ଦୂରତା ବଜାୟ ରଖିବା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ରିଲିଫ କ୍ୟାମ୍ପରେ ରହିଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଆଦି ବିଷୟରେ ଏହି କମିଟି ଅନୁଧ୍ୟାନ କରିବ । ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୩୫(୧), ୩୫ (୨-କ), ୩୫ (୨-ଙ) ଏବଂ ୩୫ (୨-ଝ) ଅନୁସାରେ ଏହି କମିଟି ଗଢ଼ାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ମଧ୍ୟପ୍ରଦେଶର ଇନ୍ଦୋର,ମହାରାଷ୍ଟ୍ରର ମୁମ୍ବାଇ ଓ ପୁନେ, ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗର ୭ଟି ଜିଲ୍ଲା ଯଥା କୋଲକାତା, ହାଓଡ଼ା, ପୂର୍ବ ମେଦିନିପୁର, ଉତ୍ତର ୨୪ ପ୍ରଗଣା, ଦାର୍ଜିଲିଂ, କାଲିମପଙ୍ଗ ଓ ଜଲପାଇଗୁଡିରେ କରୋନା ସ୍ଥିତି ଭୟାବହ ରୂପ ଧାରଣ କରିଛି । ସେଠାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ପଶ୍ଚିମବଙ୍ଗର ୭ ଜିଲ୍ଲାରେ ଲକ୍‌ଡାଉନ ନିୟମ ଠିକ୍‌ ଭାବେ ପାଳନ କରାଯାଉନାହିଁ । ବ୍ୟାଙ୍କ, ପିଡିଏସ୍‌ ଦୋକାନା ଓ ମାର୍କେଟରେ ସାମାଜିକ ଦୂରତା ବଜାୟ ରଖାଯାଉନାହିଁ । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି ଏବଂ ସହରରେ ଘରୋଇ ତଥା ବ୍ୟାବସାୟିକ ଯାନବାହନ ଚଳାଚଳ କରୁଛି । ସହରରେ ଯାତ୍ରୀ ପରିବହନ ଜାରି ରହିଛି । କରୋନା ସଂକ୍ରମିତ ଏସବୁ ଜିଲ୍ଲାରେ ଏଭଳି ଚଳପ୍ରଚଳ ଓ କାର୍ଯ୍ୟକୁ ଅନୁମତି ଦିଆଯିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନର ଉଲ୍ଲଂଘନ । ଏହା କେବଳ ସମ୍ପୃକ୍ତ ଜିଲ୍ଲାର ନୁହେଁ ବରଂ ସମଗ୍ର ଦେଶର ଲୋକଙ୍କ ଜୀବନ ପ୍ରତି ସଙ୍କଟ ସୃଷ୍ଟି କରୁଛି ବୋଲି ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ଗତ ୧୯ ତାରିଖରେ ଲେଖିଥିବା ଚିଠିରେ ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ।

ଲକ୍‌ଡାଉନକୁ ଠିକ୍‌ ଭାବେ ପାଳନ ନ କରିବା, କେତେକ ଅଣ ଅତ୍ୟାବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଦେବା ଓ ଧାର୍ମିକ ସମାବେଶ ପାଇଁ ଅନୁମତି ଦେବା ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୃତୀୟଥର ପାଇଁ ଏଭଳି ଚିଠି ଲେଖାଯାଇଛି । ନିକଟରେ ଏକ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ କି ପୂର୍ବ ମେଦିନିପୁର ଓ କାଲିମପଙ୍ଗ ଜିଲ୍ଲାରେ କୌଣସି ନୂଆ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇ ନଥିବାରୁ ତାକୁ ଅରେଞ୍ଜ ଜୋନ୍‌ରେ ସାମିଲ କରାଯାଇଛି । ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ୨ଟି ଟିମ୍‌କୁ ରାଜ୍ୟକୁ ପଠାଉଥିବାରୁ ତାହା ଉପରେ ଆପତ୍ତି ଉଠାଇଛନ୍ତି ମମତା । ସେ କହିଛନ୍ତି କେନ୍ଦ୍ର ସରକାର କେଉଁ ପରିସ୍ଥିତିରେ କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ମନ୍ତ୍ରୀ ଗୋଷ୍ଠୀ ପଠାଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା ଉପରେ ସ୍ପଷ୍ଟ କରିବା ଦରକାର ବୋଲି ସେ କହିଛନ୍ତି ।

ଇତିମଧ୍ୟରେ କେନ୍ଦ୍ର ସରକାର ଲକ୍‌ଡାଉନ ଆଇନକୁ କଡ଼ାକଡ଼ି ପାଳନ କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଏହି ମର୍ମରେ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଅନୁମତି ନଥିବା କେତେକ କାର୍ଯ୍ୟକଳାପ ଲାଗି ଆଦେଶନାମା ଜାରି କରିଛନ୍ତି । ଗାଇଡଲାଇନ ବାହାରକୁ ଯାଇ ସମ୍ପୃକ୍ତ ରାଜ୍ୟ ସରକାର ଏଭଳି କାର୍ଯ୍ୟକଳାପ ଜାରି ରଖିବାକୁ ଅନୁମତି ଦେଇଛନ୍ତି । ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ଗାଇଡ୍‌ଲାଇନର ଉଲ୍ଲଂଘନ କରୁଛି । ଲକ୍‌ଡାଉନ ଗାଇଡଲାଇନରେ କୌଣସି ଢିଲା ନକରି ଏହାକୁ କଡ଼ାକଡ଼ ଭାବେ ଲାଗୁ କରିବାକୁ ସେ ଉଲ୍ଲେଖ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ବିଷୟରେ ମଧ୍ୟ ଭାଲ୍ଲା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୩୧ ତାରିଖରେ ସୁପ୍ରିମକୋର୍ଟ କହିଥିଲେ ଯେ ସର୍ବସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଲକ୍‌ଡାଉନ ଗାଇଡଲାଇନକୁ ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ସରକାରୀ କର୍ତ୍ତୃପକ୍ଷ ଓ ସାଧାରଣ ଜନତା ବିଶ୍ୱାସର ସହିତ କଡ଼ାକଡ଼ି ପାଳନ କରିବା ଆବଶ୍ୟକ ।

   Related Posts